ଭାରତୀୟ ଦଳ ପ୍ରଶିକ୍ଷକ ଦୌଡ଼ରେ ରବିନ୍ ସିଂହ !

ମୁମ୍ବାଇ: ରବି ଶାସ୍ତ୍ରୀ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ବଜାୟ ରଖିବା ନିଶ୍ଚିତ ରହିଛି। କିନ୍ତୁ ପୂର୍ବତନ ଅଲରାଉଣ୍ଡର୍ ରବିନ୍ ସିଂହ ଏହି ପଦ ପାଇଁ ଆବେଦନ କରିଥିବା କଥା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ୨୦୦୭ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରବିନ୍ ସିଂହ ଭାରତୀୟ ଦଳର ବୋଲିଂ ପ୍ରଶିକ୍ଷକ ଥିଲେ। ଭାରତ ଏବେଠାରୁ ୨୦୨୩ ମସିହା ବିଶ୍ବକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବା ଉଚିତ୍ ବୋଲି ମଧ୍ୟ ୫୫ ବର୍ଷୀୟ ରବିନ୍ ସିଂହ ପ୍ରକାଶ କରିଛନ୍ତି। ବର୍ତମାନର ପ୍ରଶିକ୍ଷକଙ୍କ ଅଧିନରେ ଭାରତ ଲଗାତାର ଭାବେ ଦୁଇଟି ବିଶ୍ବକପ୍‌ର ସେମିଫାଇନାଲରେ ହାରିଛି। ବିଶ୍ବ ଟ୍ବେଣ୍ଟି-୨୦ ଚାମ୍ପିଅନସିପ୍‌ରେ ମଧ୍ୟ ସେମିଫାଇନାଲରୁ ବିଦାୟ ନେଇଥିଲା‌। ଏବେଠାରୁ ୨୦୨୩ ବିଶ୍ବକପ୍‌ ପାଇଁ ପ୍ରସ୍ତୁତି କରାଗଲେ ଦଳ ପାଇଁ ଭଲ ହୁଅନ୍ତା ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ବାମହାତୀ ବ୍ୟାଟସମ୍ୟାନ୍‌ ମଧ୍ୟ ଭାରତର ୧୯ ବ‌ର୍ଷରୁ କମ୍ ଏବଂ ଭାରତ ‘ଏ’ ଦଳର ପ୍ରଶିକ୍ଷକ ଦାୟିତ୍ବ ସମ୍ଭାଳି ସାରିଛନ୍ତି। ୪ ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ସହକାରୀ ପ୍ରଶିକ୍ଷକ ମଧ୍ୟ ରହି ଆସିଛନ୍ତି। ବାର୍ବାଡସ୍ ଟ୍ରାଇଡେଣ୍ଟ୍‌ ଦଳକୁ ମଧ୍ୟ ଟ୍ରଫି ବିଜେତା କରାଇଛନ୍ତି। ବିଶ୍ବକପ୍‌ ବିପର୍ଯ୍ୟୟ ସମ୍ପର୍କରେ ରବିନ୍ କହିଥିଲେ, ‘ସେମିଫାଇନାଲ୍‌ରେ ବଲ୍ ଘୁରୁଥିବାରୁ ରୋହିତ ଶର୍ମା ସଅଳ ଆଉଟ୍ ହୋଇଯିବା ପରେ କୋହଲି ୪ ନମ୍ବରରେ ଆସିବା ଠିକ୍ ହୋଇଥାନ୍ତା। ସେଭଳି ମ୍ୟାଚ୍‌ରେ ଶୀର୍ଷକ୍ରମରେ ମୟଙ୍କ ଅଗ୍ରୱାଲଙ୍କୁ ଖେଳାଯାଇ ପାରିଥାନ୍ତା ଏବଂ ଧୋନି ୫ ନମ୍ବରରେ ଆସିଥିଲେ ଭଲ ହୋଇଥାନ୍ତା। କୋହଲି ଏବଂ ଧୋନି ଏକାଠି ଖେଳିଥିଲେ ପରବର୍ତୀ ସମୟରେ ଆମେ ୩ ଜଣ ପାୱାର ହିଟର୍ ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ତ୍‌, ରବୀନ୍ଦ୍ର ଜାଦେଜାଙ୍କଠାରୁ ଫାଇଦା ନେଇପାରିଥାନ୍ତେ ବୋଲି ରବିନ୍ ଶେଷରେ କହିଥିଲେ।

ସମ୍ବନ୍ଧିତ ଖବର