ରାଜ୍ୟ ମହିଳା ଫୁଟ୍‌ବଲ୍‌ର ‘ରାଇଜିଂ’ ଷ୍ଟୁଡେଣ୍ଟସ୍‌

ସରକାର ପ୍ରୋତ୍ସାହନ ନଦେଲେ ଆଗକୁ ବଢ଼ିବନି: ଗୀତାଞ୍ଜଳି ଖୁଣ୍ଟିଆ:ଏକାଡେମି ଯୋଜନାକୁ ଧ୍ୟାନରେ ରଖିବାକୁ ହେବ:ଶ୍ରଦ୍ଧାଞ୍ଜଳି ସାମନ୍ତରାୟ

କଟକ: ଭାରତୀୟ ମହିଳା ଲିଗ୍‌ରେ ରାଇଜିଂ ଷ୍ଟୁଡେଣ୍ଟସ୍‌ ବିଜେତା ହେବା ପରେ ସୋମବାର ଭୁବନେଶ୍ୱରରେ ପହଞ୍ଚିଛି ସୁପ୍ରଭା ସାମଲଙ୍କ ଦଳ। ପ୍ରଥମ ସଂସ୍କରଣର ବିଜେତା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌କୁ ଫାଇନାଲ୍‌ରେ ହରାଇ ରାଇଜିଂ ଏବେ ସର୍ବଭାରତୀୟ ସ୍ତରରେ ପୁଣିଥରେ ନିଜର ଦବ୍‌ଦବା ରଖିଛି। ଗତବର୍ଷର ଏହି ଦୁଇ ଫାଇନାଲିଷ୍ଟ ଚଳିତ ବର୍ଷ ପୁଣି ଥରେ ଫାଇନାଲ୍‌କୁ ଉନ୍ନୀତ ହେବା ପରେ କିଏ ବିଜେତା ହେବ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିଥିଲା। ଫାଇନାଲ ମ୍ୟାଚ ମଧ୍ୟ ଏକାଧିକ ନାଟକୀୟ ମୋଡ଼ ଭିତରେ ଯାଇ ପେନାଲ୍‌ଟି କିକ୍‌ରେ ଶେଷ ହୋଇଥିଲା। ଶେଷରେ ରାଇଜିଂ ବିଜୟ ମୁକୁଟ ପିନ୍ଧିପାରିଥିଲା। ଏହି ସଫଳତା ପରେ ଏବେ ଓଡ଼ିଶାରେ ମହିଳା ଫୁଟ୍‌ବଲ୍‌ର ବିକାଶ ଧାରା ଆଗକୁ ବଢୁଥିବା କ୍ଲବ୍‌ ପକ୍ଷରୁ କୁହାଯାଇଛି। ତେଣୁ ପରମ୍ପରା ଆଗକୁ ଯେପରି ଜାରି ରହିବ ସେଥିପାଇଁ ତୃଣମୂଳସ୍ତରରୁ ଅଧିକ ପ୍ରତିଭାବାନ ଖେଳାଳି ବାହାର କରିବା ଦିଗରେ କ୍ଲବ୍‌ ଚେଷ୍ଟା କରିବ ବୋଲି କହିଛି।
ପ୍ରତିଯୋଗିତାର ଆରମ୍ଭରୁ ଗୋକୁଲମ୍‌ ଏଫ୍‌ସିକୁ ୨-୦ ଗୋଲରେ ହରାଇ ରାଇଜିଂ ଅଭିଯାନ ଆରମ୍ଭ କରିଥିଲା।

ହେଲେ ଏହାପରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌ଠୁ ୦-୧, ସେଥୁ ଏଫ୍‌ସିଠୁ ୦-୨ ଗୋଲରେ ପରାସ୍ତ ହେବା ଓ କ୍ରିଫ୍‌ସା ସହିତ ୧-୧ ଗୋଲ ଅମୀମାଂସିତ ରଖିବା ଯୋଗୁଁ ଦଳ ଆଗକୁ ବଢିବା ନେଇ ଆଶଙ୍କା ଦେଖାଦେଇଥିଲା। ତେବେ ପଞ୍ଚମ ମ୍ୟାଚରେ ଇନ୍ଦିରାଗାନ୍ଧୀ ଏକାଡେମୀକୁ ୬-୧ ଗୋଲରେ ହରାଇ ଆଶା ଉଜ୍ଜଳ ରଖିଥିଲାବେଳେ ଶେଷ ଲିଗ୍‌ରେ ଇଣ୍ଡିଆନ୍‌ ରସ୍‌ ସକର କ୍ଲବ୍‌କୁ ୨-୦ ଗୋଲରେ ପରାସ୍ତ କରି ରାଇଜିଂ ଷ୍ଟୁଡେଣ୍ଟସ୍‌ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେମିରେ ପୁଣି ଥରେ କ୍ରିଫ୍‌ସା ସହିତ ରାଇଜିଂର ଭେଟ ହୋଇଥିଲାବେଳେ ୪-୩ ଟାଇବ୍ରେକର ଗୋଲ ବଳରେ ଦଳ ଜିତିବା ସହ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପହଞ୍ଚିଥିଲା।

ପୁଣିଥରେ ପ୍ରଥମ ସଂସ୍କରଣ ଭଳି ଏଥର ରାଇଜିଂର ମୁକାବିଲା ଗତ ସଂସ୍କରଣର ବିଜେତା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିଅନ୍‌ ସହିତ ହୋଇଥିଲା। ଏଥିସହିତ ଲିଗ୍‌ ପର୍ଯ୍ୟାୟରେ ରାଇଜିଂ ବିପକ୍ଷରେ ଇଷ୍ଟର୍ଣ୍ଣ ବିଜୟୀ ହୋଇଥିଲା। ତେଣୁ ଦଳ ଉପରେ ଚାପ ଥିଲେ ବି ରାଇଜିଂ ଖେଳାଳିମାନେ ମ୍ୟାଚରେ ଲଢୁଆ ପ୍ରଦର୍ଶନ ଦେଇଥିଲେ। ନିର୍ଦ୍ଧାରିତ ସମୟରେ ମ୍ୟାଚ ୧-୧ ଗୋଲରେ ଅମୀମାଂସିତ ଓ ଅତିରିକ୍ତ ସମୟରେ ଗୋଲଶୂନ୍ୟ ରହିଥିଲା। ଏପରିକି ଟାଇବ୍ରେକରର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଫଏସଲା ହୋଇପାରିନଥିଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ରାଇଜିଂ ମ୍ୟାଚକୁ ଜିତିପାରିଥିଲା।

ଦଳର ସହକାରୀ ପ୍ରଶିକ୍ଷକ ତଥା ରାଜ୍ୟର ପ୍ରଥମ ଆନ୍ତର୍ଜାତିକ ଖେଳାଳି ଶ୍ରଦ୍ଧାଞ୍ଜଳି ସାମନ୍ତରାୟ କହିଛନ୍ତି ଯେ, ପ୍ରତିଯୋଗିତାରେ ସମସ୍ତ ମ୍ୟାଚଗୁଡ଼ିକ ରାଇଜିଂ ସମ୍ମୁଖରେ ଆହ୍ଵାନ ସଦୃଶ ଥିଲା। ତଥାପି ଆରମ୍ଭ ଭଲ ହୋଇଥିବାରୁ ଶେଷ ପର୍ଯ୍ୟନ୍ତ ଆମେ ଆଶା ହରାଇନଥିଲୁ। ବିଜୟର ସମସ୍ତ ଶ୍ରେୟ ପ୍ରତ୍ୟେକ ଖେଳାଳିଙ୍କୁ ଦିଆଯିବ। ଏଥିସହିତ ଫାଇନାଲ୍‌ରେ ଟିକିନା ସାମଲଙ୍କ ଗୋଲ ରକ୍ଷଣ କୌଶଳ ଯୋଗୁଁ ଆମକୁ ଏହି ସଫଳତା ମିଳିପାରିଥିଲା। ଗତବର୍ଷର ବିଜେତାକୁ ହରାଇ ପାରିଥିବାରୁ ଖେଳାଳି ବେଶ୍‌ ଉତ୍ସାହିତ ଅଛନ୍ତି। ଆଗାମୀ ବର୍ଷ ପାଇଁ ବି ଦଳୀୟ ଖେଳାଳିଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ଜାତୀୟ ଦଳ ପାଇଁ ଏହା ଏକ ଭଲ ସୁଯୋଗ। ତେଣୁ ଆଗକୁ ଦଳର ଭଲ ଭବିଷ୍ୟତ ରହିଥିବା ଶ୍ରଦ୍ଧାଞ୍ଜଳି କହିଛନ୍ତି।

ଜାତୀୟ ପ୍ରତିଯୋଗିତା ପରେ ଓଡ଼ିଶାର କିଛି ଖେଳାଳି ଓ ରେଳବାଇ, ସିକିମ୍‌ର କିଛି ଖେଳାଳିଙ୍କୁ ନେଇ ସନ୍ତୁଳିତ ରାଇଜିଂ ଦଳ ଗଠନ କରାଯାଇଥିଲା। ଏବେ ଟ୍ରଫି ଜିତିବା ପରେ କ୍ଲବ୍‌କୁ ଆଗକୁ ବଢିବାକୁ ହେଲେ ଏକାଡେମୀ ଭଳି ଯୋଜନାକୁ ଧ୍ୟାନରେ ରଖିବାକୁ ହେବ। ପ୍ରତ୍ୟେକ ଜିଲ୍ଲା ଓ କ୍ଲବ୍‌ ସ୍ତରରେ ପେସାଦାର ପ୍ରଶିକ୍ଷଣ ଦେଲେ ମହିଳା ଫୁଟ୍‌ବଲ୍‌ ଆହୁରି ଆଗକୁ ଯିବ ବୋଲି ସେ କହିଛନ୍ତି। ସେହିପରି ଦଳର ଅନ୍ୟତମ ସହକାରୀ ପ୍ରଶିକ୍ଷକ ତଥା ପ୍ରବନ୍ଧକ ଗୀତାଞ୍ଜଳି ଖୁଣ୍ଟିଆଙ୍କ ମତରେ, ଆଗକୁ ୧୬ ଓ ୧୭ ବର୍ଷରୁ କମ୍‌ ବୟସ ବର୍ଗର ଖେଳାଳିଙ୍କୁ ଏହିସ୍ତରର ପ୍ରତିଯୋଗିତା ପାଇଁ ତିଆରି କରିବା ଉପରେ କ୍ଲବ୍‌ ଉଦ୍ୟମ କରିବ ବୋଲି କହିଛନ୍ତି। ତଥାପି ମହିଳାମାନେ ସଫଳତା ପାଇଲାପରେ ସରକାର ଯଦି ତାଙ୍କୁ ପ୍ରୋତ୍ସାହିତ ନକରିବେ ତାହେଲେ ମହିଳା ଫୁଟବଲ୍‌ ଆଗକୁ ଯିବା କଷ୍ଟକର ହୋଇପଡ଼ିବ ବୋଲି ଗୀତାଞ୍ଜଳି କହିଛନ୍ତି। ଆଗକୁ ଦଳର ପ୍ରତ୍ୟେକ ଖେଳାଳିଙ୍କୁ ଉତ୍ସାହିତ କରିବାକୁ କ୍ଲବ୍‌ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ରାଇଜିଂ ଷ୍ଟୁଡେଣ୍ଟସ୍‌ କ୍ଲବ୍‌ର ବରିଷ୍ଠ କର୍ମକର୍ତ୍ତା ଅଭିଜିତ୍‌ ପାଲ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର