ରୋହିତ ସର୍ବଦା ପ୍ରଭାବଶାଳୀ ପ୍ରୟାସ କରିଥାନ୍ତି

ଭିଭିଏସ୍ ଲକ୍ଷ୍ମଣ

ଭାରତ ନିଜର ବିଶ୍ବକପ୍‌ ଅଭିଯାନକୁ ପେସାଦାର ଢଙ୍ଗରେ ଆରମ୍ଭ କରିଛି। ଏକ କଷ୍ଟକର ପିଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ହାସଲ କରିବା ବାଟରେ ଅନେକ ପ୍ରମୁଖ ପାର୍ଶ୍ବକୁ ବି ଛୁଇଁଯାଇଛି। ପ୍ରଥମ ଦୁଇ ମ୍ୟାଚ୍‌ ହାରିଯିବା ପରେ ଦକ୍ଷିଣ ଆଫ୍ରିକାର ମନୋବଳ ନିମ୍ନଗାମୀ ରହିଥିଲା। ଲୁଙ୍ଗି ଏନଗିଡି ଏବଂ ଡେଲ୍ ଷ୍ଟେନ୍‌ଙ୍କ ଆହତ ସମସ୍ୟା ବି ଦଳକୁ ପଙ୍ଗୁ କରି ଦେଇଥିଲା। ଭାରତ ଭଲରେ ଆରମ୍ଭ କରି ଏହି ଦଳକୁ ଅଧିକ ଦଳି ଦେଇଛି। ସୁହାଳିଆ ପରିବେଶରେ ଯଶପ୍ରୀତ୍ ବୁମରା ବି ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ଦୃଷ୍ଟିକୋଣରୁ ଦେଖିଲେ ଏହି ଦଳ ପ୍ରାରମ୍ଭିକ ବାର୍ତା ପ୍ରେରଣ କରିଛି। ସାମ୍ପ୍ରତିକ ସମୟରେ ଦେଉଥିବା ପ୍ରଦର୍ଶନ ଭଳି ବୁମରା ମଧ୍ୟ ଏହାକୁ ଅଭ୍ୟାସରେ ପରିଣତ କରି‌‌ ଦେଇଛନ୍ତି। ପ୍ରଥମ ସ୍ପେଲରେ ସେ ହାସିମ୍ ଆମଲା ଏବଂ କ୍ବିଣ୍ଟନ୍ ଡି’କକ୍‌ଙ୍କ ୱିକେଟ୍‌ ଦଖଲ କରିଥିଲେ।

ଭାରତ ପାଇଁ ମଧ୍ୟ ଦୁଇ ଜଣଯାକ କଚଟି ସ୍ପିନର୍ ମଧ୍ୟକ୍ରମରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ବିଶେଷ କରି ୟୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରିଥିଲେ। ତାଙ୍କ ବଲ୍‌ ପ୍ରବାହିତ ହେବା ସହିତ ‌ମୋଡ ବି ନେଉଥିଲା। ଭାରତର ବିଗତ କିଛି ବର୍ଷର ସଫଳତା ପଛରେ ୟୁଜବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବଙ୍କ ମଧ୍ୟକ୍ରମ ବୋଲିଂ କୃତିତ୍ବ ମୁଖ୍ୟ କଥା ହୋଇଛି। ଉଭୟ ବୁଧବାର ମିଳିତ ଭାବେ ୨୦ ଓଭରରେ ୫ ୱିକେଟ୍ ନେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକାକୁ ନିଶ୍ବାସ‌ ନେବାକୁ ସମୟ ମିଳିନଥିଲା। ନିମ୍ନକ୍ରମରେ ଦକ୍ଷିଣ ଆଫ୍ରିକା ଲଢ଼ିଥିଲେ ମଧ୍ୟ ସାଉଥମ୍ପଟନ୍ ଚଟାଣ ତୁଳନାରେ ଏହି ଦଳ ୩୦/୪୦ ରନ୍ ପଛରେ ରହିଯାଇଥିଲା। ଭାରତକୁ ଅଲଆଉଟ୍ କରି ଜିତିବା ଦକ୍ଷିଣ ଆଫ୍ରିକା ପାଇଁ ଏକମାତ୍ର ବିକଳ୍ପ ଥିଲା। ବୁମରାଙ୍କ ସମକକ୍ଷ ପ୍ରଦର୍ଶନ କରୁଥିବା କାଗିସୋ ରବାଦାଙ୍କ ପ୍ରୟାସ କିନ୍ତୁ ସୀମିତ ରହିଯାଇଥିଲା।

ଭାରତ ଭାଗ୍ୟବଶତଃ ରୋହିତ ଶର୍ମାଙ୍କ ଲଢ଼ୁଆ ଶତକ ବଳରେ ବଳିୟାନ୍ ହୋଇଥିଲା। ପ୍ରଥମରୁ ଅଡୁଆରେ ପଡିଥିଲେ ମଧ୍ୟ ଭଲ ଲଢ଼ିଥିଲେ। ବେଶ୍‌ ଧୈର୍ଯ୍ୟ ଦେଖାଇ ସେ ପ୍ରତୀକ୍ଷିତ ଶତକ ଲାଗି ସମୟ ବି ନେଇଥିଲେ। ଭାରତର ସଫଳ ପଶ୍ଚାତଧାବନରେ ଏହା ମେରୁଦଣ୍ଡ ଭଳି ଛିଡ଼ା ହୋଇଥିଲା। ରୋହିତ ଏମିତି ଜଣେ ‌ଖେଳାଳି ଯିଏ ନିଜଜୁ ପ୍ରତିପକ୍ଷ ବୋଲିଂ ଆକ୍ରମଣ ଆଗରେ ପ୍ରଭାବଶାଳୀ ସାବ୍ୟସ୍ତ କରିଥାନ୍ତି। ବୁଧବାର କିନ୍ତୁ ସେ ପରିସ୍ଥିତି ଅନୁସାରେ ଖେଳିଥିଲେ ଯାହାକି ଭାରତ ପାଇଁ ସ୍ବାଗତଯୋଗ୍ୟ ଉତ୍ସାହ ଆଣି ଦେଇଛି। ଦୁଇଟି ଦିଗକୁ ଛାଡ଼ିଦେଲେ ଭାରତ ଏହି ମ୍ୟାଚ୍‌ରେ ଭଲ କରିଥିଲା। କେଦାର ଯାଦବ ମାତ୍ର ୪ ଓଭର ଖେଳି ପାରିଥିଲେ। କିନ୍ତୁ ବିରାଟ କୋହଲି, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି ଏବଂ ହାର୍ଦିକ ପାଣ୍ଡ୍ୟା ବ୍ୟାଟିଂ କ୍ରିଜ୍‌ରେ ଢେର ସମୟ ବିତାଇଥିଲେ। ଏଭଳି ଏକ କଷ୍ଟସାଧ୍ୟ ବିଜୟ ସହିତ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାଠାରୁ ଅଧିକ କିଛି ସନ୍ତୋଷଜନକ କଥା ନଥାଇ ପାରେ। ଭାରତ ନିଶ୍ଚିତ ପରବର୍ତୀ ପରୀକ୍ଷାଗୁଡ଼ିକରେ ଉନ୍ନତ ଦକ୍ଷତା ଓ ଚରିତ୍ର ଦେଖାଇବ‌ ବୋଲି ଆଶା।

ସମ୍ବନ୍ଧିତ ଖବର