ସହିଦ ସ୍ପୋର୍ଟିଂଠୁ ହାରିଲା ଟାଉନ୍‌ କ୍ଲବ୍‌

ଅନ୍ତଃକ୍ଲବ୍‌ କ୍ରିକେଟ୍‌ ଶୃଙ୍ଖଳା

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ମୂଳାପଡ଼ିଆରେ ଚାଲିଥିବା ଅନ୍ତଃକ୍ଲବ୍‌ କ୍ରିକେଟ୍‌ ଶୃଙ୍ଖଳାର ଦ୍ୱିତୀୟ ଚରଣରେ କ୍ରମାଗତ ଦୁଇଟି ବିଜୟ ପରେ ଆୟୋଜକ ଟାଉନ୍‌ କ୍ଲବ୍‌ ପ୍ରଥମ ପରାଜୟ ବରଣ କରିଛି। ପ୍ରଥମ ମ୍ୟାଚ୍‌ରେ ପୁରୀର ପାୟୋନିୟକୁ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌କୁ ପରାସ୍ତ କରିଥିବା ଟାଉନ୍‌ କ୍ଲବ୍‌ ଶନିବାର ତୃତୀୟ ମ୍ୟାଚ୍‌ରେ ସହିଦ ସ୍ପୋର୍ଟିଂ ନିକଟରୁ ୩ ଓ୍ଵିକେଟ୍‌ରେ ହାରିଯାଇଛି। ବିଶେଷକରି ମନୋଜ ବାରିକ୍‌ଙ୍କ ୫ ଓ୍ଵିକେଟ୍‌ ସଫଳତା ପରେ ଶୁଭମ୍‌ ଶତୃଜିତ୍‌ଙ୍କ ଆକର୍ଷଣୀୟ ୯୯ ରନ୍‌ ହିଁ ବଡ଼ ସ୍କୋର୍‌ ବିଶିଷ୍ଟ ମ୍ୟାଚ୍‌ରେ ସହିଦ୍‌ ସ୍ପୋର୍ଟି ବିଜୟର ମୁଖ୍ୟାଂଶ ଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟାଉନ୍‌ କ୍ଲବ୍‌ ବିଶାଲ କର (୬୨) ଓ ଅଶ୍ୱିନ୍‌ ମହାପାତ୍ର (୫୮)ଙ୍କ ଚିତାକର୍ଷକ ଅର୍ଧଶତକ ସାଙ୍ଗକୁ ରାକେଶ ବେହେରାଙ୍କ ୪୮ ରନ୍‌ ବଳରେ ନିର୍ଧାରିତ ୪୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୩୮ ରନ୍‌ କରିଥିଲା। ସହିଦ୍‌ ସ୍ପୋର୍ଟିଂ ପକ୍ଷରୁ ସଫଳ ବୋଲର ଭାବେ ମନୋଜ ବାରିକ ୧୯ ରନ୍‌ରେ ୫ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୩୮.୨ ଓଭରରେ ସମାନ ୭ ଓ୍ଵିକେଟ୍‌ ହରାଇ ୨୪୩ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ଶୁଭମ୍‌ ଶତ୍ରୁଜିତ୍‌ ୯୯ ଓ ମାନସରଞ୍ଜନ ନାୟକ ୨୫ ରନ୍‌ କରିଥିଲେ। ଟାଉନ୍‌ କ୍ଲବ୍‌ ପକ୍ଷରୁ ଶୁଭସଂକେତ ଧଳ ୨ ଓ୍ଵିକେଟ୍‌ ପାଇଥିଲେ। ଶୁଭମ୍‌ ଶତୃଜିତ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖ୍ୟାତନାମା ଦୌଡ଼କୁଦ ପ୍ରଶିକ୍ଷକ ନୀଳମାଧବ ଦେଓ ଏହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର