ହେଟ୍‌ମେୟର ଓ କୋଟ୍ରେଲ ଦେଲେ ବିଜୟ: ଦ୍ବିତୀୟ ଦିନିକିଆରେ ଇଂଲଣ୍ଡ୍‌କୁ ୨୬ ରନ୍‌ରେ ହରାଇଲା ୱେଷ୍ଟଇଣ୍ଡିଜ୍‌

ବ୍ରିଜ୍‌ଟାଉନ୍‌: କ୍ରିସ୍‌ ଗେଲ୍‌ଙ୍କ ଶତକକୁ ନିଷ୍ଫଳ କରିଦେଇ ଜୋ ରୁଟ୍‌ ଓ ଜାସନ୍‌ ରୟଙ୍କ ଶତକ ବଳରେ ପ୍ରଥମ ଦିନିକିଆକୁ ଜିତି ନେଇଥିବା ଇଂଲଣ୍ଡ୍‌ ଶୁକ୍ରବାର ଖେଳିଥିବା ଦ୍ବିତୀୟ ଦିନିକିଆରେ ହାରିଗଲା। ବିଶେଷକରି ସିମ୍ରନ୍‌ ହେଟ୍‌ମେୟରଙ୍କ ଧୂଆଁଧାର ଶତକ ପରେ ସେଲ୍‌ଡନ୍‌ କୋଟ୍ରେଲ (୫/୪୬)ଙ୍କ ଘାତକ ବୋଲିଂ ହିଁ ଘରୋଇ ୱେଷ୍ଟଇଣ୍ଡିଜ୍‌ ଦଳକୁ ବିଜୟ ଭେଟି ଦେଇଥିଲା। ଇଣ୍ଡିଜ୍‌ ଦଳ ୨୬ ରନ୍‌ରେ ଦ୍ବିତୀୟ ଦିନିକିଆ ଜିତି ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇଆସିଛି। ହେଟ୍‌ମେୟର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଟସ୍‌ ଜିତି ଇଂଲଣ୍ଡ୍‌ ପ୍ରଥମେ ବ୍ୟାଟିଂ ପାଇଁ ଇଣ୍ଡିଜ୍‌ ଦଳକୁ ଆହ୍ବାନ କରିଥିଲା। ପ୍ରଥମ ମ୍ୟାଚ୍‌ରେ ଶତକ ଜମାଇଥିବା ଗେଲ୍‌ ଏହି ମ୍ୟାଚ୍‌ରେ ମଧ୍ୟ ଅର୍ଧଶତକ ଜମାଇଥିଲେ। ସେ ୬୩ ବଲ୍‌ରୁ ୪ ଛକା ଓ ଗୋଟିଏ ଚୌକା ବଳରେ ୫୦ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ କାମ୍ପବେଲ୍‌ଙ୍କ ସହ ପ୍ରଥମ ୱିକେଟ୍‌ରେ ୬୧ ଓ ସାଇ ହୋପ୍‌ଙ୍କ ସହ ଦ୍ବିତୀୟ ୱିକେଟ୍‌ରେ ୩୭ ରନ୍ ଯୋଡ଼ିଥିଲେ। ହେଲେ ଏହାପରେ ହେଟ୍‌ମେୟର ଚମତ୍କାର ପାଳି ଖେଳି ୮୩ ବଲ୍‌ରୁ ୭ ଚୌକା ଓ ୪ ଛକା ସହାୟତାରେ ୧୦୪ ରନ୍‌ କରି ଅପରାଜିତ ରହିଥିଲେ। ଫଳରେ ଇଣ୍ଡିଜ୍‌ ୬ ୱିକେଟ୍‌ ବିନିମୟରେ ୨୮୯ ରନ୍‌ କରିଥିଲା। ଜବାବରେ ଅଧିନାୟକ ଇୱିନ୍‌ ମୋର୍ଗାନ୍‌ (୭୦) ଓ ବେନ୍‌ ଷ୍ଟୋକ୍‌ସ (୭୯)ଙ୍କ ଅର୍ଧଶତକ ସତ୍ତ୍ବେ ଇଂଲଣ୍ଡ ୨୬୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। କୋଟ୍ରେଲ ଆରମ୍ଭ ଓ ଶେଷରେ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତାଙ୍କୁ ସହଯୋଗ ଦେଇ ଅଧିନାୟକ ଜାସନ୍‌ ହୋଲ୍‌ଡର ୩ ୱିକେଟ୍‌ ନେଇ ଦଳ ବିଜୟରେ ଅନ୍ୟତମ ଭାଗୀଦାର ରହିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ୱେଷ୍ଟଇଣ୍ଡିଜ୍‌ ପାଳି ୨୮୯/୬ (ହେଟ୍‌ମେୟର-୧୦୪*, ଗେଲ୍‌-୫୦, ହୋପ୍‌-୩୩, ଡାରେନ୍‌ ବ୍ରାଭୋ-୨୫, କାମ୍ପବେଲ୍‌-୨୩, ଉଡ୍‌-୧/୩୮, ପ୍ଲଙ୍କେଟ୍‌-୧/୩୯, ଷ୍ଟୋକ୍‌ସ-୧/୬୨, ଆଦିଲ ରସିଦ୍‌-୧/୨୮)। ଇଂଲଣ୍ଡ୍‌ ପାଳି ୪୭.୪ ଓଭରରେ ୨୬୩ (ଷ୍ଟୋକ୍‌ସ-୭୯, ମୋର୍ଗାନ୍‌-୭୦, ଜୋ ରୁଟ୍‌-୩୬, ‌ଜୋସ୍‌ ବଟ୍ଟଲର୍‌-୩୪, କୋଟ୍ରେଲ-୫/୪୬, ହୋଲ୍‌ଡର-୩/୫୩, ଥୋମାସ୍‌-୧/୩୨, ବ୍ରାଥ୍‌ୱେଟ୍‌-୧/୩୭)।

ସମ୍ବନ୍ଧିତ ଖବର