ବିଶାଖାପାଟଣା ଟେଷ୍ଟ୍‌, ପୁଣି ରୋହିତ ରାଜୁତି, ଭାରତର ଛକା କୀର୍ତ୍ତିମାନ

୩୨୩/୪ରେ ଭାରତର ପାଳି ଘୋଷଣା, ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍ ଲକ୍ଷ୍ୟ

ବିଶାଖାପାଟଣା: ବର୍ଷା ପ୍ରଭାବିତ ବିଶାଖାପାଟଣା ଟେଷ୍ଟ୍‌ ରୋମାଞ୍ଚକର ମୋଡ଼ରେ ରହିଛି। ପ୍ରଥମ ପାଳିର ଦୁଇଟି ଶତକ ବଳରେ ଦକ୍ଷିଣ ଆଫ୍ରିକା ଉତ୍ଥାନ ପତନ ଭରା ଏହି ମ୍ୟାଚ୍‌ର ତୃତୀୟ ଦିନ ସମ୍ମାନକୁ ହାତେଇ ନେଇଥିଲା। ଚତୁର୍ଥ ଦିନରେ ଭାରତ କିନ୍ତୁ ସଫଳ ପ୍ରତ୍ୟାବର୍ତନ କରିଛି। ରୋହିତ ଶର୍ମା (୧୭୬, ୧୨୭)ଙ୍କ ଯୁଗଳ ଶତକ ପାଇଁ ହିଁ ଭାରତ ଏହି ମ୍ୟାଚ୍‌କୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ନେଇଛି। ଭାରତ ୫୦୨/୭ରେ ପ୍ରଥମ ପାଳି ଘୋଷଣା କରିବା ପରେ ଡିନ୍ ଏଲଗାର ଏବଂ କ୍ବିଣ୍ଟନ୍ ଡି’ କକ୍‌ଙ୍କ ଶତକୀୟ ପାଳି ସହାୟତାରେ ୪୩୧ ରନ୍ କରି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଏହାର ଦୃଢ଼ ଜବାବ ରଖିଥିଲା। ହେଲେ ରୋହିତଙ୍କ ସାନି ଚମକ ସହ ଚେତେଶ୍ବର ପୂଜାରାଙ୍କ ଅର୍ଧଶତକୀୟ ପାଳିକୁ ଅଧାର କରି ଭାରତ ଏବେ ଆହୁରି ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ପାଳିରେ ୭୧ ରନ୍‌ରେ ଆଗୁଆ ଥିବା ଭାରତ ୩୨୩/୪ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୩୯୫ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରୋହିତ ତାଙ୍କ ଛକା ଭରା ପାଳି ପାଇଁ ଏକାଧିକ ବିରଳ କୀର୍ତ୍ତିମାନ କରିଥିଲା ବେଳେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ମଧ୍ୟ ମୁଥିୟା ମୁରଲୀଧରନଙ୍କ ଦ୍ରୁତତମ ୩୫୦ ୱିକେଟ୍ କୀର୍ତ୍ତିମାନଠାରୁ ମାତ୍ର ଗୋଟିଏ ୱିକେଟ୍ ପଛରେ ଅଛନ୍ତି। ଶନିବାର ୨୭ତମ ଥର ପାଇଁ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିବା ଅଶ୍ବିନ ରବିବାର ଦକ୍ଷିଣ ଆଫ୍ରିକାର ବଳକା ଦୁଇ ୱିକେଟ୍ ପୋଛି ନେଇଥିଲେ। ସେପଟେ ରୋହିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ପଦାର୍ପଣ କରି ଉଭୟ ପାଳିରେ ଶତକ ଅର୍ଜନରେ ପ୍ରଥମ ଖେଳାଳି ହୋଇଛନ୍ତି।

ଦକ୍ଷିଣ ଆଫ୍ରିକା ଦ୍ବିତୀୟ ପାଳିରେ ଭଲ ଆରମ୍ଭ କରି ପାରିନାହିଁ। ଶନିବାର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଏଲଗାରଙ୍କ ୱିକେଟ୍ ହରାଇ ମାତ୍ର ୧୧ ରନ୍ କରିଛି। ପ୍ରଥମ ପାଳିର ଶତକ ହାସଲକାରୀ ଏଲଗାରଙ୍କୁ ରବୀନ୍ଦ୍ର ଜା‌ଜେଦା ଶିକାର କରିଛନ୍ତି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଏଦେନ ମର୍କରାମ ୩ ଏବଂ ଥିୟୁନିଅସ୍ ଡି’ ବ୍ରୁଇନ୍ ୫ ରନ୍ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକା ହାତରେ ଆଉ ୯ ୱିକେଟ୍ ଥିଲା ବେଳେ ବିଜୟ ପାଇଁ ଏହି ଦଳକୁ ଆଉ ୩୮୪ ରନ୍‌ର ଦରକାର ଅଛି। ଏଣୁ ରବିବାର ପଞ୍ଚମ ତଥା ଶେଷ ଦିନର ଖେଳ ଉଭୟ ଦଳ ପାଇଁ ଢେର ଗୁରୁତ୍ବପୂର୍ଣ୍ଣ ହେବାକୁ ଯା‌ଉଛି। ତେବେ ପଞ୍ଚମ ଦିନର ପିଚ୍ ପାଇଁ ଭାରତ ପଲ୍ଲା ଯଥେଷ୍ଟ ଭାରି ରହିଛି।

ପୂଜାରାଙ୍କ ପ୍ରତୀକ୍ଷିତ ଅର୍ଧଶତକ
ଦକ୍ଷିଣ ଆଫ୍ରିକା ଆଜି ଭାରତର ପ୍ରଥମ ପାଳି ସ୍କୋର ୫୦୨/୭ (ଘୋଷଣା)ଠାରୁ ୧୧୭ ରନ୍‌ ପଛରେ ଥାଇ ଖେଳ ଆରମ୍ଭ କରିଥିଲା। ଶେଷ ୱିକେଟ୍‌ରେ ୩୫ ରନ୍ ଯୋଡ଼ିବା ସହ ୪୩୧ ରନ୍‌ର ସମ୍ମାନ ଜନକ ସ୍କୋର ‌କରି ‌ନେଇଥିଲା ଏହି ଦଳ। ଏହା ପରେ ଭାରତର ଦ୍ବିତୀୟ ପାଳିରେ ମୟଙ୍କ ଅଗ୍ରୱାଲଙ୍କୁ ୭ ରନ୍‌ରେ ପ୍ୟାଭିଲିୟନ ଫେରାଇ ‌ଦେଇଥିଲା। ତା’ ସହ ଫର୍ମରେ ନଥିବା ପୂଜରାଙ୍କୁ ପ୍ରତିଟି ରନ୍ ପାଇଁ ସଂଘର୍ଷ କରିବାକୁ ବାଧ୍ୟ କରିଥିଲେ ଦକ୍ଷିଣ ଆଫ୍ରିକା ବୋଲର। ଏପରିକି ଏକଦା ପୂଜାରା ୬୧ ବଲ୍ ଖେଳି ମାତ୍ର ୮ ରନ୍ କରିଥିଲେ। ହେଲେ ଏହା ପରେ ଖେଳ ନାଟକୀୟ ମୋଡ଼ ନେଇଥିଲା। ପୂଜାରା ସାତଟି ବଲ୍ ଭିତରେ ଚାରିଟି ଚୌକା ମାରିବା ସହ ରୋହିତ ଖୋଲା ସଟ୍‌ ଖେଳିବା ଆରମ୍ଭ କରି ଦେଇଥିଲେ। ଉଭୟ ଦ୍ବିତୀୟ ୱିକେଟ୍‌ରେ ୧୬୯ ରନ୍ ଯୋଡ଼ିଥିଲେ। ପୂଜାରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇ ଟେଷ୍ଟ୍‌ ସହ ବିଶାଖାପାଟଣା ଟେଷ୍ଟ୍‌ର ପ୍ରଥମ ପାଳିରେ ବିଫଳ ହେବା ପରେ ନିଜ ୨୧ତମ ଅର୍ଧଶତକ ପୂରଣ କରିଥିଲେ। ହେ‌ଲେ ଶତକ ପୂରଣର ୧୯ ରନ୍ ପୂର୍ବରୁ ଏକାଗ୍ରତା ହରାଇ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଭର୍ନାନ ଫିଲାଣ୍ଡରଙ୍କ ଇନ୍ ସୁଇଂ ବଲ୍ ସିଧା ଯାଇ ପ୍ୟାଡ୍‌ରେ ବାଜିବା ପରେ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ। ଦ୍ବନ୍ଦ୍ବରେ ଥିବା ପୂଜାରା ରିଭ୍ୟୁ ନେଇଥିଲେ। ତଥାପି ଏଥିରେ ରକ୍ଷା ପାଇ ନଥିଲେ। ସେପଟେ ରୋହିତ ତାଙ୍କ ପ୍ରତିଆକ୍ରମଣ ଜାରି ରଖିଥିଲେ। ଡେନ୍ ପିଦ୍‌ଙ୍କ ଗୋଟିଏ ଓଭରରେ ଲଗାତାର ତିନିଟି ଛକା ମାରିବା ସହ ଗୋଟିଏ ଟେଷ୍ଟ୍‌ରେ ସର୍ବାଧିକ ଛକା ମାରିବାରେ ପାକିସ୍ତାନର ୱାସିମ ଆକ୍ରମଙ୍କୁ ଟପି ଯାଇଥିଲେ ରୋହିତ। ଏହା ପୂର୍ବରୁ ସେ ୧୩୩ ବଲ୍‌ରୁ ନିଜ ପଞ୍ଚମ ଏବଂ ମ୍ୟାଚ୍‌ର ଦ୍ବିତୀୟ ଶତକ ପୂରଣ କରି ନେଇଥିଲେ। ୧୨୭ ରନ୍ ପାଳିରେ ୭ ଛକା ମାରିଥିବା ରୋହିତ କେଶବ ମହାରାଜଙ୍କୁ ଆଉ ଏକ ଛକା ମାରିବା ପ୍ରୟାସରେ ଲଗାତାର ଦ୍ବିତୀୟ ଥର ପାଇଁ ଡି’ କକ୍‌ଙ୍କ ଦ୍ବାରା ଷ୍ଟମ୍ପିଂ ହୋଇଥିଲେ। ପୂଜାରାଙ୍କ ଆଉଟ୍ ପରେ ରନ୍ ହାର ବଢ଼ାଇବା ଲାଗି ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ପଠାଇଥିଲେ। ଜାଦେଜା ୩୨ ବଲ୍‌ରୁ ୩ ଛକା ସହାୟତାରେ ୪୦ ରନ୍ କରି ତାଙ୍କୁ ଦିଆଯାଇଥିବା ଦାୟିତ୍ବକୁ ଠିକ୍ ଭାବେ ତୁଲାଇଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି (୩୧*) ଏବଂ ଉପଅଧିନାୟକ ଅଜିଙ୍କ୍ୟ ରାହାଣେ (୨୭*) ଅସମାପ୍ତ ପଞ୍ଚମ ୱିକେଟ୍‌ରେ ୨୫ ବଲ୍‌ରୁ ୩୭ ରନ୍ ଯୋଡ଼ିବା ପରେ ପାଳି ଘୋଷଣା କରିଥିଲେ।

ଭାରତର ଛକା କୀର୍ତ୍ତିମାନ
ଭାରତୀୟ କ୍ରିକେଟ୍ ଦଳ ବିଶାଖାପାଟଣାରେ ମୋଟ ୨୭ ଛକା ମାରିଛି। ସେଥିମଧ୍ୟରେ ରହିଛି ରୋହିତ ଶର୍ମାଙ୍କ ୧୩ (୬+୭), ମୟଙ୍କ ଅଗ୍ରୱାଲଙ୍କ ୬, ରବୀନ୍ଦ୍ର ଜାଦେଜାଙ୍କ ୪ (୧+୩), ଚେତେଶ୍ବର ପୂଜାରାଙ୍କ ୨ (୦+୨), ବିରାଟ କୋହଲିଙ୍କ ୧ (୦+୧) ଏବଂ ଅଜିଙ୍କ ରାହାଣେଙ୍କ ୧ (୦+୧) ଛକା। ଟେଷ୍ଟ୍‌ କ୍ରିକେଟ୍ ଇତିହାସରେ ‌କୌଣସି ଦଳ ମାରିଥିବା ଛକା ସଂଖ୍ୟାରେ ଏହା ସର୍ବାଧିକ। ଭାରତ ଏହି କ୍ରମରେ ନ୍ୟୁଜିଲାଣ୍ଡକୁ ଟପିଛି। ନ୍ୟୁଜିଲାଣ୍ଡ ୨୦୧୪ରେ ପାକିସ୍ତାନ ବିପକ୍ଷ ଟେଷ୍ଟ୍‌ରେ ପୂର୍ବ ସର୍ବାଧିକ ୨୨ ଛକା ମାରିଥିଲା। ଭାରତ ଏହା ପୂର୍ବରୁ ମୁମ୍ବାଇଠାରେ ଶ୍ରୀଲଙ୍କା ବିପକ୍ଷରେ ୧୫ ଛକା ମାରିଥିଲା। ୨୦୦୯ର ଏହି ସଫଳତା ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଭାରତର ଗୋଟିଏ ଟେଷ୍ଟରେ ସର୍ବାଧିକ ସଂଖ୍ୟକ ଦଳଗତ ଛକା ଥିଲା। ରୋହିତ କରିଥିବା ମୋଟ ୩୦୩ ରନ୍ ମଧ୍ୟ କୌଣସି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ନିଜ ପ୍ରଥମ ଟେଷ୍ଟରେ କରିଥିବା ରନ୍‌ରେ ସର୍ବାଧିକ। ଏହି କୀର୍ତ୍ତିମାନ ପୂର୍ବରୁ ଶ୍ରୀଲଙ୍କାର ତିଲକରତ୍ନେ ଦିଲସାନଙ୍କ ନାଁରେ ଥିଲା। ଦିଲସାନ ୨୦୦୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୧୫ ରନ୍ କରିଥିଲେ। ପାଳି ଆରମ୍ଭ କରି ସେ ପ୍ରଥମରେ ୯୨ ଏବଂ ଦ୍ବିତୀୟରେ ୧୨୩* ରନ୍ କରିଥିଲେ। ରୋହିତ ମଧ୍ୟ କୌଣସି ଟେଷ୍ଟର ଉଭୟ ପାଳିରେ ଷ୍ଟମ୍ପିଂ ହେବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ମୋଟ ଉପରେ ଟେଷ୍ଟ୍‌ କ୍ରିକେଟ୍‌ରେ ଏଭଳି ଘଟଣା ଦ୍ବିତୀୟ ଥର ପାଇଁ ଘଟିଛି। ଏହି ମ୍ୟାଚ୍ ପୂର୍ବରୁ ରୋହିତ ନିଜ ପ୍ରଥମ ଶ୍ରେଣୀ କ୍ରି‌କେଟ୍ ଜୀବନରେ କେବ ବି ଷ୍ଟମ୍ପିଂ ହୋଇ ନଥିଲେ।

ସମ୍ବନ୍ଧିତ ଖବର