‘ବାଣୀଚିତ୍ର’ର ୫୧ତମ ବାର୍ଷିକ ଉତ୍ସବ, ଶ୍ରୀନିବାସ ମହାପାତ୍ରଙ୍କୁ ଜୀବନବ୍ୟାପୀ ସମ୍ମାନ

ଭୁବନେଶ୍ବର: କଳାକାରଙ୍କୁ ପ୍ରୋତ୍ସାହିତ କରିବା ସହ କଳାକାରଙ୍କ ଜରିଆରେ ଦର୍ଶକଙ୍କୁ ମନୋରଂଜନ କରିଛି କଳା, ସଂସ୍କୃତି ଓ ଚଳଚ୍ଚିତ୍ର ପତ୍ରିକା ‘ବାଣୀଚିତ୍ର’ର ୫୧ତମ ବାର୍ଷିକ ଉତ୍ସବ। ଆଜି ରବୀନ୍ଦ୍ର ମଣ୍ଡପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ବହୁ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ରରେ କ୍ୟାମେରାମ୍ୟାନ୍‌ ଭାବେ ଦାୟିତ୍ବ ତୁଲାଇଥିବା ଶ୍ରୀନିବାସ ମହାପାତ୍ରଙ୍କୁ ଜୀବନବ୍ୟାପୀ ସମ୍ମାନ ପ୍ରଦାନ କରାଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର ଏବଂ ନାଲ୍‌କୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରୟ ଚାନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ଅଭିନେତା ଅଶ୍ରୁମୋଚନ, ସଂଳାପକାର ଡ.ରଜନୀ ରଂଜନ, ହାସ୍ୟ ଅଭିନେତା ସୁଶୀଲ ମିଶ୍ର, ମଞ୍ଚ ଅଭିନେତା ସୂର୍ଯ୍ୟନାରାୟଣ ଦାଶ, କବି ବିଜୟଲକ୍ଷ୍ମୀ ସାହୁ, ଲେଖିକା ଶାରଦା ରଥ, ଯାତ୍ରା ଅଭିନେତା ସୁରେଶ ପଣ୍ଡା ଏବଂ ଅଭିନେତ୍ରୀ ସ୍ବପ୍ନା ପତିଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିସହ ଜୀବନର ଚଲାପଥେ ଚଳଚ୍ଚିତ୍ରର ପ୍ରଯୋଜନା ପାଇଁ ଅଦିତି ଦାସ ଓ ବର୍ଷା ଭାବନା ଖଟୁଆ, ‘ଦିୱାନା ହେଲି ତୋରି ପାଇଁ’ ଚଳଚ୍ଚିତ୍ର ପାଇଁ ପ୍ରଯୋଜକ ଅଶୋକ ଦାସ ଓ ଏହାର ନିର୍ଦେଶକ ଶ୍ରୀତମ ଦାସଙ୍କୁ ଲୋକପ୍ରିୟ ନିର୍ଦେଶକ, ଶ୍ରେଷ୍ଠ ନାୟକ ଭାବେ ସବ୍ୟସାଚୀ ମିଶ୍ର, ଶ୍ରେଷ୍ଠ ନାୟିକା ଭାବେ ଦେବଯାନୀ ଦେଘୁରିଆଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ସୌମ୍ୟକାନ୍ତ ଖଣ୍ଡେଇଙ୍କୁ ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ସଂଳାପକାର ଭାବେ ନିରଂଜନ ରେଡ୍ଡୀ, ଶ୍ରେଷ୍ଠ ନିର୍ଦେଶକ ଓ ଚିତ୍ରନାଟ୍ୟକାର ଭାବେ ଦିଲ୍ଲୀପ ମହାନ୍ତି, ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ (ପୁରୁ‌ଷ)ଶ୍ରୀଚରଣ ମହାନ୍ତି, କଣ୍ଠଶିଳ୍ପୀ(ମହିଳା) ଦୀପ୍ତିରେଖା ପାଢ଼ୀ, ଗୀତିକାର ଭାବେ ସୁବାସ ଚନ୍ଦ୍ର ବେହେରା, ରାକେଶ ଦେଓ ଶ୍ରେଷ୍ଠ ନାୟକ(ଜୁରି), ସୂର୍ଯ୍ୟମୟୀ ମହାପାତ୍ର ଶ୍ରେଷ୍ଠ ନାୟିକା (ଜୁରି), ଚରିତ୍ର ଅଭିନେତା ସୌମ୍ୟକାନ୍ତ ଖଣ୍ଢେଇ, ଚରିତ୍ର ଅଭିନେତ୍ରୀ ଭାବେ ଉଷସୀ ମିଶ୍ର, ଖଳନାୟକ ଭାବେ ବବି ମିଶ୍ର, ହାସ୍ୟ ଅଭିନେତା ପ୍ରଜ୍ଞାରଂଜନ ଖଟୁଆ, ସହ ନାୟକ ଶୁଭାଶିଷ ନାଥଶର୍ମା, ସହ ନାୟିକା ଅନୀଷା ମହାକୁଡ଼, ନିରଂଜନ ଦାଶଙ୍କୁ ଶ୍ରେଷ୍ଠ କ୍ୟାମେରାମ୍ୟାନ୍‌ ଭାବେ ସମ୍ମାନିତ କରାଯାଇଥିବା ବେଳେ ମୋଟ୍‌ ୪୭ଜଣଙ୍କୁ ପୁରସ୍କୃତ କରାଯାଇଥିଲା। ‘ବାଣୀଚିତ୍ର’ ପତ୍ରିକାର ମୁଖ୍ୟ ସମ୍ପାଦକ ପରୀକ୍ଷିତ ଜେନା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଭାସ୍କର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ବାଣୀଚିତ୍ର’ ସ୍ବତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ମନ୍ମଥ ମିଶ୍ର, ଚିନୁ, ବିଶ୍ବ ସ୍ବରୂପ ସଂଗୀତ ପରିବେଷଣ କରିଥିଲେ। ଡି ଷ୍ଟାଇଲୋ ଓ ନୃତ୍ୟ ବିଳାସ ଅନୁଷ୍ଠାନର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ଶୁଭ ଇଭେଣ୍ଟ୍‌ର ମୁଖ୍ୟ ପରିଚାଳକ ବିକ୍ରମାଦିତ୍ୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେ.ପି ଓ ଗୁଡ୍ଡି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର