ରୋନାଲ୍ଡ, ନିର୍ବିଶଙ୍କର, ସନ୍ଦୀପଙ୍କ ଶତକ

କଳାହାଣ୍ଡି କପ୍‌ ଆରମ୍ଭ: ଭୁବନେଶ୍ୱର ଏ’, ବି, ବାଲେଶ୍ୱର, ରେଳବାଇ, ଭଦ୍ରକ, କଟକ ଏ’, ବି, ବରଗଡ଼ ବିଜୟୀ

କଟକ: ଶୁକ୍ରବାରଠୁ କଟକର ୮ଟି ପଡ଼ିଆରେ ଅନ୍ତଃଜିଲ୍ଲା କଳାହାଣ୍ଡି କପ୍‌ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ଭୁବନେଶ୍ୱର ଏ’, ଭୁବନେଶ୍ୱର ବି’, ବାଲେଶ୍ୱର, ପୂର୍ବତଟ ରେଳବାଇ, ଭଦ୍ରକ, କଟକ ଏ’, କଟକ ବି’, ବରଗଡ଼ ବିଜୟୀ ହୋଇଛନ୍ତି। ପ୍ରଥମ ଦିନ ମଧ୍ୟ ୩ ଶତକ ଦେଖିବାକୁ ମିଳିଛି। ବାଲେଶ୍ୱରର ରୋନାଲ୍ଡ ଦାସ, ନିର୍ବିଶଙ୍କର ବାରିକ ଓ ପୂର୍ବତଟ ରେଳବାଇର ସନ୍ଦୀପ ମୂଳିଆ ଶତକ ହାସଲ କରିଥିଲେ। ସେହିପରି ବରଗଡ଼ର ରାହୁଲ ଚୌଧୁରୀ, କଟକ ବି’ର ଧୀରାଜ ସିଂହ, ପୂର୍ବତଟ ରେଳବାଇର ଲଗ୍ନଜିତ ସାମଲ, ଭୁବନେଶ୍ୱର ଏ’ର ଆଶିଷ ପ୍ରଧାନ, ଭୁବନେଶ୍ୱର ବି’ର ପ୍ରବୀର ନାୟକ ୫ ଓ୍ଵିକେଟ ଲେଖାଏଁ ସଫଳତା ପାଇଛନ୍ତି।
ସନ୍‌ସାଇନ୍‌ ପଡ଼ିଆରେ ଭୁବନେଶ୍ୱର ବି’ ୯୨ ରନ୍‌ରେ ସମ୍ବଲପୁରକୁ ହରାଇଛି। ଭୁବନେଶ୍ୱର ନିର୍ଧାରିତ ଓଭରରେ ୭ ଓ୍ଵିକେଟ ହରାଇ ୨୨୬ ରନ୍‌ କରିଥିଲା। ବିଶ୍ୱଜିତ୍‌ ଭୂୟାଁ (୬୫) ଓ ସନ୍ତୋଷ ଦେବକାନ୍ତ (୫୪) ଅର୍ଧଶତକ ଜମାଇଥିଲା ବେଳେ ସମ୍ବଲପୁରର ପ୍ରସନ୍ନଜିତ ପାଣ୍ଡେ ଓ ସୟଦ ଜାକି ୨ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ସମ୍ବଲପୁର ୩୨.୫ ଓଭରରେ ୧୩୪ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ଦେବବ୍ରତ ପ୍ରଧାନ ୫୭ ରନ୍‌ କରିଥିଲା ବେଳେ ପ୍ରବୀର ନାୟକ ୬ ଓ କାର୍ତ୍ତିକ ବିଶ୍ୱାଳ ୨ ଓ୍ଵିକେଟ ଅକ୍ତିଆର କରିଥିଲେ।
ଡ୍ରିମ୍ସ ପଡ଼ିଆରେ ଭୁବନେଶ୍ୱର ଏ’ ୧୯୭ ରନ୍‌ରେ ପାରାଦୀପକୁ ହରାଇଛି। ଭୁବନେଶ୍ୱର ଏ’ ୬ ଓ୍ଵିକେଟ ବିନିମୟରେ ୩୩୯ ରନ୍‌ କରିଥିଲା। ସନ୍ଦୀପ ପଟ୍ଟନାୟକ ୮୩, ଦେବାଶିଷ ସାମନ୍ତରାୟ ୬୯, ଶାନ୍ତନୁ ମିଶ୍ର ୫୩, ଅନୁରାଗ ଷଡ଼ଙ୍ଗୀ ୭୦ ରନ୍‌ କରି ପାରାଦୀପ ସମ୍ମୁଖରେ ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଲୋକନାଥ ମୁନି ଓ ଆୟୁଷ ପଟ୍ଟନାୟକ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ୩୪୦ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ପାରାଦୀପ ମାତ୍ର ୧୪୨ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା। ଆଶିଷ ପ୍ରଧାନ ୬, ବସନ୍ତ ମହାନ୍ତି ଓ ଶାନ୍ତନୁ ମିଶ୍ର ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ।
ବିଡ଼ାନାସୀ ପଡ଼ିଆରେ ବାଲେଶ୍ୱର ୧୭୯ ରନ୍‌ରେ ଗଞ୍ଜାମକୁ ପରାସ୍ତ କରିଛି। ବାଲେଶ୍ୱର ୪୯.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୩୨୮ ରନ୍‌ କରିଥିଲା। ରୋନାଲ୍ଡ ଦାସ (୧୦୦) ଓ ନିର୍ବିଶଙ୍କର ବାରିକ (୧୦୫) ଶତକ ଜମାଇଥିଲା ବେଳେ ଉଭୟଙ୍କ ୧୭୫ ରନ୍‌ର ଭାଗୀଦାରି ଦଳକୁ ୩୦୦ ରନ୍‌ ପାରି କରାଇଥିଲା। ସମୀର ସାହୁ ୪ ଓ କାଳିଆ ସାହୁ ୩ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଗଞ୍ଜାମ ମାତ୍ର ୧୧୬ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ବୀରେନ୍ଦ୍ର ସିଂହ ଓ ନିର୍ବିଶଙ୍କର ବାରିକ ୪ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।
ନିମପୁର ପଡ଼ିଆରେ ପୂର୍ବତଟ ରେଳବାଇ ୧୫୧ ରନ୍‌ରେ ଢେଙ୍କାନାଳକୁ ହରାଇଥିଲା। ସନ୍ଦୀପ ମୂଳିଆ (୧୦୧)ଙ୍କ ଶତକ, କାମେଶ୍ୱର ବାରିକଙ୍କ ଅର୍ଧଶତକ (୭୪), ସୁଜିତ ଲେଙ୍କାଙ୍କ ୪୨ ରନ୍‌ ଅବଦାନରେ ରେଳବାଇ ୬ ଓ୍ଵିକେଟ ବିନିମୟରେ ୨୭୯ ରନ୍‌ କରିଥିଲା। ଢେଙ୍କାନାଳର ଆଶିଷ ସାହୁ ଓ ସୁନୀଲ ସାହୁ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଜବାବରେ ଢେଙ୍କାନାଳ ୧୨୮ ରନ୍‌ରେ ସୀମିତ ରହିଥିଲା। ଆଶିଷ ସାହୁ ୫୬ ରନ୍‌ କରିଥିଲେ। ଲଗ୍ନଜିତ ସାମଲ ୫, ଆଲୋକ ମଙ୍ଗରାଜ ଓ ମଳୟ ଜେନା ୨ ଓ୍ଵିକେଟ ଲେଖାଏଁ ଅକ୍ତିଆର କରିଥିଲେ।
ବୋସ୍‌ ପଡ଼ିଆରେ ଭଦ୍ରକ ୨ ଓ୍ଵିକେଟ୍‌ରେ ସୁନ୍ଦରଗଡ଼କୁ ହରାଇଛି। ସନୋଜ ମହାନନ୍ଦଙ୍କ ୫୯, ଭିକି ପ୍ରସାଦ ଯାଦବ ୪୮ ରନ୍‌ ସହାୟତାରେ ସୁନ୍ଦରଗଡ଼ ୪୭.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୬ ରନ୍‌ କରିଥିଲା। କ୍ଷିତୀଶ ମହାନ୍ତି, ହରେକୃଷ୍ଣ ବାରିକ, କ୍ଷମାସାଗର ବଳ, ସାହିଲ ଖାନ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଭଦ୍ରକ ୪୧.୩ ଓଭରରେ ୨ ଓ୍ଵିକେଟ ବାକିଥାଇ ମ୍ୟାଚ୍‌ ଜିତିଯାଇଥିଲା। କ୍ଷମାସାଗର ବଳ ୭୭, ଅବିନାଶ ସିଂହ ୫୨ ରନ୍‌ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ। ସୁନ୍ଦରଗଡ଼ର ସୁରଜ ସିଂହ ଓ ଓ୍ଵାଲଟର ଟପ୍ପୋ ୩ ଲେଖାଏଁ ଓ୍ଵିକେଟ୍‌ ହାସଲ କରିଥିଲେ।
ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ କଟକ ବି’ ୯ ଓ୍ଵିକେଟରେ କୋରାପୁଟକୁ ପରାସ୍ତ କରିଛି। କୋରାପୁଟ ୩୩.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୩୪ ରନ୍‌ କରିଥିଲା। ଜି ଚନ୍ଦ୍ରଶେଖର ୭୧* ରନ୍‌ କରିଥିଲେ। କଟକ ବି’ ପାଇଁ ଧୀରାଜ ସିଂହ ୫, ଆଶୁତୋଷ ଦାସ ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କଟକ ବି’ ୨୨.୪ ଓଭରରେ ମାତ୍ର ୧ ଓ୍ଵିକେଟ ବିନିମୟରେ ବିଜୟ ଲକ୍ଷ୍ୟ ହାସଲ କରିପାରିଥିଲା। ଅବିନାଶ ନାୟକ ୮୦ ଓ ପ୍ରତୀକ ତ୍ରିପାଠୀ ୩୫* ରନ୍‌ କରିଥିଲେ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ୧ ନମ୍ବର ପଡ଼ିଆରେ କଟକ ଏ’ ୧୦ ଓ୍ଵିକେଟରେ ଗଜପତିକୁ ହରାଇଛି। ଗଜପତି ୪୨.୩ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୩୩ ରନ୍‌ କରିଥିଲା। ଅନୁରାଗ କାନୋଜିଆ ୩୧, ଜ୍ୟୋତି ରଂଜନ ଦଳାଇ ୩୧ ରନ୍‌ କରିଥିଲେ। ଆଲୋକ ସାହୁ ୩ ଓ ଅଭିଷେକ ରାଉତ ୩ ଲେଖାଏଁ ଓ୍ଵିକେଟ୍‌ ପାଇଥିଲେ। ତେବେ କଟକ ଏ’ ବିନା କୌଣସି କ୍ଷତିରେ ୧୫.୩ ଓଭରରେ ମ୍ୟାଚ୍‌କୁ ଜିତିଯାଇଥିଲା। ରାଜେଶ ଧୂପର ୯୮* ଓ ଅବିନାଶ ଶାହା ୩୧* ରନ୍‌ କରି ଦଳକୁ ଜିତାଇଥିଲେ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ୨ ନମ୍ବର ପଡ଼ିଆରେ ବରଗଡ଼ ୧୨୯ ରନ୍‌ରେ ଯାଜପୁରକୁ ପରାସ୍ତ କରିଛି। ବରଗଡ଼ ୪୦.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୫୧ ରନ୍‌ କରିଥିଲା। ରୁପକ ପ୍ରଧାନ ୪୭ ରନ୍‌ କରିଥିଲା ବେଳେ ଯାଜପୁରର ସତ୍ୟପ୍ରକାଶ ପାଢୀ ୪, ଲେଲିନ୍‌ କୁମାର ବଳ, ଅମିନ ଇକ୍‌ବାଲ୍‌ ଖାନ୍‌, ଅଭିଳାଷ ରାଉତରାୟ ଦୁଇଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ଜବାବରେ ଯାଜପୁର ୯.୪ ଓଭରରେ ମାତ୍ର ୨୨ ରନ୍‌ କରି ସମସ୍ତ ଓ୍ଵିକେଟ ହରାଇଥିଲା। ରାହୁଲ ଚୌଧୁରୀ ୫, ବାଦଲ ପରଦେଶି ନିଶାଦ ୪ ଓ୍ଵିକେଟ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର