ଚେସ୍‌ ଅଲିମ୍ପିଆଡ୍‌ରେ ୬ ଓଡ଼ିଆ: ଅଲିମ୍ପିଆଡ୍‌ ମଶାଲ୍ ବୁଲିବ ଓଡ଼ିଶା

ଭୁବନେଶ୍ବର: ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଫିଡେ ଚେସ୍‌ ଅଲିମ୍ପିଆଡ୍‌ ଓଡ଼ିଶାର ଚେସ୍‌ ଦୁନିଆ ପାଇଁ ଅପୂର୍ବ ସୁଯୋଗ ଆଣି ଦେଇଛି। ଅନ୍ତର୍ଜାତୀୟ ମାଷ୍ଟର୍‌ ପଦ୍ମିନୀ ରାଉତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ସତ କିନ୍ତୁ ଅନ୍ୟ ୫ ଜଣ ଓଡ଼ିଆ ଚେସ୍‌ ଚେହେରା ମଧ୍ୟ ପ୍ରତ୍ୟେକ୍ଷ ଭାବେ ସମ୍ପୃକ୍ତ ହେବେ। ତାମିଲନାଡୁର ମହାବଳିପୁରମ୍‌ରେ ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡ୍‌ ଜୁଲାଇ ୨୮ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କେବଳ ଭାରତରେ ପ୍ରଥମ ଥର ନୁହେଁ ଏସିଆରେ ପାଖାପାଖି ୩୫ ବର୍ଷ ପରେ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଓଡ଼ିଶାରୁ ଖେଳାଳି ଭାବେ ବିଶ୍ବ ବୟସ ବର୍ଗ ବିଜେତା ଆଇଏମ୍‌ ପଦ୍ମିନୀ ରାଉତ ଅଂଶଗ୍ରହଣ କରିବେ। ତାଙ୍କ ବ୍ୟତୀତ ଅନ୍ତର୍ଜାତୀୟ ମାଷ୍ଟର୍‌ ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର୍‌ ଅପରାଜିତା ଗୋଚ୍ଛିକାର, ଫିଡେ ଆର୍ବିଟର୍‌ ରଂଜନ ମହାନ୍ତି ଆର୍ବିଟର୍‌ ଭାବେ ଏହି ପ୍ରତିଯୋଗିତା ପରିଚାଳନା କରିବେ। ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ)ର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର ଚେସ୍‌ ଅଲିମ୍ପିଆଡ୍‌ର ଏକ୍ସଟ୍ରା ଆକ୍ଟିଭିଟି କମିଟିର ସଦସ୍ୟ, ସମ୍ପାଦକ ଦେବବ୍ରତ ଭଟ୍ଟ ରି‌ଫ୍ରେସମେଣ୍ଟ୍‌ କମିଟି ସଦସ୍ୟ ମନୋନୀତ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଆର୍ବିଟର ଦାୟିତ୍ବ ସହିତ ରଂଜନ ମହାନ୍ତି ମର୍ଯ୍ୟାଦାଜନକ ଏକ୍ସପୋ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏଆଇସିଏଫ୍‌ର ଯୁଗ୍ମ ସମ୍ପାଦକ ତଥା ସ୍କୁଲ୍‌ ଇନ୍‌ ଚେସ୍‌ (ସିଆଇଏସ୍)ର ସଦସ୍ୟ ଶ୍ରୀ ମହାନ୍ତି ମଧ୍ୟ ଜଣେ ଆୟକର ଅଧିକାରୀ, ଫିଡେ ଇନ୍‌ଷ୍ଟ୍ରକ୍ଟର,‌ ଚେସ୍‌ ଖେଳାଳି ଏବଂ ଚେସ୍‌ ପ୍ରଶାସକ। ଏହି ପ୍ରତିଯୋଗିତା ଅବସରରେ ବିଭିନ୍ନ ଦେଶର ସ୍ବତନ୍ତ୍ର ପରିଚୟ ରଖୁଥିବା ଉତ୍ପାଦକୁ ନେଇ ଏକ ଏକ୍ସପୋ ଅନୁଷ୍ଠିତ ହେବ। ତାହାର ମୁଖ୍ୟ ତଥା ଅଧ୍ୟକ୍ଷ ଦାୟିତ୍ବ ଶ୍ରୀ ରଂଜନ ମହାନ୍ତିଙ୍କୁ ମିଳିଛି।

ଆଉ ଏକ ଉଲ୍ଲେଖନୀୟ କଥା ହେଉଛି ଏହି ପ୍ରତିଯୋଗିତା ଲାଗି ଦେଶସାରା ଏକ ମଶାଲ ଶୋଭାଯାତ୍ରା ମଧ୍ୟ ପରିକ୍ରମା କରିବ। ଯାହାକୁ ଚଳିତ ଜୁନ୍‌ ମାସ ୧୯ ତାରିଖରେ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଦେଶବ୍ୟାପୀ ପରିକ୍ରମା ଅବସରରେ ଓଡ଼ିଶାର ୩ ସହର ଭୁବନେଶ୍ବର, କଟକ ଓ ପୁରୀ ବୁଲିବ ବୋଲି ସୂଚନା ମିଳିଛି। ଜୁଲାଇ ୨୧ ତାରିଖରେ ଏହା ପୁରୀ ଜଗନ୍ନାଥ ମନ୍ଦିରରୁ ବାହାରି କୋଣାର୍କ ସୂର୍ଯ୍ୟମନ୍ଦିର, ଭୁବନେଶ୍ବର ଦେଇ କଟକ ଜିଲ୍ଲା ବାଙ୍କୀ ଯିବ ବୋଲି ପ୍ରାରମ୍ଭିକ ତାଲିକାରୁ ସୂଚନା ମିଳିଛି। ଜୁନ୍‌ ୧୯ରୁ ଆରମ୍ଭ‌ ହୋଇ ଏହା ୭୭ ସହର ପରିକ୍ରମା କରିବା ପରେ ଜୁଲାଇ ୨୮ରେ ଚେନ୍ନାଇରେ ଶେଷ ହେବ।

ସମ୍ବନ୍ଧିତ ଖବର