ସନ୍ତୋଷ ସ୍ମାରକୀ କ୍ରିକେଟ୍‌: ମର୍ଣ୍ଣିଂ ଷ୍ଟାର୍‌ ଓ ରାଜାରାଣୀ ବିଜୟୀ

ଭୁବନେଶ୍ବର: ରସୁଲଗଡ଼ ୟୁଥ୍‌ କ୍ଲବ୍‌ ଆନୁକୂଲ୍ୟରେ ଚାଲିଥିବା ସନ୍ତୋଷ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଶନିବାର ଦୁଇଟି ମ୍ୟାଚ୍‌ରେ କଟକର ମର୍ଣ୍ଣି ଷ୍ଟାର୍‌ ଏବଂ ଭୁବନେଶ୍ବରର ରାଜାରାଣୀ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ମର୍ଣ୍ଣି ଷ୍ଟାର୍‌ ୩ ୱିକେଟ୍‌ରେ ଭୁବନେଶ୍ବରର ଆର୍‌ୱାଇସି ଦଳକୁ ପରାସ୍ତ କରିଥିଲା। ପ୍ରଥମେ ଆର୍‌ୱାଇସି ୧୨ ଓଭରରେ ୩ ୱିକେଟ୍‌ ହରାଇ ୧୭୩ ରନ୍‌ କରିଥିଲା। ରାଜା ଜଗଦେବ ୪୪ ବଲ୍‌ରୁ ବିସ୍ଫୋରକ ୧୩୨ ରନ୍‌ କରିଥିଲେ। ଜବାବରେ ନୂତନ କୁମାର (୫୨ ରନ୍‌, ୨୫ ବଲ୍‌)ଙ୍କ ଦ୍ରୁତ ଅର୍ଧଶତକ ସହାୟତାରେ ମର୍ଣ୍ଣି ଷ୍ଟାର ୧୧.୫ ଓଭରରେ ୭ ୱିକେଟ୍‌ ହରାଇ ୧୭୫ ରନ୍‌ କରିନେଇଥିଲା। ନୂତନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ ସତ୍ୟପ୍ରକାଶ ବେହେରାଙ୍କ ୨୫ ବଲ୍‌ରୁ ୫୪ ରନ୍‌ ସହାୟତାରେ ରାଜାରାଣୀ ଦଳ ୭ ୱିକେଟ୍‌ ବିନିମୟରେ ୧୪୭ ରନ୍‌ କରିଥିଲା। ଜବାବରେ କଟକର ବ୍ଲୁ ମୁନ୍‌ ଦଳ ଡି ଜେନାଙ୍କ (୬୬ ରନ୍‌, ୨୯ ବଲ୍‌) ସତ୍ତ୍ବେ ୧୪୬ ରନ୍‌ରେ ଅଟକି ଯାଇଥିଲା। ଫଳରେ ମାତ୍ର ୧ ରନ୍‌ ପାଇଁ ରାଜାରାଣୀ ମ୍ୟାଚ୍‌ ଜିତି ନେଇଥିଲା। ସତ୍ୟ ପ୍ରକାଶ ବେହେରା (୫୪ ରନ୍‌, ୨ ୱିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମୁନା ରାଉଳ, ସମ୍ବିତ ପାଇକରାୟ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ପ୍ରଶାନ୍ତ ଶ୍ରୀଚନ୍ଦନରାୟ ରେଫରି ଥିଲେ। ଅତିଥି ଭାବେ ବିଜେଡ଼ି ନେତା ଅରୁପ ପଟ୍ଟନାୟକ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଟ୍ରକ୍‌ ସଂଘ ସଭାପତି ପ୍ରଦୀପ ବରିସାଲ୍‌, ଆମ ଓଡ଼ିଶା ପ୍ରତିଷ୍ଠାତା ରୁଦ୍ର ନାରାୟଣ ସାମନ୍ତରାୟ ଏବଂ ଓମ୍‌ ସାଇ କେବୁଲ ପ୍ରତିଷ୍ଠାତା ପ୍ରକାଶ ରାଉତରାୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର