ମୁମ୍ବାଇ: ନିଜକୁ ଉପେକ୍ଷିତ ଅନୁଭବ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ପୁଲ୍ ସଟ୍ ଖେଳିଛନ୍ତି। ସିଧା କହିବାକୁ ଗଲେ ଆଇସିସିକୁ ପଡ଼ିଆ ବାହାରକୁ ପଠାଇବାର ପ୍ରୟାସ କରି ପରୋକ୍ଷ ସମାଲୋଚନା କରିଛନ୍ତି। ସୋମବାର ଆଇସିସି ୪ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ସମ୍ମିଳିତ ଫଟୋକୁ ଟ୍ବିଟ୍ କରି ‘କିଏ ଶ୍ରେଷ୍ଠ ପୁଲ୍ ସଟ୍ ଖେଳନ୍ତି, ମତାମତ ଦିଅନ୍ତୁ’ ବୋଲି ଆହ୍ବାନ କରିଥିଲା। ଏହି ଫଟୋରେ ଥିଲେ ୱେଷ୍ଟ୍ଇଣ୍ଡିଜ୍ କିଂବଦନ୍ତି ସାର୍ ଭିଭିଆନ୍ ରିଚାର୍ଡସ, ଅଷ୍ଟ୍ରେଲୀୟ ମହାନ ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ହରସେଲ୍ ଗିବ୍ସ ଏବଂ ଭାରତୀୟ ଦଳର ବର୍ତମାନର ଅଧିନାୟକ ବିରାଟ କୋହଲି। ଏହି ତାଲିକାରେ ସମ୍ଭବତଃ ନିଜକୁ ନ ଦେଖି ରୋହିତ ଶର୍ମା ବିସ୍ମିତ ହୋଇଥିଲେ। ବିଶ୍ବର ଏକମାତ୍ର ଖେଳାଳିଭାବେ ଦିନିକିଆରେ ୩ ଦ୍ବିଶତକ ହାସଲ କରିଥିବା ରୋହିତ ଟ୍ବିଟ୍ କରି କେବଳ ଏତିକି ଲେଖିଥିଲେ ‘କେହି ଜଣେ ଏହି ତାଲିକାରେ ନାହାନ୍ତି, ମୁଁ ଭାବୁଛି ଘରେ ରହି କାମ କରିବା ଏତେ ସହଜ ନୁହେଁ’। ପ୍ରଶଂସକମାନେ ରୋହିତଙ୍କ ମତ ସହିତ ଏକମତ ଥିବା ଦେଖିବାକୁ ମିଳିଛି। କାରଣ ପୁଲ୍ ସଟ୍ ଖେଳିବାରେ ରୋହିତ ବେଶ ମାହିର ବୋଲି ସମସ୍ତେ ଭଲ ଭାବେ ଜାଣିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପରେ ରୋହିତ ସମ୍ପ୍ରତି ଭୟଙ୍କର ସ୍ଥିତି ଆଣିଥିବା କରୋନା ମହାମାରୀକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ବିଶ୍ବବ୍ୟାପୀ ଆହୂତ ଗୃହାବଦ୍ଧର ସକରାତ୍ମକ ଦିଗ ଉପରେ ନଜର ପକାଇବାକୁ କହିଥିଲେ। ଜଳବାୟୁ ପରିବର୍ତନ ଉପରେ ଏହାର ପ୍ରଭାବ ପଡ଼ୁଥିବା ଦର୍ଶାଇଥିଲେ। ଜୀବନଶୈଳୀ ପରିବର୍ତ୍ତନ ବି ବଡ଼ ପରିବର୍ତ୍ତନ ଆଣିପାରିବ ବୋଲି ବୁଝାଇଥିଲେ। ‘ଆମେ ଏକ ଚରମ ଅସୁବିଧା ଓ ବିପଜ୍ଜନକ ସମୟ ଦେଇ ଗତି କରୁଛେ। ପୃଥ୍ବୀ ମା’ ଆମକୁ ଦେଖାଇ ଦେଇଛି ଆମେ ସବୁକିଛି ବଦଳାଇ ଦେଇ ପାରିବା ଏବଂ ତାକୁ ମିଳୁଥିବା ଯନ୍ତ୍ରଣାରୁ ମୁକ୍ତି ଦେଇପାରିବା। କାଳ ବିଳମ୍ବ କଲେ ଚଳିବ ନାହିଁ, ଏକାଠି ଲଢ଼ିବାକୁ ହେବ’’ ବୋଲି ସେ ପ୍ରକାଶ କରିଥିଲେ। କରୋନା କାରଣରୁ ବିଶ୍ବବ୍ୟାପୀ ମୃତ୍ୟୁ ସଂଖ୍ୟା ପ୍ରାୟ ୧୫,୦୦୦ ହୋଇଥିବା ବେଳେ ଏଥି ପାଇଁ ବହୁ କଠୋର ପଦକ୍ଷେପ ନେବାକୁ ପଡ଼ିଛି। ରୋହିତ କହିଛନ୍ତି ‘ଭାରତ ପାଇଁ ଏହା ପରୀକ୍ଷାର ବେଳ। ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ହ୍ରାସ ପାଇଛି। ଭେନିସ୍ କୂଳରେ ଡଲଫିନ୍ ଖେଳିଲେଣି, ଘୁଷୁରି ଗଳିକନ୍ଦିରେ ଘୁରିଲେଣି, ରୋମରେ ହଂସ ବୁଲିଲେଣି, ତେଣୁ ବିଶ୍ବବ୍ୟାପୀ ପ୍ରଦ୍ୟୁଷଣ ମାତ୍ରା କମିଗଲାଣି’। ‘‘ଏଭଳି ଭାବେ ବିଶ୍ବକୁ ଆମେ ସୁରକ୍ଷିତ କରିବାର ବେଳ ଆସିଛି’’ ବୋଲି ରୋହିତ ଶେଷରେ ପ୍ରକାଶ କରିଥିଲେ।