ସଚିନ-ଯୁବି ଯାଦୁ: ସେମିରେ ଇଣ୍ଡିଆ ଲିଜେଣ୍ଡ୍ସ

ରାୟପୁର: କ୍ରିକେଟ୍ ପଡ଼ିଆରେ ପୁଣି ଥରେ ଦେଖିବାକୁ ମିଳିଛି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ‌ଶ୍ରେଷ୍ଠ ତଥା ମହାନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଯାଦୁ। ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ ମଧ୍ୟ ଆଜି ବି ଉଭୟଙ୍କ ବ୍ୟାଟ୍ ଯେ ରନ୍ ବର୍ଷା କରିବାକୁ ପୂରା ସକ୍ଷମ, ତାହା ଦୁଇ ଜଣଯାକ ଏଠାରେ ଚାଲିଥିବା ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ର ଇଣ୍ଡିଆ ଲିଜେଣ୍ଡ୍ସ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ପ୍ରମାଣିତ କରି ଦେଇଛନ୍ତି।

ବିଗତ ଦିନର ତଥା ଅବସରପ୍ରାପ୍ତ ଖେଳାଳିଙ୍କୁ ନେଇ ଆୟୋଜିତ ହେଉଥିବା ଏହି ନିଆରା କ୍ରିକେଟ୍‌ ଲିଗ୍‌ର ଶନିବାର ମ୍ୟାଚ୍‌ରେ ସଚିନଙ୍କ ୩୭ ବଲ୍ ୬୦ (୯ ଚୌକା, ୧ ଛକା) ଓ ଯୁବିଙ୍କ ୨୨ ବଲ୍ ବିସ୍ଫୋରକ ୫୨* (୨ ଚୌକା, ୬ ଛକା) ସହ ସୁବ୍ରମଣ୍ୟୁମ ବଦ୍ରିନାଥଙ୍କ ୪୨ (୩୪ ବଲ୍, ୪ ଚୌକା, ୨ ଛକା) ଓ ୟୁସୁଫ ପଠାନଙ୍କ ଦ୍ରୁତ ୨୩ ରନ୍ (୧୦ ବଲ୍, ୨ ଚୌକା, ୨ ଛକା) ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍ ହରାଇ ୨୦୩ ରନ୍ କରିଥିଲା। ଏହାର ଜବାବରେ ଆଣ୍ଡ୍ର୍ୟୁ ପଟିକ (୪୧) ଓ ମର୍ଣ୍ଣି ଭାନ୍ ୱିକ୍ (୪୮) ପ୍ରଥମ ୱିକେଟ୍‌ରେ ଦ୍ରୁତ ୮୭ ରନ୍ ସଂଗ୍ରହ କରିବା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୪୮ ରନ୍ କରି ପାରିଥିଲା। ମଧ୍ୟକ୍ରମ ବିପର୍ଯ୍ୟୟ ହିଁ ଦଳ ପରାଜୟର ମୁଖ୍ୟ କାରଣ ଥିଲା। ଯୁବରାଜ ନିଜ ଅଲରାଉଣ୍ଡ ଦକ୍ଷତାର ପରିଚୟ ଦେଇ ୧୮ ରନ୍ ବିନିମୟରେ ୨ ୱିକେଟ୍ କରାୟତ୍ତ କରିଥିଲେ। ପଠାନ ମଧ୍ୟ ୩ ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍ ଜିତି ଇଣ୍ଡିଆ ଲିଜେଣ୍ଡ୍ସ ୬ ମ୍ୟାଚ୍‌ରୁ ୫ ବିଜୟ ପାଇ ୨୦ ପଏଣ୍ଟ୍‌ ସହ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍‌ରେ ପ୍ରବେଶ କରିଛି।

ସମ୍ବନ୍ଧିତ ଖବର