ଏବେ ମହମ୍ମଦ ଭାଇ ମୁହଁ ଖୋଲିଲେ

ସାମି-ହସିନ ବିବାଦ

ଲଣ୍ଡନ: ପାକିସ୍ତାନୀ ଝିଅ ଆଲିସ୍‌ବା ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ଲାଗି ରହିଥିବା ପାରବାରିକ ବିବାଦରେ ବ୍ରିଟିସ୍‌ ବ୍ୟବସାୟୀ ମହମ୍ମଦ ଭାଇ ମୁହଁ ଖୋଲିଛନ୍ତି। ମହମ୍ମଦ ଭାଇ ଓ ସାମି ମ୍ୟାଚ୍‌ ଫିକ୍ସିଂ ଜଡ଼ିତ ଥାଇ ପାରନ୍ତି ବୋଲି ହସିନ ପରୋକ୍ଷରେ ଇଙ୍ଗିତ କରିଥିଲା ବେଳେ ମହମ୍ମଦ ଆଜି ଏହାକୁ ସିଧା ସିଧା ଖଣ୍ଡନ କରିଛନ୍ତି। ଭାରତ ମୋ ଦେଶ ମୁଁ ତା ସହ କେବେବି ବିଶ୍ୱାସ ଘାତକ କରି ପାରିବି ନାହିଁ ବୋଲି ମହମ୍ମଦ ବୁଧବାର ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି। ସେହିଭଳି ପାକିସ୍ତାନୀ ଝିଅ ଆଲିସ୍‌ବାଙ୍କୁ ସେ ଜାଣି ନଥିବା କିମ୍ବା ଚିହ୍ନି ନଥିବା ସ୍ପଷ୍ଟ କରି ଦେଇଛନ୍ତି। ସାମିଙ୍କ ସହ ଲଣ୍ଡନରେ ଅନେକ ସମୟ କଟାଇଥିବା କଥାକୁ କିନ୍ତୁ ମହମ୍ମଦ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ମୁଁ କୌଣସି ଖରାପ କାମ କରି ନାହିଁ। ମ୍ୟାଚ୍‌ ପିକ୍ସିଂ ସହ ମଧ୍ୟ ମୋର ଆଦୌ ସମ୍ପର୍କ ନାହିଁ। ମୁଁ କାହା ସହ ମ୍ୟାଚ୍‌ ଫିକ୍ସିଂ ନେଇ କଥା ହୋଇନି। କାହାକୁ ଟଙ୍କା ବି ଦେଇନି। ମୁଁ ଭାରତରେ ଜନ୍ମ ଗ୍ରହଣ କରିଛି। କୌଣସି ପରିସ୍ଥିତିରେ ମୋ ଦେଶର ସମ୍ମାନ କ୍ଷୁଣ୍ଣ ହେବାକୁ ଦେବି ନାହିଁ। ପ୍ରକାଶ ଥାଉ କି ମହମ୍ମଦ ସୁରତରେ ଜନ୍ମଗ୍ରହଣ କରିଥିଲା ବେଳେ ସଂପ୍ରତି ଲଣ୍ଡନରେ ମୋବାଇଲ୍‌ ଫୋନ୍‌ ବ୍ୟବସାୟ କରୁଛନ୍ତି। ସେ ଆହୁରି କହିଛନ୍ତି ମୁଁ ଗଣମାଧ୍ୟମରୁ ଆଲିସ୍‌ବାର ନାଁ ପ୍ରଥମ ଥର ପାଇଁ ଶୁଣିବାକୁ ପାଉଛି। ମୁଁ ଆଲିସ୍‌ବା ନାମକ କୌଣସି ମହିଳାକୁ ଜୀବନରେ କେବେବି ଭେଟିନାହିଁ। ବିସିସିଆଇ ତଦନ୍ତର ସମ୍ମୁଖୀନ ହେବାକୁ ମୁଁ ପ୍ରସ୍ତୁତ। ଏପରିକି ମୋର ନାର୍କୋ ଟେଷ୍ଟ କିମ୍ବା ମିଛ ଧରିବା ପରୀକ୍ଷଣ ବି କରାଯାଇପାରେ। ମୁଁ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥାକୁ ସଂପୂର୍ଣ୍ଣ ସହଯୋଗ କରିବି। ସାମି ଓ ହାସିନ ଲଣ୍ଡନରେ ଥିଲା ବେଳେ ମୁଁ ସେମାନଙ୍କୁ ବାହାରକୁ ବୁଲାଇ ନେଇଥାଏ। ୟା ଠାରୁ ଅଧିକ କିଛି ନୁହେଁ।

ମମତାଙ୍କୁ ଶୁକ୍ରବାର ଭେଟିବେ ହସିନ୍‌
କୋଲ୍‌କାତା: ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ। ସାମିଙ୍କ ବିରୋଧରେ ହସିନ୍‌ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏହି ଭାରତୀୟ ଦ୍ରୁତ ବୋଲରଙ୍କୁ ପୁଲିସ ଗିରଫ କରୁନାହିଁ। ସାମି ଜଣେ ତାରକା ଏବଂ ପାଖରେ ପର୍ଯ୍ୟାପ୍ତ ଧନ ଥିବାରୁ ଏହି ମାମଲାରେ ମୋତେ କେହି ସାହାଯ୍ୟ କରୁନାହାନ୍ତି। ମୁଁ ଅସାହୟ ହୋଇପଡ଼ିଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷପ କରି ସତ୍ୟକୁ ପଦାକୁ ବାହାର କରନ୍ତୁ ବୋଲି ହସିନ୍‌ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର