ଯୁବିଙ୍କ ଛକା ସାମର୍ଥ୍ୟକୁ ସଚିନ୍‌ଙ୍କ ପ୍ରଶଂସା

ସଚିନଙ୍କ ସହ ପ୍ରଥମ ଭେଟର ସ୍ମୃତି କହିଲେ ଯୁବି ‘ଭଗବାନଙ୍କ ସହ ହାତ ମିଳାଇବାର ଅନୁଭବ ପାଇଥିଲି’

ନୂଆଦିଲ୍ଲୀ: ବୁଧବାର ଭାରତୀୟ ଦଳର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେବାର ଗୋଟିଏ ବର୍ଷ ପୂର୍ଣ୍ଣ କରିଛନ୍ତି। ଏହ‌ି ଅବସର ବାର୍ଷିକୀ ଅବସରରେ ଯୁବିଙ୍କ ଉଦ୍ଦେଶ୍ୟରେ ମା‌ଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଏକ ବାର୍ତା ସେୟାର କରି ସେଥିରେ ତାଙ୍କର ଛକା ମାରିବା‌ ସାମର୍ଥ୍ୟକୁ ପ୍ରଶଂସା କରିଛନ୍ତି। ସଚିନ୍‌ ତାଙ୍କ ଟ୍ବିଟରରେ ଲେଖିଛନ୍ତି, ତୁମେ ଅବସର ନେବାର ଗୋଟିଏ ବର୍ଷ ବିତିଯାଇଛି। ତୁମ ସହିତ ଚେନ୍ନାଇ ଶିବିରରେ ମୋର ପ୍ରଥମ ସ୍ମୃତି ଥିଲା ଏବଂ ସେତେବେଳେ ମୁଁ ଅସହାୟ ଥିଲି। ହେଲେ ତୁମେ ଯେ ଖୁବ୍‌ ଆଥ୍‌ଲେଟିକ୍‌ ଓ ପ୍ରତାରଣାରେ କ୍ଷୀପ୍ର ତାହା ଜାଣିପାରିଥିଲି। ତୁମର ଛକା ମାରିବାର ସାମର୍ଥ୍ୟ ଉପରେ ମୁଁ କିଛି କହିବାକୁ ଆବଶ୍ୟକ ମଣୁନି। ତୁମେ ଯେ ବଲ୍‌କୁ ‌ବିଶ୍ବର ଯେକୌଣସି ପଡ଼ିଆ ବାହାରକୁ ପଠାଇପାର ତାହା ସମ‌ସ୍ତେ ପ୍ରମାଣ ପାଇଥିଲେ। ଅବସର ବାର୍ଷିକୀରେ ସେହି ଦକ୍ଷତାକୁ ପ୍ରଶଂସା ନକରି ରହିପାରୁନି। ତୁମେ ମୋର ପ୍ରଥମ ପସନ୍ଦର ବ୍ୟକ୍ତି ବୋଲି ସଚିନ୍‌ ବାର୍ତାଲେ ଲେଖିଛନ୍ତି।

ସୂଚନାଯୋଗ୍ୟ, ସେଦିନ ଥିଲା ୨୦୧୯ ଜୁନ୍‌ ୧୦ ତାରିଖ। ଯେଉଁଦିନ ଯୁବରାଜ ଆନ୍ତର୍ଜାତିକ କ୍ରିକେଟ୍‌ରେ ପ୍ରାୟ ୨୦ ବର୍ଷର ଅଭିଜ୍ଞତା ସାଉଁଟିବା ପରେ ଅବସର ଘୋଷଣା କରିଦେଇଥିଲେ। ନିଜର ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନରେ ଯୁବରାଜ ଭାରତ ପ‌ାଇଁ ୩୦୪ ଦିନିକିଆ, ୫୮ ଟ୍ବେଣ୍ଟି-୨୦ ଏବଂ ୪୦ ଟେଷ୍ଟ୍‌ ଖେଳିଥିଲେ। ଜଣେ ସୁଦକ୍ଷ ତଥା ବିଜୁଳି ବେଗର କ୍ଷେତ୍ରରକ୍ଷଣ, ପ୍ରତାରଣାପୂର୍ଣ୍ଣ ବୋଲିଂ ଏବଂ ବିସ୍ଫୋରକ ବ୍ୟାଟିଂ ବଳରେ ବହୁ ମ୍ୟାଚ୍‌ରେ ବିଜୟୀ କରାଇଥିବା ଯୁବି ଭାରତୀୟ ଦଳରେ ନିଜ ଛାପ ଛାଡ଼ିଥିଲେ। ସେ ଛକା ମାରିବାରେ ଓସ୍ତାଦ୍‌ ଥିବାରୁ ତାଙ୍କୁ ଛକା ମାଷ୍ଟର ମଧ୍ୟ କୁହାଯାଉଥିଲା। ଆନ୍ତର୍ଜାତିକ କ୍ରିକେଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ୨୦୦୦ ଆଇସିସି ଚାମ୍ପିଅନ୍‌ସ ଟ୍ରଫି, ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଉଦ୍‌ଘାଟନୀ ସଂସ୍କରଣ ଏବଂ ୨୦୧୧ ୫୦ ଓଭରିଆ ବିଶ୍ବକପ୍‌ରେ। ୨୦୧୧ ଦିନିକିଆ ବିଶ୍ବକପ୍‌ରେ ଅଲ୍‌ରାଉଣ୍ଡ ପ୍ରଦର୍ଶନ ହେଉ ବା ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବିସ୍ଫୋରକ ବ୍ୟାଟିଂ ଯୁବି ହିଁ ସମସ୍ତଙ୍କ ନଜରର କେନ୍ଦ୍ରରେ ରହିଥିଲେ। ଜଣେ ଯୋଦ୍ଧା ଭାବେ ଲଢ଼ୁଆ ପ୍ରବୃତି ତାଙ୍କୁ ଦକ୍ଷ କ୍ରିକେଟର୍‌ କରି ତୋଳିଥିଲା। ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଶ୍ରୀଲଙ୍କା ବିପକ୍ଷ ୨୦୧୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ୨୧ ବଲ୍‌ରୁ ୧୧ ରନ୍‌ କରିବା ତାଙ୍କ କ୍ରିକେଟ୍‌ ଜୀବନର ସବୁଠୁ କଷ୍ଟସାଧ୍ୟ ସମୟ ଥିଲା ବୋଲି ନିଜେ ଯୁବି ସ୍ବୀକାର କରିଥିଲେ। ସେହିଠାରୁ ହିଁ ମୋର ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନ ଶେଷ ହୋଇଗଲା ବୋଲି ଅନୁଭବ କରିଥିଲି। ପ୍ରତ୍ୟେକ ମଧ୍ୟ ମୋତେ ଏନେଇ ଲେଖିଥିଲେ। ହେଲେ ମୁଁ ମୋ ନିଜକୁ ବିଶ୍ବାସ କରିବାରୁ ବିରତ ହୋଇନଥିଲି ଏବଂ ଅବସର ନିଷ୍ପତ୍ତି ନେଇଗଲି ବୋଲି କହିଥିଲେ ଯୁବରାଜ।

ସଚିନଙ୍କ ସହ ପ୍ରଥମ ଭେଟର ସ୍ମୃତି କହିଲେ ଯୁବି ‘ଭଗବାନଙ୍କ ସହ ହାତ ମିଳାଇବାର ଅନୁଭବ ପାଇଥିଲି’
ନୂଆଦିଲ୍ଲୀ: ଦୁଇ ଦୁଇ ଥର ବିଶ୍ବକପ୍‌ ବିଜେତା ବାମହାତୀ ଅଲରାଉଣ୍ଡର୍‌ ଯୁବରାଜ ସିଂହ ଗୁରୁବାର ମାଷ୍ଟର୍ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକରଙ୍କ ସହ ପ୍ରଥମ‌ ଭେଟର ଅନୁଭୂତି କହିଛନ୍ତି। ଏହି ବ୍ୟାଟିଂ କିଂବଦନ୍ତିଙ୍କ ସହ ହାତ ମିଳାଇବା ବେଳେ ମୁଁ ଈଶ୍ବରଙ୍କ ସହ ହାତ ମିଳାଇବାର ଅନୁଭବ ପାଇଥିଲି ବୋଲି ଯୁବରାଜ ପ୍ରକାଶ କରିଛନ୍ତି। ଗୁରୁବାର ଏକ ଟ୍ବିଟ୍‌ରେ ଯୁବରାଜ ଲେଖିଛନ୍ତି, ‘ଧନ୍ୟବାଦ ମାଷ୍ଟର୍‌, ଆମେ ପ୍ରଥମ ଥର ଭେଟରେ ହାତ ମିଳାଇବା ବେଳେ ଈଶ୍ବରଙ୍କ ଅନୁଭବ ପାଇଥିଲି। ତୁମେ ମୋତେ କଠୋର ସମୟରେ ମାର୍ଗଦର୍ଶନ ଦେଇଆସିଛ। ନିଜ ଦକ୍ଷତା ଉପରେ ବିଶ୍ବାସ ରଖିବା ଲାଗି ତୁମେ ହିଁ ମୋତେ ଶିଖାଇଛ। ଯୁବ ଖେଳାଳିଙ୍କ ପାଇଁ ମୁଁ ସମାନ ଭୂମିକା ତୁଲାଇବି, ଭବିଷ୍ୟତରେ ତୁମ ସହ ଅଧିକ ଭଲ ସ୍ମୃତି ରଖିବି’। ଯୁବରାଜ ନିଜ ଅବସରର ପ୍ରଥମ ବାର୍ଷିକୀ ଅବସରରେ ଏହ‌ି ଟ୍ବିଟ୍ କରିଥିଲେ। ବୁଧବାର ସଚିନ ନିଜ ଟ୍ବିଟ୍‌ରେ ମଧ୍ୟ ଯୁବରାଜଙ୍କ ସହ ପ୍ରଥମ ଦେଖାର ଅନୁଭବ ଦର୍ଶାଇ ଏହି ଦିନଟିକୁ ସ୍ବତନ୍ତ୍ର କରି ଦେଇଥିଲେ।

ସୂଚନାଯୋଗ୍ୟ, ୨୦୦୦ ଆଇସିସି ନକ୍ ଆଉଟ୍ ପ୍ରତିଯୋଗିତାରେ ଖେଳି ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଆସିଥିଲେ। ନିଜର ପ୍ରଥମ ପାଳିରେ ନାଇରୋବିଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୦ ବଲରୁ ୮୪ ରନ୍‌ର ଧମାକାଦାର ଅର୍ଧଶତକ ହାସଲ କରିଥିଲେ। ସେହି ଦଳରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ଼ଙ୍କ ଭଳି ମହାନ ଖେଳାଳି ଥିଲେ। ଏହା ପରେ ଯୁବରାଜ ନିଜକୁ ଭାରତୀୟ ଦଳରେ ପ୍ରତିଷ୍ଠା କରିବା ସହ ୨୦୦୭ ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର