ରାଜ୍ୟରେ ପାଠାଗାର ଆନ୍ଦୋଳନ ଆବଶ୍ୟକ: ପୁସ୍ତକ ମହୋତ୍ସବ ‘ଅକ୍ଷର’

ଭୁବନେଶ୍ବର: ଗୋଟିଏ ଜାତି ଓ ସଂସ୍କୃତିର ସମୃଦ୍ଧି ପାଇଁ ପୁସ୍ତକ ଆୟୁଧ। ତେଣୁ ପୁସ୍ତକ ମେଳା ସହ ପାଠାଗାର ଆନ୍ଦୋଳନକୁ ବ୍ୟାପକ କରାଯିବା ଉଚିତ୍‌ ବୋଲି କହିଛନ୍ତି ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଓଡ଼ିଶା ପୁସ୍ତକ ମହୋତ୍ସବ ‘ଅକ୍ଷର‌’ରେ ଅତିଥି ଭାବେ ଯୋ‌ଗଦେଇ ସେ ବିଜ୍ଞାନ, ସମାଜତତ୍ତ୍ବ ଓ ନୃତତ୍ତ୍ବ ଆଧାରିତ ସାହିତ୍ୟ ସୃଷ୍ଟି ଉପରେ ଗୁରୁତ୍ବ ଦେଇଥିଲେ। ବିଶିଷ୍ଟ ଔପନ୍ୟାସିକା ପଦ୍ମଶ୍ରୀ ପ୍ରତିଭା ରାୟ କହିଲେ, ପୁସ୍ତକ ଚେତନାର ଦର୍ପଣ। ସମଗ୍ର ବିଶ୍ବରେ ପ୍ରକାଶ ପାଉଥିବା ଏକ ତୃତୀୟାଂଶ ପୁସ୍ତକ ଭାରତରେ ପ୍ରକାଶ ପାଉଛି। ମାତ୍ର ପାଠକଙ୍କ ସଂଖ୍ୟା କମୁଛି। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ଯୁଗ୍ମ ଶାସନ ସଚିବ ସଂଘମିତ୍ରା ଶତପଥୀ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ଉପସଭାପତି ଗଙ୍ଗାଧର ତ୍ରିପାଠୀ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ସଂଜୟ କୁମାର ପଣ୍ଡାଙ୍କ କବିତା ପୁସ୍ତକ ‘ଭାବ ମଲ୍ଲିକା’ ଏବଂ ଭାନୁମତୀ ସାହୁଙ୍କ ଉପନ୍ୟାସ ‘ପଦ୍ମାଳୟା ପ୍ୟାଲେସ୍‌’ ଲୋକାର୍ପିତ ହୋଇଥିଲା। ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର