‘ସମ୍ବାଦ’ ପ୍ରଭାବ: ନମିତାଙ୍କୁ ସହାୟତାର ହାତ ବଢ଼ାଇଲେ ଦୂତି

ଭୁବନେଶ୍ବର: ଆର୍ଥିକ ଅନଟନ ପାଇଁ ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ଗ୍ରହଣ କରି ନପାରିବା ସହ ଦୌଡ଼କୁଦ ଲାଗି ଆବଶ୍ୟକ ସାଜ ସରଞ୍ଜାମ କିଣି ପାରୁ ନଥିବା ରାଜ୍ୟର ଉଦୀୟମାନ ଧାବିକା ନମିତା ପ୍ରଧାନଙ୍କୁ ଅଲିମ୍ପିଆନ୍ ଦୂତି ଚାନ୍ଦ ସହାୟତାର ହାତ ବଢ଼ାଇଛନ୍ତି। ‘ସମ୍ବାଦ’ର ମଙ୍ଗଳବାର ସଂସ୍କରଣରେ ନମିତାଙ୍କୁ ନେଇ ‘ଦିନ ମଜୁରିଆଙ୍କ ଝିଅର ଦୌଡ଼କୁଦ ସ୍ବପ୍ନ’ ଶୀର୍ଷକରେ ବିସ୍ତୃତ ଖବର ପ୍ରକାଶ ପାଇବା ପରେ ଏକ ଫେସ୍‌ବୁକ୍‌ ପୋଷ୍ଟ୍‌ରେ ତାଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବାକୁ ଦୂତି ପ୍ରତିଶ୍ରୁତି ଦେଇଛନ୍ତି।

ସେହିଭଳି ନମିତାଙ୍କ ପାଇଁ ପ୍ରଶିକ୍ଷକ ବ୍ୟବସ୍ଥା କରିବାକୁ ମଧ୍ୟ ସେ କଥା ଦେଇଛନ୍ତି। ‘‘ନମିତାଙ୍କ ପ୍ରଶିକ୍ଷଣର ସମସ୍ତ ଖର୍ଚ ମୁଁ ବହନ କରିବି। ତାଙ୍କ ପଢ଼ାପଢ଼ି ଓ ପ୍ରଶିକ୍ଷଣ ବ୍ୟବସ୍ଥା ଲାଗି ଯାହା କିଛି ଦରକାର, ସେ ସବୁ କିଟ୍ ଫାଉଣ୍ଡେସନ୍ ଯୋଗାଇ ଦେବ। ସେ ଦୂତି ଚାନ୍ଦ ଏକାଡେମିରେ ଯୋଗ ଦିଅନ୍ତୁ, ବାକି ସବୁ ବ୍ୟବସ୍ଥା ମୁଁ କରିବି’’ ବୋଲି ଦୂତି ଲେଖିଛନ୍ତି। ଦୂତିଙ୍କ ଏହି ବଦାନ୍ୟତାକୁ ଚାରିଆଡ଼ୁ ପ୍ରଶଂସା କରାଯାଉଥିଲା ବେଳେ ନମିତା ଓ ତାଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ର ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। କରୋନା ଭୂତାଣୁ ନେଇ ଜାରି କରିଥିବା ଭିଡିଓ ବାର୍ତ୍ତାରେ ଦୂତି ମଧ୍ୟ ସମସ୍ତଙ୍କୁ ସରକାରଙ୍କ ନିର୍ଦେଶାବଳୀ ମାନିବାକୁ ଆହ୍ବାନ କରିଛନ୍ତି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସତର୍କ ଓ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ସେହିଭଳି ସଂପ୍ରତି ସହର ବଜାର ବନ୍ଦ ରହୁଥିବାରୁ ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁଙ୍କୁ ଖାଦ୍ୟ ଦାନ କରିବାକୁ ଦୂତି ନିଜ ପ୍ରଶଂସକଙ୍କୁ ଆହ୍ବାନ କରିଛନ୍ତି। ଦୂତିଙ୍କ ଭଳି ସ୍ତମ୍ଭକାର ତଥା ଟେଲିଭିଜନ୍ ବି‌ଶ୍ଲେଷକ ରୁଦ୍ର ପ୍ରସନ୍ନ ରଥ ମଧ୍ୟ ନମିତାଙ୍କୁ ବ୍ୟକ୍ତିଗତ ଭାବେ ସହାୟତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିଲାଗି ନମିତା ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଜଟଣୀର ଉପରବସ୍ତ ଗାଁରେ ଜନ୍ମିତ ନମିତା ୮୦୦ ଓ ୧୫୦୦ ମିଟର ଦୌଡ଼ରେ ରାଜ୍ୟ ସ୍ତରରେ ୫୦ରୁ ଅଧିକ ପଦକ ଜିତି ସାରିଛନ୍ତି। ସେ ମଧ୍ୟ ଜାତୀୟ ସ୍ତରରେ ଏକାଧିକ ପଦକ ଜିତିଛନ୍ତି। ହେଲେ ସରକାରୀ କିମ୍ବା ବେସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ରହିଥିବାରୁ ଆଗକୁ ବଢ଼ି ପାରୁ ନାହାନ୍ତି।

ସମ୍ବନ୍ଧିତ ଖବର