ସାମିଙ୍କ ଅଭିଯୋଗକୁ ପଠାନ, ପାର୍ଥିବଙ୍କ ଖଣ୍ଡନ

ବାର୍ବାଡସ୍: ଆଇପିଏଲ୍ ଖେଳିଲା ବେଳେ କିଛି କ୍ରିକେଟର ମୋତେ ‘କାଳୁ’ ଡାକୁଥିଲେ। ସେତେବେଳେ ମୁଁ ଏହି ଶବ୍ଦର ମାନେ ଜାଣି ନଥିଲି। ଏବେ କିନ୍ତୁ ଜାଣିଲା ପରେ ଭାବୁଛି, ସେମାନେ ମୋ ରଙ୍ଗକୁ ନେଇ ତାଚ୍ଛଲ୍ୟ କରୁଥିଲେ। ଏଭଳି ଅଭିଯୋଗ ଆଣିଥିଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଡାରେନ ସାମି। ସାମିଙ୍କ ଏହି ଅଭିଯୋଗକୁ କିନ୍ତୁ ଦୁଇ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ଓ ଇର୍ଫାନ ପଠାନ ଖଣ୍ଡନ କରିଛନ୍ତି। ସାମି ୨୦୧୩-୧୪ ଋତୁରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୨୬ ମ୍ୟାଚ୍ ଖେଳିଥିଲେ। ସେତେବେଳେ ଉଭୟ ପାର୍ଥିବ ଓ ପଠାନ ତାଙ୍କର ସାଥୀ ଖେଳାଳି ଥିଲେ। ହାଇଦ୍ରାବାଦ ଦଳର ଅନ୍ୟତମ ସଦସ୍ୟ ଥିବା ଭେନୁ ଗୋପାଳ ରାଓ ମଧ୍ୟ ସାମିଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରି ଦେଇଛନ୍ତି।

‘‘ ଏଭଳି ଶବ୍ଦ କେହି ଉପଯୋଗ କରିଥିବା ମୁଁ କେବେ ଶୁଣିନି’’ ବୋଲି ପାର୍ଥିବ କହିଛନ୍ତି। ସେପଟେ ‘‘ମୁଁ ନିଶ୍ଚିତ ନୁହେଁ…. ଏହି ବିଷୟରେ କିଛି ଜାଣିନି’’ ବୋଲି ଭେନୁଗୋପାଳ ମତ ରଖିଛନ୍ତି। ଇର୍ଫାନ ମଧ୍ୟ ଏହି ଦୁଇ ଜଣଙ୍କ ସହ ଏକମତ ହୋଇଛନ୍ତି। ସେ କହିଛନ୍ତି ଯେ ୨୦୧୪ ମସିହାରେ ମୁଁ ତାଙ୍କ (ସାମି)ଙ୍କ ସହ ଥିଲି। ମୁଁ ଭାବୁଛି ସତରେ ଯଦି ଏଭଳି କିଛି ଘଟି ଥାଆନ୍ତା, ତାହାଲେ ଏହା ବିଷୟରେ ନିଶ୍ଚିତ ଭାବେ ଆଲୋଚନା ପର୍ଯ୍ୟାଲୋଚନା ହୋଇଥାଆନ୍ତା। ମୁଁ ଏହି ବିଷୟରେ ବିଶେଷ କିଛି ଜାଣିନି। ତା’ ସହ ମୁଁ ଭାବୁଛି ଯେ ଆମକୁ ଲୋକମାନଙ୍କୁ ଏହି ବିଷୟରେ ଶିକ୍ଷିତ କରିବାକୁ ପଡ଼ିବ। ଘରୋଇ କ୍ରିକେଟ୍‌ରେ ଜାତିଆଣ ମନ୍ତବ୍ୟ ଦିଆଯାଉଥିବାର ମୁଁ ଦେଖିଛି। ବିଶେଷ କରି ଦକ୍ଷିଣ ଭାରତରୁ ଆସିଥିବା ଆମର କିଛି କ୍ରିକେଟରଙ୍କୁ ଉତ୍ତର ଓ ପଶ୍ଚିମ ଭାରତରେ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ମୁଁ କିନ୍ତୁ ସେଭଳି ଖେଳାଳିଙ୍କ ନାଁ ଏବେ ନବାକୁ ଚାହୁଁନାହିଁ।

ସମ୍ବନ୍ଧିତ ଖବର