ମାଞ୍ଚେଷ୍ଟରରେ ହେବ ସାହାଙ୍କ ଅସ୍ତ୍ରୋପଚାର

07

ନୂଆଦିଲ୍ଲୀ: ବାମ ହାତ ବୁଢ଼ା ଅଙ୍ଗୁଳିରେ ଆଘାତ ପାଇଁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ ପଡ଼ିଥିବା ଭାରତୀୟ ଓ୍ଵିକେଟ୍‌ ରକ୍ଷକ ଋଦ୍ଧିମାନ ସାହାଙ୍କର କାନ୍ଧରେ ମଧ୍ୟ ଗୁରୁତର ଆଘାତ ଲାଗିଥିବା ଜଣା ପଡ଼ିଛି। ଫଳରେ  ଚଳିତମାସ ଶେଷ ଆଡ଼କୁ ଇଂଲଣ୍ଡର ମାଞ୍ଚେଷ୍ଟରଠାରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ବିସିସିଆଇ ଶନିବାର ନିଜ େଓ୍ଵବସାଇଟ୍‌ରେ ସୂଚନା ଦେଇଛି। କାନ୍ଧ ଆଘାତ କଥା ବିଳମ୍ବରେ ଜଣା ପଡ଼ିବା ନେଇ କିନ୍ତୁ ବିବାଦ ସୃଷ୍ଟି ହୋଇଛି। ଏହାକୁ ଜାଣିଶୁଣି ଲୁଚାଇ ରଖା ଯାଇଥିବା ଅଭିଯୋଗ ହୋଇଛି। ଚଳିତ ବର୍ଷର ଆଇପିଏଲ୍‌ରେ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିବା ବେଳୁ  ସାହା ତାଙ୍କ କାନ୍ଧରେ ମଧ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ହେଲେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମିର ଶାରିରୀକ ପ୍ରଶିକ୍ଷକ ଆଶିଷ କୌଶିକ ଏହାକୁ ଲୁଚାଇ ରଖିଥିଲେ ବୋଲି କୁହାଯାଉଛିା। ଫଳରେ ତାଙ୍କ ସହ ବିସିସିଆଇ ମଧ୍ୟ ବିବାଦ ଘେରକୁ ଚାଲି ଆସିଛି। ହେଲେ ଶନିବାର ବିସିସିଆଇ ଆହତର ପୂରା ବିବରଣୀ ଦେଇ ସାହାଙ୍କ ସମସ୍ୟାକୁ ଆଦୌ ଅଣଦେଖା କରାଯାଇ ନାହିଁ ବୋଲି ସଫେଇ ଦେଇଛି। ସବୁକିଛି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କରାଯାଉଛି ବୋଲି ବିସିସିଆଇ କହିଛି।

ସମ୍ବନ୍ଧିତ ଖବର