ଶେଷ ଗ୍ରାଣ୍ଡ ସ୍ଲାମ୍‌ରେ ସାନିଆ ଉପବିଜୟିନୀ

‌ମେଲ୍‌ବର୍ଣ୍ଣ: ଭାରତୀୟ ‌ମହିଳା ଟେନିସ ତାରକା ସାନିଆ ମିର୍ଜାଙ୍କ ଗ୍ରାଣ୍ଡ ସ୍ଲାମ୍‌ କ୍ୟାରିୟର ଶେଷ ହୋଇଛି। ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳ ଉପବିଜେତା ଟ୍ରଫି ସହ ତାଙ୍କର ଗ୍ରାଣ୍ଡ ସ୍ଲାମ୍‌ ଅଭିଯାନର ଅନ୍ତ ଘଟିଛି। ଶୁକ୍ରବାର ରଡ୍‌ ଲାଭର ଏରିନାରେ ଖେଳାଯାଇଥିବା ଫାଇନାଲ୍‌ରେ ସେ ଓ ତାଙ୍କ ଭାରତୀୟ ସାଥୀ ରୋହନ ବୋପାନ୍ନା କଡ଼ା ସଂଘର୍ଷ କରି ୬-୭, ୨-୬ ସେଟ୍‌ରେ ବ୍ରାଜିଲୀୟ ଯୋଡ଼ି ଲୁଇସା ଷ୍ଟିଫାନି ଓ ରାଫେଲ ମାତୋସ୍‌ଙ୍କଠୁ ହାରି ଯାଇଥିଲେ। ଏହି ପ୍ରତିଯୋଗିତା ଖେଳିବା ପୂର୍ବରୁ ସାନିଆ ୩ ଲେଖାଏଁ ମହିଳା ଯୁଗଳ ଓ ମିଶ୍ରିତ ଯୁଗଳ ଟ୍ରଫି ସହ ମୋଟ ୬ ଗ୍ରାଣ୍ଡ ସ୍ଲାମ୍‌ ନିଜ ନାମରେ କରିସାରିଥିଲେ। ଏଥିରେ ବୋପାନ୍ନାଙ୍କ ସହ ଫ୍ରେଞ୍ଚ୍‌ ଓପନ୍‌ ମିଶ୍ରିତ ଯୁଗଳ ଟ୍ରଫି ରହିଛି। ଅନ୍ୟ ଦୁଇ ମିଶ୍ରିତ ଯୁଗଳ ଟ୍ରଫି ସେ ମହେଶ ଭୁପତିଙ୍କ ସହ ଜିତିଥିଲେ।

‘‘୧୪ ବର୍ଷ ବୟସରେ ମୁଁ ରୋହନଙ୍କ ସହ ପ୍ରଥମ ମିଶ୍ରିତ ଯୁଗଳ ମ୍ୟାଚ୍‌ ଖେଳି ଜାତୀୟ ବିଜେତା ହୋଇଥିଲି। ଏହା ୨୨ ବର୍ଷ ତଳର କଥା। ତାଙ୍କ ବିନା ଜଣେ ଭଲ ମଣିଷର କଥା ଚିନ୍ତା କରିପାରିବିନି। ସେ ‌ଭଲ ବନ୍ଧୁ ଏବଂ ସାଥୀଙ୍କ ମଧ୍ୟରେ ଜଣେ। ତାଙ୍କ ସହ ଏଠାରେ ଫାଇନାଲ୍‌ ଖେଳି କ୍ୟାରିୟର ଶେଷ କରିଛି। ମୋ ଗ୍ରାଣ୍ଡ ସ୍ଲାମ୍‌ କ୍ୟାରିୟର ଶେଷ କରିବା ଲାଗି ଏହାଠୁ ଭଲ ସ୍ଥାନ ଏବଂ ବ୍ୟକ୍ତି ମିଳିନଥା’ନ୍ତା। ମୁଁ କେବେ ବି ଭାବିନଥିଲି ଯେ ମୋ ପୁଅ ସାମ୍ନାରେ ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ ଖେଳିବି। ମୋ ଅଭିଭାବକ ଓ ପୁଅ ଇଝାନ ସାମ୍ନାରେ ଖେଳିଥିବାରୁ ଏହା ପ୍ରକୃତରେ ସ୍ବତନ୍ତ୍ର। ମୋ ଆଖିରେ ଯେଉଁ ଲୁହ ଦେଖୁଛନ୍ତି ଏହା କୌଣସି ଦୁଃଖ କିମ୍ବା ବିଷାଦର ଲୁହ ନୁହେଁ। ଏହା ଖୁସିର। ଏହା ମୋର ଶେଷ ପ୍ରତିଯୋଗିତା ନୁହେଁ। ମୁଁ ଆଗକୁ ଆହୁରି ଦୁଇଟି ପ୍ରତିଯୋଗିତା ଖେଳିବି। ମୋତେ ଯେତେବେଳେ ୧୮ ବର୍ଷ ହୋଇଥିଲା ୨୦୦୫ରେ ମେଲବର୍ଣ୍ଣରେ ଗ୍ରାଣ୍ଡ ସ୍ଲାମ୍‌ କ୍ୟ‌ାରିୟର ଆରମ୍ଭ କରିଥିଲି। ସେତେବେଳେ ମୋ ସମ୍ମୁଖରେ ଥିଲେ ସେରେନା ୱିଲିୟମ୍ସ। ଏଥିପାଇଁ ଶେଷ ଗ୍ରାଣ୍ଡସ୍ଲାମ ଏଠାରେ ଖେଳିବାକୁ ଚିନ୍ତା କଲି।’’ ବୋଲି ଫାଇନାଲ୍‌ ପରେ ସାମ୍ବାଦିକ ସମ୍ମିଳନୀରେ ସାନିଆ ପ୍ରକାଶ କରିଛନ୍ତି।

ସାନିଆ ପ୍ରଥମ ଭାରତୀୟ ଭାବେ ୨୦୦୫ରେ ଡବ୍ଲୁଟିଏ ଏକକ ଟ୍ରଫି ନିଜର ଘରୋଇ ସହର ହାଇଦ୍ରାବାଦରେ ଜିତିଥିଲେ। ସେହିବର୍ଷ ସେ ୟୁଏସ୍‌ ଓପନ୍‌ର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ୨୦୦୭ରେ ସେ ‌ମହିଳା ବିଶ୍ବ ମାନ୍ୟତାର ଶୀର୍ଷ ୩୦ରେ ପହଞ୍ଚି ପାରିଥିଲେ। କିନ୍ତୁ କଚଟି ଆଘାତ ସମସ୍ୟା ପାଇଁ ଏହାପରେ କେବଳ ଯୁଗଳ ବର୍ଗ ଉପରେ ମନୋନିବେଶ କରିଥିଲେ। ସ୍ବିଜରଲାଣ୍ଡ କିଂବଦନ୍ତି ମାର୍ଟିନା ହିଙ୍ଗିସ୍‌ଙ୍କ ସହ ‌ସେ ୩ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ଜିତିବାର ସୌଭାଗ୍ୟ ପାଇଥିଲେ।

ସମ୍ବନ୍ଧିତ ଖବର