ଭାରତଠୁ ବିଶ୍ବକପ୍ ଛଡ଼ାଇ ନେଇଥିବା ବ୍ୟାଟ୍‌କୁ ଟ୍ବିଟର୍‌ରେ ଛାଡ଼ିଲେ ପଣ୍ଟି˚

ସିଡ୍‌ନି: ୨୦୧୧ ମସିହାରେ ଭାରତ ଯଦିଓ ଦ୍ବିତୀୟ ବିଶ୍ବକପ୍‌ ଟ୍ରଫି ହାସଲ କରିଥିଲା ଏବ˚ ପ୍ରଶ˚ସକଙ୍କ ପାଇଁ ଏହା ସବୁବେଳେ ଆନନ୍ଦ ଓ ସ୍ମରଣୀୟ ମୁହୂର୍ତ୍ତ ରହିବ। ୨୦୦୩ ବିଶ୍ବକପ୍‌ ଫାଇନାଲ୍‌ ପରାଜୟ କିନ୍ତୁ ସବୁ ଭାରତୀୟ କ୍ରିକେଟ୍‌ପ୍ରେମୀ ପାଇଁ ସବୁବେଳେ ଦୁଃଖଦ ଘଟଣା ଭାବେ ମନେ ରହିବ। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ୨୦୦୩ ବିଶ୍ବକପ୍‌ରେ ଅନ୍ୟତମ ଶକ୍ତିଶାଳୀ ଦଳ ଭାବେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଫାଇନାଲରେ ପ୍ରବେଶ କରିଥିଲା। ହେଲେ ସେଠାରେ ଅଷ୍ଟ୍ରେଲିଆ ନିକଟରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିଲା। ୨୦୦୩ ମସିହା ମାର୍ଚ୍ଚ ୨୩ ତାରିଖରେ ଜୋହାନନ୍ସବର୍ଗର ୱାଣ୍ଡରର୍ସ ଷ୍ଟାଡିୟମରେ ଖେଳା ଯାଇଥିବା ବହୁ ପ୍ରତୀକ୍ଷିତ ଫାଇନାଲ୍‌ରେ ଭାରତୀୟ ଦଳ ପୂର୍ବଥରର ବିଜେତା ଅଷ୍ଟ୍ରେଲିଆକୁ ଭେଟିଥିଲା। ହେଲେ ମ୍ୟାଚ୍‌ର ପ୍ରଥମ ବଲ୍‌ରୁ ହିଁ ଖେଳର ଚିତ୍ର ସ୍ପଷ୍ଟ ହୋଇଯାଇଥିଲା। ପ୍ରଥମେ ଆଦାମ ଗିଲଖ୍ରୀଷ୍ଟ ଭାରତୀୟ ବୋଲରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଦେଇଥିବା ବେଳେ ପରେ ଅଧିନାୟକ ରିକି ପଣ୍ଟି˚ ଏହି ଧାରା ଜାରି ରଖିଥିଲେ।

ଆଧୁନିକ କ୍ରିକେଟ୍‌ର ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଥିବା ପଣ୍ଟି˚ ଯେଉଁଭଳି ଭାବେ ବ୍ୟାଟି˚ କରିଥିଲେ, ଭାରତ ସେହି ମ୍ୟାଚ୍ ହାରିବାର ତାହା ପ୍ରମୁଖ କାରଣ ଥିଲା। ମ୍ୟାଚ୍‌ରେ ପଣ୍ଟିଂ ୧୨୧ ବଲ୍‌ରୁ ୧୪୦* ରନ୍‌ ସ˚ଗ୍ରହ କରିଥିଲା ବେଳେ ଏହାମଧ୍ୟରେ ୪ ଚୌକା ଓ ୮ଛକା ଅନ୍ତର୍ଭୁକ୍ତ ଥିଲା। ତାଙ୍କୁ ଡାମିଏନ୍‌ ମାର୍ଟିନ୍‌ ଅନ୍ୟପଟରୁ ଭଲ ସହଯୋଗ ଦେଇଥିଲା ବେଳେ ୮୪ ବଲ୍‌ରୁ ୮୮* ରନ୍‌ ସ˚ଗ୍ରହ କରିଥିଲେ। ଉଭୟ ଅବିଭାଜିତ ତୃତୀୟ ଵିକେଟ୍‌ରେ ୨୩୪ରନ୍‌ ଯୋଡ଼ିବା ସହ ଦଳ ନିର୍ଧାରିତ ଓଭରରେ ମାତ୍ର ୨ ଵିକେଟ୍‌ ବିନିମୟରେ ୩୫୯ ରନ୍‌ ସ˚ଗ୍ରହ କରିଥିଲା। ଜବାବରେ ଭାରତ ୨୩୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇ ଶୋଚନୀୟ ପରାଜୟ ବରଣ କରିଥିଲା। ଏହି ମ୍ୟାଚ୍‌ ବିଜୟୀ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ପଣ୍ଟି˚ ତାଙ୍କ ଟ୍ବିଟର୍‌ ପୃଷ୍ଠାରେ ଉକ୍ତ ମ୍ୟାଚ୍‌ରେ ବ୍ୟବହାର କରିଥିବା ବ୍ୟାଟ୍‌ର ଫଟୋ ଛାଡ଼ିଛନ୍ତି। ପଣ୍ଟି˚ ଦିନିକିଆ ଓ ଟେଷ୍ଟ୍‌ରୁ ଅବସର ନେଇସାରିଥିଲା ବେଳେ ସର୍ବାଧିକ ରନ୍‌ ସ˚ଗ୍ରହକାରୀଙ୍କ ମଧ୍ୟରେ ସଚିନ ତେନ୍ଦୁଲକରଙ୍କ ତଳକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତେବେ ଦିନିକିଆରେ ସେ ଶ୍ରୀଲଙ୍କାର କୁମାର ସାଙ୍ଗାକାରଙ୍କ ପଛକୁ ତୃତୀୟ ସ୍ଥାନରେ ଅଛନ୍ତି। ଅବସର ପରଠୁ ଆଇପିଏଲ୍‌ ଓ ଅଷ୍ଟ୍ରେଲିଆ ଦଳର ପ୍ରଶିକ୍ଷକ ଭାବେ ସେ ନିଜକୁ ବ୍ୟସ୍ତ ରଖିଛନ୍ତି।

ସମ୍ବନ୍ଧିତ ଖବର