ସମ୍ଭାବନାରେ ସୁଯୋଗ ଖୋଜୁଛନ୍ତି ସଞ୍ଜୁ: ‘ନିଜ ସହ ପ୍ରତିଦ୍ବନ୍ଦ୍ବିତାକୁ ପସନ୍ଦ କ‌ରେ’

ନ୍ୟୁଜିଲାଣ୍ଡ୍‌କୁ ୭ ୱିକେଟ୍‌ରେ ହରାଇଲା ଭାରତ, ପ୍ରଥମ ଅଣଆନୁଷ୍ଠାନିକ ‘ଏ’ ଦିନିକିଆ

ନାଗପୁର: ଭାରତୀୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ କେରଳର ପ୍ରତିଭାବାନ ୱିକେଟ୍ ରକ୍ଷକ ବ୍ୟାଟର୍‌ ସଞ୍ଜୁ ସାମସନ୍ ସ୍ଥାନ ପାଇନାହାନ୍ତି। ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ସହ କ୍ରିକେଟ୍ ପଣ୍ଡିତମାନେ ମଧ୍ୟ ଅଭିମାନ ଜାହିର କରିଛନ୍ତି। କେବଳ ବିଶ୍ବକପ୍ ଦଳ ନୁହେଁ, ସତ କହିବାକୁ ଗଲେ ଚୟନକର୍ତ୍ତା କେବେ ବି ସଞ୍ଜୁଙ୍କୁ ଜାତୀୟ ଦଳରେ ସ୍ଥାୟୀ ଭାବେ ସ୍ଥାନ ଦେଇନାହାନ୍ତି। ବହୁ ଚୟନକର୍ତ୍ତାଙ୍କ ସହ ପୂରା ଚୟନ ସମିତି ବଦଳିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ତାଙ୍କୁ ଜାତୀୟ ଦଳରୁ ଦୂରେଇ ରଖାଯାଇଛି। ଏହା ମଧ୍ୟ ସଞ୍ଜୁଙ୍କ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ଭାରତୀୟ ଦଳକୁ ବାରମ୍ବାର ଯିବା ଆସିବା ଅନେକ ସମୟରେ ତାଙ୍କୁ ବ୍ୟଥିତ କରିଛି। ହେଲେ ଜାତୀୟ ଦଳ‌ରେ ନିଜ ସ୍ଥାନ ପକ୍କା କରିବାର ଆଶା କେ‌ବେ ଛାଡ଼ି ନାହାନ୍ତି। ୨୭ ବର୍ଷୀୟ ସଞ୍ଜୁ ଅତୀତର ସେହି ତିକ୍ତ ଅନୁଭୂତିକୁ ଭୁଲି ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ଭାରତୀୟ ‘ଏ’ ଦଳର ନେତୃତ୍ବ ନେବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଏହି ତିନି ଟିକିଆ ଏକଦିବସୀୟ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରି ପୁଣି ଥରେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିବା ଲକ୍ଷ୍ୟରେ ରହିଛନ୍ତି। ନିୟମିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁନଥିଲେ ମଧ୍ୟ ସମ୍ଭାବନାକୁ ସୁଯୋଗରେ ପରିଣତ କରି ଭାରତୀୟ ଦଳକୁ ଫେରିବା ଯୋଜନାରେ ଥିବା ସଞ୍ଜୁଙ୍କର ଏଥିନେଇ କୌଣସି ଅବସୋସ କିମ୍ବା ଅନୁତାପ ନାହିଁ।

‘‘ଭାରତୀୟ ଦଳରେ ସ୍ଥାନ ପାଇବା ଆଦୌ ସହଜ ନୁହେଁ। ଏହା ଆହ୍ବାନପୂର୍ଣ୍ଣ। ସବୁ ଖେଳାଳିଙ୍କୁ ଏଥିଲାଗି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ପ୍ରତିଦ୍ବନ୍ଦ୍ବିତାର ସ୍ତର ଢେର ଉଚ୍ଚ। ସେଥିପାଇଁ ନିଜ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ମୁଁ ବିଶ୍ବାସ କରେ। ଛୋଟ ବେଳୁ ମୋ ପ୍ରଶିକ୍ଷକ ଏବଂ ପିତାମାତା ନିଜ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ‌ମୋତେ ପରାମର୍ଶ ଦେଇଆସିଛନ୍ତି। ନିଜ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ମୁଁ ଭଲପାଏ। ଆପଣ ଯେତେବେଳେ ଏହା କରନ୍ତି, ସେତେବେଳେ ନିଜେ ହିଁ ନିଜର ଯତ୍ନ ନିଅନ୍ତି।’’ ବୋଲି କହିଛନ୍ତି ସଞ୍ଜୁ। ଜାତୀୟ ଚୟନକର୍ତ୍ତା ଅଣଦେଖା କଲା ବେଳେ ସେ କ’ଣ କରନ୍ତି? ବୋଲି ହୋଇଥିବା ପ୍ରଶ୍ନର ଉତ୍ତର ଦେଇ ସଞ୍ଜୁ ଆହୁରି କହିଥିଲେ ଯେ ଭିନ୍ନ ଭିନ୍ନ ଭୂମିକା ତୁଲାଇବାକୁ ମୁଁ ନିଜକୁ ପ୍ରସ୍ତୁତ କରିଆସୁଛି। ଏକ ନମ୍ବରରୁ ୬ ନମ୍ବର ପର୍ଯ୍ୟନ୍ତ, ମୁଁ ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରିବି ‌ବୋଲି ଆତ୍ମବିଶ୍ବାସ ରଖିଛି। କାରଣ ଆପଣ ନିଜ ପାଇଁ ନିଜେ ଏକ ସ୍ବତନ୍ତ୍ର ସ୍ଥାନ ଖୋଜିବାର କୌଣସି ଆବଶ୍ୟକତା ନାହିଁ। ଆପଣ ଜଣେ ଓପନର୍‌ କିମ୍ବା ଫିନିସର୍‌ ବୋଲି କେବେ ବି ଦାବି କରିପାରିବେ ନାହିଁ। ଗତ ତିନି ଚାରି ବର୍ଷ ହେବ ମୁଁ ମୋ ରାଜ୍ୟ, ଆଇପିଏଲ୍, ଭାରତ-‘ଏ’ ଓ ଭାରତ ପାଇଁ ଖେଳି ଆସୁଛି। ବିଭିନ୍ନ ସ୍ଥାନରେ ବ୍ୟାଟିଂ କରୁଛି। ଏହା ହିଁ ‌ମୋତେ ଆରାମ ପ୍ରଦାନ କରିଛି।

ନିଜକୁ ସୁସ୍ଥ ଓ ସତେଜ ରଖିବା ଲାଗି ପ୍ରେରଣା କେଉଁଠୁ ମିଳେ? ଏହି ପ୍ରଶ୍ନର ଉତ୍ତର ଦେଇ ସଞ୍ଜୁ ମତ ରଖିଥିଲେ ଯେ ଆତ୍ମବିଶ୍ବାସ ଓ ପ୍ରେରଣା ସବୁବେଳେ ଥିଲା। ଭାରତୀୟ ଦଳର ଅଂଶବିଶେଷ ହେବା ଛୋଟିଆ କଥା ନୁହେଁ। ଆମ କ୍ରିକେଟ୍‌ର ସ୍ତର ଢେର ଉଚ୍ଚ। ଆମେ ଖେଳୁଥିବା କ୍ରି‌କେଟ୍‌ ଏବଂ କ୍ରିକେଟରଙ୍କ ମାନ ଅବିଶ୍ବସନୀୟ। ଏଣୁ ନିଜେ ନିଜକୁ ଆହ୍ବାନ କରି ନିଜ ଖେଳର ସ୍ତର ନିୟମିତ ବଢ଼ାଇବାକୁ ପଡ଼ିଥାଏ। ପ୍ରତିଟି ସୁଯୋଗରୁ ଭରପୂର ଫାଇଦା ଉଠାଇବାକୁ ହୋଇଥାଏ। ସୂଚନାଯୋଗ୍ୟ ଯେ ସଞ୍ଜୁ ସାମସନ୍ ଭାରତ ପକ୍ଷରୁ ୭ ଦିନିକିଆ ଏବଂ ୧୬ ଟ୍ବେଣ୍ଟି-୨୦ ଖେଳିଛନ୍ତି। ଉଭୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆରେ ଗୋଟିଏ ଲେଖାଏଁ ଅର୍ଦ୍ଧଶତକ ସହ ଯଥାକ୍ରମେ ୧୭୬ ଓ ୨୯୬ ରନ୍ କରିଛନ୍ତି।

ନ୍ୟୁଜିଲାଣ୍ଡ୍‌କୁ ୭ ୱିକେଟ୍‌ରେ ହରାଇଲା ଭାରତ, ପ୍ରଥମ ଅଣଆନୁଷ୍ଠାନିକ ‘ଏ’ ଦିନିକିଆ

ଚେନ୍ନାଇ: ଗୁରୁବାର ପ୍ରଥମ ଅଣଆନୁଷ୍ଠାନିକ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତ-ଏ ଦଳ ୭ ୱିକେଟ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ୍‌-ଏ ଦଳକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ୍‌ର ୧୬୭ ରନ୍‌ ଜବାବରେ ଭାରତ ୩୧.୫ ଓଭରରେ ୩ ୱିକେଟ୍‌ ବିନିମୟରେ ୧୭୦ ରନ୍‌ କରିନେଇଥିଲା। ଏଥିସହିତ ୩ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ର ଅଗ୍ରଣୀ ପାଇଯାଇଛି।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ନ୍ୟୁଜିଲାଣ୍ଡ୍‌କୁ ଆମନ୍ତ୍ରଣ କରିଥିଲା। ଶାର୍ଦୁଳ ଠାକୁର (୪/୩୨), କୁଲ୍‌ଦୀପ ସେନ୍‌ (୩/୩୦) ଓ କୁଲ୍‌ଦୀପ ଯାଦବ (୧/୨୨) ଚମତ୍କାର ବୋଲିଂ କରି ଅଧିନାୟକ ସଞ୍ଜୁ ସାମ୍‌ସନ୍‌ଙ୍କ ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ। ମାଇକେଲ ରିପନ୍ (୬୧)ଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଜୋଏ ୱାକର (୩୬), ଅଧିନାୟକ ରବର୍ଟ ଓଡନେଲ୍‌ (୨୨)ଙ୍କ ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ ସତ୍ତ୍ବେ ନ୍ୟୁଜିଲାଣ୍ଡ ପାଳି ୪୦.୨ ଓଭରରେ ୧୬୭ ରନ୍‌ରେ ସଫା ହୋଇଯାଇଥିଲା। ଜବାବରେ ପୃଥ୍ବୀ ସ’ (୧୭), ଋତୁରାଜ ଗ‌ାଏକ୍ବାଡ (୪୧) ଏବଂ ରାହୁଲ ତ୍ରିପାଠୀଙ୍କ ୱିକେଟ୍‌ ହରାଇ ଭାରତ ୧୮.୧ ଓଭର ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ଅଧିନାୟକ ସଞ୍ଜୁ ସାମ୍‌ସନ (୨୯*) ଏବଂ ରଜତ ପଟିଦାର (୪୫*) ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ୬୯ ରନ୍ ଯୋଡ଼ି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ।

ସମ୍ବନ୍ଧିତ ଖବର