ରସିଦ୍‌ଙ୍କ ଦ୍ରୁତତମ ୧୦୦ ଓ୍ଵିକେଟ୍‌

ହରାରେ: ଆଫ୍‌ଗାନିସ୍ତାନ ଯୁବ ଲେଗ୍‌ ସ୍ପିନର ରସିଦ୍‌ ଖାନ୍‌ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‌ରେ ୧୦୦ ଓ୍ଵିକେଟ୍‌ ଅକ୍ତିଆର କରିବାରେ ଦ୍ରୁତତମ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଏଠାରେ ରବିବାର ଖେଳାଯାଇଥିବା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟର େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଫାଇନାଲ୍‌ରେ ଓ୍ଵିକେଟ୍‌ ରକ୍ଷକ ସାଇ ହୋପ୍‌ଙ୍କୁ ଆଉଟ୍‌ କରି ୧୯ ବର୍ଷ ବୟସ୍କ ରସିଦ୍‌ ଏହି ବିଶ୍ୱ କୀର୍ତିମାନ ପାଇଛନ୍ତି। ରସିଦ୍‌ ମାତ୍ର ୪୪ ମ୍ୟାଚ୍‌ରେ ୧୦୦ ଓ୍ଵିକେଟ୍‌ ପୂରଣ କରିନେଇଛନ୍ତି। ଏକ୍ଷେତ୍ରରେ ସେ ୫୨ ମ୍ୟାଚ୍‌ରୁ ୧୦୦ ଓ୍ଵିକେଟ୍‌ ନେଇ ଏପର୍ଯ୍ୟନ୍ତ ଦ୍ରୁତତମ କୀର୍ତିମାନ ନିଜ ନାମରେ ଅତୁଟ ରଖିଥିବା ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କୁ ପଛରେ ପକାଇ ଦେଇଛନ୍ତି। ଷ୍ଟାର୍କ ୨୦୧୬ରେ ଏହି ଗୌରବ ପାଇଥିଲା ବେଳେ ୧୮ ବର୍ଷର କୀର୍ତିମାନକୁ ଭାଙ୍ଗି ଦେଇଥିଲେ। ହେଲେ ଷ୍ଟାର୍କଙ୍କ କୀର୍ତିମାନକୁ ୨ ବର୍ଷ ପରେ ରସିଦ୍‌ ଭାଙ୍ଗି ଦେଇଛନ୍ତି। ୨୬ ମ୍ୟାଚ୍‌ରେ ୫୦ ଓ୍ଵିକେଟ୍‌ ପୂର୍ଣ୍ଣ କରିଥିବା ରସିଦ୍‌ ପରବର୍ତୀ ୧୭ ମ୍ୟାଚ୍‌ରେ ୪୯ ଓ୍ଵିକେଟ୍‌ ନେଇ ସଂଖ୍ୟାକୁ ୯୯ରେ ପହଞ୍ଚାଇଥିଲେ। ଆଉ ରବିବାର ନିଜର ୪୪ତମ ମ୍ୟାଚ୍‌ରେ କୀର୍ତିମାନଭରା ୧୦୦ତମ ଓ୍ଵିକେଟ୍‌ ଅକ୍ତିଆର କରିନେଲେ।

ସମ୍ବନ୍ଧିତ ଖବର