ତିନି ଦଶନ୍ଧି ପରେ ବେଙ୍ଗଲର ଟ୍ରଫି ଜିତିବା ଆଶା ଅଧୁରା, ସୌରାଷ୍ଟ୍ର ନୂଆ ରଣଜୀ ବିଜେତା

ଭୁବନେଶ୍ବର: ଜୟଦେବ ଉନାଦ୍‌କଟ୍‌ଙ୍କ ନେତୃତ୍ବାଧୀନ ସୌରାଷ୍ଟ୍ର ନୂଆ ରଣଜୀ ବିଜେତା ଭାବେ ଉଭା ହୋଇଛି। ବେଙ୍ଗଲ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ଅମୀମାଂସିତ ରହିବା ପରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ସୌରାଷ୍ଟ୍ର ଚଳିତ ଋତୁର ରଣଜୀ ଟ୍ରଫି ହାତେଇ ନେଇଛି। ରଣଜୀ ଟ୍ରଫି ଇତିହାସରେ ପ୍ରଥମ ଥର ପାଇଁ ସୌରାଷ୍ଟ୍ର ବିଜେତା ହୋଇଥିଲା ବେଳେ ବେଙ୍ଗଲ ୩୦ ବର୍ଷ ପରେ ଟ୍ରଫି ହାସଲ କରିବାର ସୁଯୋଗ ହାତଛଡ଼ା କଲା। ଶେଷ ଥର ପାଇଁ ୧୯୮୯-୯୦ରେ ବିଜେତା ହୋଇଥିବା ବେଙ୍ଗଲ ଏଥର ଚମତ୍କାର ପ୍ରଦର୍ଶନ ବଳରେ ୧୩ ବର୍ଷ ପରେ ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲା। ଗୁରୁବାର ଚତୁର୍ଥ ଦିବସ ଶେଷ ସୁଦ୍ଧା ହାତରେ ୪ ୱିକେଟ୍‌ ରଖି ପାଳି ଅଗ୍ରଣୀ ପାଇଁ ୭୧ ରନ୍‌ ଆବଶ୍ୟକ କରୁଥିବା ବେଙ୍ଗଲକୁ ଅନୁଷ୍ଟୁପ ମଜୁମଦାର ଆଶା ଦେଇଥିଲେ। ହେଲେ ଶୁକ୍ରବାର ପଞ୍ଚମ ତଥା ଅନ୍ତିମ ଦିନ ଉନାଦ୍‌କଟ୍‌ ହିଁ ବେଙ୍ଗଲ ଆଶାରେ ପାଣି ଢାଳି ଦେଇଥିଲେ। ସେ ଅନୁଷ୍ଟୁପଙ୍କ ସହିତ ଈଶାନ ପୋରେଲଙ୍କୁ ଶିକାର କରିବାରୁ ମାତ୍ର ୧ ଘଣ୍ଟା ୧୦ ମିନିଟ୍‌ ମଧ୍ୟରେ ବେଙ୍ଗଲ ୨୭ ରନ୍‌ ଯୋଡ଼ି ଅବଶିଷ୍ଟ ୪ ୱିକେଟ୍‌ ହରାଇ ପଛରେ ପଡ଼ିଯାଇଥିଲା। ସୌରାଷ୍ଟ୍ର ପ୍ରଥମ ପାଳି ୪୨୫ ରନ୍‌ ଜବାବରେ ବେଙ୍ଗଲ ପାଳି ୩୮୧ରେ ଅଟକି ଯାଇଥିଲା। ଅନୁଷ୍ଟୁପ ୬୩ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଅର୍ନବ ନନ୍ଦୀ ୪୦ ରନ୍‌ରେ ଅପରାଜିତ ରହିଥିଲେ। ଆଉଟ୍‌ ହେବା ପୂର୍ବରୁ ଅନୁଷ୍ଟୁପ ଓ ନନ୍ଦୀ ସପ୍ତମ ୱିକେଟ୍‌ରେ ୯୮ ରନ୍ ଯୋଡ଼ିଥିଲେ ମଧ୍ୟ ୨୦ ରନ୍‌ରେ ଶେଷ ୩ ୱିକେଟ୍‌ ହରାଇବାରୁ ସୌରାଷ୍ଟ୍ର ୪୪ ରନ୍‌ର ଅଗ୍ରଣୀ ପାଇଯାଇଥିଲା। ଏହାପରେ ସୌରାଷ୍ଟ୍ର ଦ୍ବିତୀୟ ପାଳିରେ ୩୪ ଓଭର ଖେଳି ୧୦୫/୪ କରିଥିଲା ବେଳେ ମ୍ୟାଚ୍‌ ଅମୀମାଂସିତ ଘୋଷିତ ହୋଇଥିଲା। ପ୍ରଥମ ପାଳିରେ ଶତକ ଜମାଇଥିବା ଅର୍ପିତ ଭାସବଡ଼ା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତେବେ ବାମହାତୀ ଦ୍ରୁତ ବୋଲର ତଥା ସୌରାଷ୍ଟ୍ର ଅଧିନାୟକ ଉନାଦ୍‌କଟ୍‌ ଚଳିତ ଋତୁର ସର୍ବାଧିକ ୱିକେଟ୍‌ ଦଖଲ କରିବାର କୀର୍ତ୍ତିମାନ ପାଇଥିଲେ। ସେ ୧୩.୨୩ ହାରରେ ମୋଟ ୬୭ ୱିକେଟ୍‌ ଅକ୍ତିଆର କରି ସର୍ବକାଳୀନ କୀର୍ତ୍ତିମାନଠାରୁ ଗୋଟିଏ ଦୂରରେ ରହିଗଲେ। ପଞ୍ଚମ ଦିନର ମ୍ୟାଚ୍‌ ବନ୍ଦ ଫାଟକ ପଛପଟେ ଖେଳାଯାଇଥିଲା। କରୋନା ଭୂତାଣୁ ଭୟ ଯୋଗୁଁ କୌଣସି ଦର୍ଶକଙ୍କୁ ଶୁକ୍ରବାର ମ୍ୟାଚ୍‌ ଦେଖିବାକୁ ଛଡ଼ା ଯାଇନଥିଲା।

ସଂକ୍ଷିପ୍ତ ସ୍କୋର୍‌: ସୌରାଷ୍ଟ୍ର ପ୍ରଥମ ପାଳି ୪୨୫ (ଅର୍ପିତ ଭାସବଡ଼ା ୧୦୬, ଆକାଶ ଦୀପ ୪/୯୮)। ବେଙ୍ଗଲ ପ୍ରଥମ ପାଳି ୩୮୧ (ସୁଦୀପ ଚାଟାର୍ଜୀ ୮୧, ଋଦ୍ଧିମାନ ଶାହା ୬୪, ଅନୁଷ୍ଟୁପ ମଜୁମଦାର ୬୩, ଧର୍ମେଶ ସିଂହ ଜାଦେଜା ୩/୧୧୪, ପ୍ରେରକ ମଙ୍କଡ଼ ୨/୪୫, ଜୟଦେବ ଉନାଦ୍‌କଟ୍‌ ୨/୯୬)। ସୌରାଷ୍ଟ୍ର ଦ୍ବିତୀୟ ପାଳି ୩୪ ଓଭରରେ ୧୦୫/୪ (ଅଭି ବାରୋଟ୍‌ ୩୯, ହାର୍ଭିକ୍‌ ଦେଶାଇ ୨୧, ସାହବାଜ୍‌ ଅହମ୍ମଦ ୨/୩୨)।

ଅଧିକ ଶୃଙ୍ଖଳା ଓ କମ୍‌ ତ୍ରୁଟି ବିଜୟ ଦେଲା: ଜୟଦେବ
ମ୍ୟାଚ୍‌ରେ ଆରମ୍ଭରୁ ଟସ୍‌ ଗୁରୁତ୍ବପୂର୍ଣ୍ଣ ଥିଲା। ଟସ୍‌ ଜିତିଲା ପରେ ସୌରାଷ୍ଟ୍ର ବ୍ୟାଟି˚ ଆରମ୍ଭ କରି ଏହି ନିଷ୍ପତ୍ତିର ଭରପୂର ଫାଇଦା ଉଠାଇଥିଲା। ବେଙ୍ଗଲ ମଧ୍ୟ ଭଲ ବ୍ୟାଟି˚ କରିଥିଲା। କିନ୍ତୁ ବୋଲରମାନେ ବ୍ୟାଟ୍ସମ୍ୟାନଙ୍କ ଛୋଟଛୋଟ ତ୍ରୁଟିର ଫାଇଦା ଉଠାଇବାରୁ ସୌରାଷ୍ଟ୍ରକୁ ପାଳି ଅଗ୍ରଣୀ ମିଳିଥିଲା। ଉଭୟ ଦଳ ୧୬୦ରୁ ଅଧିକ ଓଭର ଲେଖାଏ ବ୍ୟାଟି˚ କରିଥିଲେ। କିନ୍ତୁ ଶେଷରେ ଯେଉଁ ଦଳ ଅଧିକ ଶୃଙ୍ଖଳା ଓ କମ୍‌ ତ୍ରୁଟି ପ୍ରଦର୍ଶନ କରିଥିଲା, ମ୍ୟାଚ୍‌ର ଫଳ ତାହା ସପକ୍ଷରେ ଯାଇଥିଲା ବୋଲି ବିଜୟୀ ଦଳର ଅଧିନାୟକ ଜୟଦେବ ଉନାଦ୍‌କଟ୍‌ କହିଛନ୍ତି। ତେବେ ରାଜକୋଟ ପିଚ୍‌କୁ କ୍ରିକେଟ୍‌ ପାଇଁ ଅନୁପଯୁକ୍ତ ବୋଲି ବେଙ୍ଗଲ ପ୍ରଶିକ୍ଷକ ଅରୁଣ ଲାଲ ଦେଇଥିବା ମନ୍ତବ୍ୟକୁ ଜୟଦେବ ଖଣ୍ତନ କରିଛନ୍ତି। ଅନ୍ୟପକ୍ଷରେ ଟ୍ରଫି ହାତଛଡ଼ା ହୋଇଥିଲେ ବି ବେଙ୍ଗଲ ଖେଳାଳିଙ୍କୁ ପ୍ରଶ˚ସା କରିବାକୁ ପଛାଇ ନାହାନ୍ତି ଅରୁଣ ଲାଲ୍‌। ରଣଜୀ ଟ୍ରଫିର ଫାଇନାଲ୍‌ ପର୍ଯ୍ୟନ୍ତ ଯିବା ସହଜ କଥା ନୁହେଁ। ଯେଉଁଭଳି ଭାବେ ଲିଗ୍‌ ପର୍ଯ୍ୟାୟରୁ ଯାତ୍ରା ଆରମ୍ଭ ହୋଇଥିଲା ଏବ˚ ବଡ଼ବଡ଼ ମ୍ୟାଚ୍‌ଗୁଡ଼ିକୁ ଆମେ ପାର‌୍‌ କରି ଏତେବାଟ ଆସିପାରିଲୁ, ଏବେ ଟ୍ରଫି ନମିଳିଥିଲେ ବି ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିବାରୁ ମୁଣ୍ତ ଉଚ୍ଚା କରି ଘରକୁ ଫେରିପାରିବେ ବୋଲି ଅରୁଣ କହିଛନ୍ତି।

ସଂଖ୍ୟାରେ ରଣଜୀ ମୁଖ୍ୟାଂଶ
୧-ନିଜ ନାମରେ ୧୯୫୦-୫୧ ମସିହାରୁ ଅଂଶ ଗ୍ରହଣ କରିଆସୁଥିବା ସୌରାଷ୍ଟ୍ର ପ୍ରଥମ ଥର ରଣଜୀ ଟ୍ରଫି ବିଜେତା ହେଲା। ଏହା ପୂର୍ବରୁ ଗତ ୭ ଋତୁ ମଧ୍ୟରୁ ଏହି ଦଳ ୩ ଥର ଉପବିଜେତା ହୋଇଥିଲା। ଅନ୍ୟପକ୍ଷରେ ସୌରାଷ୍ଟ୍ର ରିଜିଅନ୍‌ରୁ ପୂର୍ବରୁ ନୱନଗର ଓ ୱେଷ୍ଟର୍ନ ଇଣ୍ଡିଆ ନାମରେ ଭାଗ ନେଇଥିବା ଦଳ ଯଥାକ୍ରମେ ୧୯୩୬-୩୭ ଓ ୧୯୪୩-୪୪ ଋତୁରେ ରଣଜୀ ଟ୍ରଫି ଜିତିଥିଲେ।
୪-ଗତ ୧୦ ଋତୁରେ ୪ ନୂ୍ଆ ରଣଜୀ ବିଜେତାଙ୍କୁ ଦେଖିବାକୁ ମିଳିଲା। ୨୦୧୦-୧୧ରେ ରାଜସ୍ଥାନ ତା’ର ପ୍ରଥମ ଥର ଟ୍ରଫି ଜିତିଥିଲା ବେଳେ ଗୁଜରାଟ ୨୦୧୬-୧୭, ବିଦର୍ଭ ୨୦୧୭-୧୮ ଏବଂ ସୌରାଷ୍ଟ୍ର ୨୦୧୯-୨୦ରେରେ ପ୍ରଥମ ଥର ପାଇଁ ଟ୍ରଫି ହାସଲ କଲା।
୧୨-ପୁଣି ଥରେ ଫାଇନାଲ୍‌ରେ ଝୁଣ୍ଟିଲା ବେଙ୍ଗଲ। ଫଳରେ ୧୨ ଥର ପାଇଁ ଉପବିଜେତାରେ ସନ୍ତୁଷ୍ଟ ରହିଲା। ଯାହାକି ଅନ୍ୟ ଦଳମାନଙ୍କ ତୁଳନାରେ ସର୍ବାଧିକ। ବେଙ୍ଗଲ ୧୪ ଥର ଫାଇନାଲ୍‌ ଖେଳିଥିଲା ବେଳେ ୨ ଥର ବିଜେତା ହୋଇଛି। ବେଙ୍ଗଲ ପଛକୁ ସର୍ବାଧିକ ଉପବିଜେତା ହୋଇଥିବା ଦଳ ହେଲା ତାମିଲନାଡୁ (୧୦), ଦିଲ୍ଲୀ ଓ ରାଜସ୍ଥାନ (ପ୍ରତ୍ୟେକ ୮)।
୨-ଚଳିତ ଋତୁରେ ଏକମାତ୍ର ଖେଳାଳି ଭାବେ ବିଜେତା ସୌରାଷ୍ଟ୍ର ଦଳର ଅର୍ପିତ ଭାସବଡ଼ା ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଶତକ ହାସଲ କରିଥିଲେ। ସେ ଗୁଜରାଟ ବିପକ୍ଷରେ ୧୩୯ ଓ ବେଙ୍ଗଲ ବିପକ୍ଷରେ ୧୦୬ ରନ୍‌ କରିଥିଲେ। ଏଭଳି ସଫଳତା ପାଇବାରେ ଶେଷ ଖେଳାଳି ଥିଲେ ଦୀନେଶ କାର୍ତିକ। ତାମିଲନାଡୁ ପକ୍ଷରୁ ଖେଳିଥିବା କାର୍ତିକ ୨୦୧୪-୧୫ ଋତୁର ସେମିଫାଇନାଲ୍‌ ଓ ଫାଇନାଲ୍‌ରେ ଶତକ ଜମାଇଥିଲେ। ଅବଶ୍ୟ ଚଳିତ ଋତୁରେ ବେଙ୍ଗଲ ତାରକା ଅନୁଷ୍ଟୁମ ମଜୁମଦାର ଲଗାତାର ଶତକ ଜମାଇଥିଲେ। ହେଲେ ସେ କ୍ବାର୍ଟର ଫାଇନାଲ୍‌ ଓ ସେମିଫାଇନାଲ୍‌ରେ ଏହି ସଫଳତା ପାଇଥିଲେ। ଫାଇନାଲ୍‌ରେ ସେ ଅର୍ଧଶତକ ହାସଲ କରିଥିଲେ।
୬୭-ବିଜେତା ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଦ୍‌କଟ୍‌ ଚଳିତ ଋତୁରେ ୬୭ ୱିକେଟ୍‌ ଅକ୍ତିଆର କରିଛନ୍ତି। ତେବେ ସେ ସର୍ବକାଳୀନ ସର୍ବାଧିକ ୱିକେଟ୍‌ ଦଖଲ କରିବାରୁ ମାତ୍ର ଗୋଟିଏ ପଛରେ ରହିଗଲେ। ଗତ ଋତୁରେ ଆଶୁତୋଷ ଅମନଙ୍କ ୬୮ ୱିକେଟ୍‌ କୀର୍ତ୍ତିମାନ ରହିଛି।

ସମ୍ବନ୍ଧିତ ଖବର