ବିକାଶରେ ବୋଲର୍‌ ରାଜ୍‌, ଦ୍ବିତୀୟ ଦିନ ୧୮ ୱିକେଟ୍‌ ଝଡ଼ିଲା

ବସନ୍ତଙ୍କୁ ପୁଣି ୫ ୱିକେଟ୍‌, ଲକ୍ଷ୍ୟ ୧୭୩; ଓଡ଼ିଶା ୬/୨

ଭୁବନେଶ୍ବର: ସ୍ଥାନୀୟ ବିକାଶ କ୍ରି‌କେଟ୍‌ ପଡ଼ିଆରେ ଶୁକ୍ରବାରଠୁ ଆରମ୍ଭ ହୋଇଥିବା ଓଡ଼ିଶା ଓ ରାଜସ୍ଥାନ ରଣଜୀ ମୁକାବିଲାରେ ବୋଲରଙ୍କ ରାଜ୍‌ ଜାରି ରହିଛି। ଫଳରେ ପ୍ରଥମ ଦିନ ୧୪ ୱିକେଟ୍‌ର ପତନ ଘଟିଥିଲା ବେଳେ ଶନିବାର ଦ୍ବିତୀୟ ଦିବସରେ ୧୮ ୱିକେଟ୍‌ ଝଡ଼ିଛି। ଦୁଇ ଦିନରେ ମୋଟ ୩୨ ୱିକେଟ୍‌ ଝଡ଼ିଯାଇଥିବାରୁ ଏହି ୪ ଦିନିଆ ମ୍ୟାଚ୍‌ ଏବେ ତୃତୀୟ ଦିନରେ ଶେଷ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଦ୍ବିତୀୟ ଦିବସ ଶେଷ ସୁଦ୍ଧା ସ୍ଥିତି ଏପରି ରହିଛି, ଯେଉଁଥିରେ ଓଡ଼ିଶାକୁ ମ୍ୟାଚ୍‌ ବଞ୍ଚାଇବା କଷ୍ଟକର ‌ହେବା ଆଶଙ୍କା ଉପୁଜିଛି। ବୋଲରମାନେ ବେଶ୍‌ ସଫଳ ହୋଇଥିଲେ ମଧ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଲଗାତାର ବିଫଳତା ଓଡ଼ିଶାକୁ ପୁଣି ଏକ ପରାଜୟ ମୁହାଁ କରିଛି। ଦ୍ରୁତ ବୋଲର ବସନ୍ତ ମହାନ୍ତି କ୍ରମାଗତ ପାଳିରେ ୫ ୱିକେଟ୍‌ ସଫଳତା ପାଇବା ସତ୍ତ୍ବେ ତାଙ୍କ ଫାଇଦାର ସୁଯୋଗ ବ୍ୟାଟ୍‌ସମ୍ୟାନ୍‌ମାନେ ଉଠାଇବାରେ ବ୍ୟର୍ଥ ହୋଇଛନ୍ତି। ଓଡ଼ିଶା ସମ୍ମୁଖରେ ରାଜସ୍ଥାନ ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା ବେଳେ ଘରୋଇ ଦଳ ୬ ରନ୍‌ରେ ୨ ୱିକେଟ୍‌ ହରାଇ ସଂକଟରେ ପଡ଼ିଯାଇଛି। ଏବେ ମ୍ୟାଚ୍‌ ଜିତିବାକୁ ଓଡ଼ିଶା ଆଉ ୧୬୭ ରନ୍‌ ଏବଂ ରାଜସ୍ଥାନକୁ ୮ ୱିକେଟ୍‌ ଦରକାର କରୁଛି।

ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ଜାରି
ଓଡ଼ିଶା ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ଏବେ ଦଳ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ପୂର୍ବ ମ୍ୟାଚ୍‌ରେ ପାଳି ଅଗ୍ରଣୀ ସତ୍ତ୍ବେ ଅପରିପକ୍ବ ବ୍ୟାଟିଂ ପାଇଁ ଝାଡ଼ଖଣ୍ଡ ନିକଟରୁ ମାତ୍ର ୨ ରନ୍‌ରେ ହାରିଯାଇଥିବା ଓଡ଼ିଶା ଏଠାରେ ଚାଲିଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ସେହି ବ୍ୟାଟ୍‌ସମ୍ୟାନ୍‌ଙ୍କ ଅପାରଗତା ଯୋଗୁଁ ପାଳି ଅଗ୍ରଣୀ ସୁଯୋଗ ହାତଛଡ଼ା କଲା। ବସନ୍ତ ମହାନ୍ତି ୬ ୱିକେଟ୍‌ ନେଇ ରାଜସ୍ଥାନ ପ୍ରଥମ ପାଳିକୁ ୧୩୫ରେ ସଫା କରିଦେବା ପରେ ପ୍ରଥମ ଦିବସ ଶେଷରେ ଓଡ଼ିଶା ୪ ୱିକେଟ୍‌ ବିନିମୟରେ ୭୮ ରନ୍‌ କରିଥିଲା। ହାତରେ ୬ ୱିକେଟ୍‌ ଥାଇ ରାଜସ୍ଥାନ ପ୍ରଥମ ପାଳି ସ୍କୋର୍‌ଠୁ ୫୭ ରନ୍ ଦୂରରେ ରହିଥିଲା। ହେଲେ ଶନିବାର ୩୩ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍‌ ହରାଇ ଓଡ଼ିଶା‌ ପାଳି ପଛୁଆ ରହିଥିଲା। ଦେବାଶିଷ ସାମନ୍ତରାୟ (୫୦) ଓ ଅଭିଷକ ରାଉତ (୨୪)ଙ୍କ ବ୍ୟତୀତ ଅନ୍ୟ ‌କୌଣସି ବ୍ୟାଟ୍‌ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ବିଶେଷକରି ରାଜସ୍ଥାନର ଦୁଇ ଦ୍ରୁତ ବୋଲର ଅନିକେତ ଚୌଧୂରୀ (୫/୪୯) ଓ ତନ୍‌ବୀର ଉଲ୍‌ ହକ୍‌ (୫/୧୪) ୧୦ ୱିକେଟ୍‌ ବାଣ୍ଟିନେବାରୁ ଓଡ଼ିଶା ପ୍ରଥମ ପାଳି ୧୧୧ ରନ୍‌ରେ ଶେଷ ହୋଇଗଲା। ଏଥି ସହିତ ଓଡ଼ିଶା ମଧ୍ୟ ୨୪ ରନ୍‌ ପଛରେ ପଡ଼ିଗଲା। ଏହାସତ୍ତ୍ବେ ଓଡ଼ିଶା ବ୍ୟାଟ୍‌ସମ୍ୟାନ୍‌ମାନେ ‌ଚେତିଲେନି। ଦ୍ବିତୀୟ ପାଳିରେ ବି ପୁଣି ଦଳକୁ ପ୍ରାରମ୍ଭିକ ନିରାଶ କରିଛନ୍ତି। ରଞ୍ଜିତ୍‌ ସିଂହ (୧) ଓ ଉପରକ୍ରମକୁ ପଦୋନ୍ନତି ପାଇଥିବା ୱିକେଟ୍‌ରକ୍ଷକ ପି ରୋସନ୍‌ କୁମାର (୦) ଦଳୀୟ ସ୍କୋର୍‌ ୨ ରନ୍‌ ବେଳକୁ ପାଭିଲିୟନ୍‌ ଫେରିଯାଇଛନ୍ତି। ଏହି ଦୁଇଟିଯାକ ୱିକେଟ୍‌ ତନ୍‌ବୀର ଉଲ୍‌ ହକ୍‌ ଝଡ଼ାଇ ଦେଇଛନ୍ତି। ହେଲେ ଓଡ଼ିଶାର ବିଜୟ ବିଶେଷକରି ଅଧିନାୟକ ବିପ୍ଲବ ସାମନ୍ତରାୟ ଓ ଶୁଭ୍ରାଂଶୁ ସେନାପତିଙ୍କ ଉପରେ ସଂପୂର୍ଣ୍ଣ ନିର୍ଭର କରିବ।

ବସନ୍ତ ନେଲେ ୧୧ ୱିକେଟ୍‌
ବୋଲରଙ୍କୁ ସୁହାଉଥିବା ବିକାଶ ପିଚ୍‌ରୁ ଓଡ଼ିଶାର ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତି ବେଶ୍‌ ଫାଇଦା ଉଠାଇଛନ୍ତି। ପ୍ରଥମ ପାଳିରେ ୨୦ ରନ୍‌ରେ ୬ ୱିକେଟ୍‌ ନେଇଥିବା ବସନ୍ତ ଦ୍ବିତୀୟ ପାଳିରେ ୨୯ ରନ୍‌ ବ୍ୟୟ କରି ୫ ୱିକେଟ୍‌ ଦଖଲ କରିଥିଲେ। ଏହି ମ୍ୟାଚ୍‌ରେ ସେ ୪୯ ରନ୍‌ ଦେଇ ମୋଟ ୧୧ ୱିକେଟ୍‌ ନେଲେ। ଏଥି ସହିତ ତୃତୀୟ ଥର ପାଇଁ ବସନ୍ତ ମଧ୍ୟ ୧୦ ବା ତା’ଠୁ ଅଧିକ ୱିକେଟ୍‌ ଅକ୍ତିଆର କଲେ। ଆଉ ବସନ୍ତଙ୍କ ଏହି ଘାତକ ବୋଲିଂ ସାଙ୍ଗକୁ ରାଜେଶ ମହାନ୍ତି (୨/୩୧) ଓ ଧୀରାଜ ସିଂହ (୨/୨୭)ଙ୍କ ମହତ୍ବପୂର୍ଣ୍ଣ ସହାୟତା ଯୋଗୁଁ ପ୍ରଥମ ପାଳିରେ ୧୩୫ ରନ୍‌ କରିଥିବା ରାଜସ୍ଥାନ ଦ୍ବିତୀୟ ପାଳିରେ ୧୪୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଗୌତମ (୫୧) ଏକମାତ୍ର ଅର୍ଧଶତକ ଜମାଇଥିଲା ବେଳେ ସଲ୍‌ମନ୍‌ ଖାନ୍‌ ୩୯ ରନ୍‌ର ବହୁମୂଲ୍ୟ ଅବଦାନ ରଖିଥିଲେ। ଫଳରେ ରାଜସ୍ଥାନ ଦ୍ବିତୀୟ ପାଳିରେ ୧୪୮ ରନ୍‌ କରିନେଇ ଓଡ଼ିଶାକୁ ପ୍ରବଳ ଚାପରେ ରଖିଦେଇଛି।

ସମ୍ବନ୍ଧିତ ଖବର