ଦ୍ବିତୀୟ ଟ୍ବେଣ୍ଟି-୨୦ ଜିତିଲା ବାଂଲାଦେଶ

ସାକିବ୍‌ଙ୍କୁ ୫ ୱିକେଟ୍‌, ଶୃଙ୍ଖଳା ଜୀବିତ

ମିରପୁର: ସାକିବ ଅଲ୍‌ ହାସନ୍‌ (୪୨* ରନ୍‌, ୫ ୱିକେଟ୍‌)ଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ବଳରେ ଗୁରୁବାର ବାଂଲାଦେଶ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ୩୧ ରନ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ପରାସ୍ତ କରିଛି। ବାଂଲାଦେଶ ଗସ୍ତରେ ଥିବା ୱେଷ୍ଟ୍‌ଇଣ୍ଡିଜ୍‌ ପ୍ରଥମ ଟ୍ବେଣ୍ଟି-୨୦କୁ ଜିତିଥିଲା ବେଳେ ଘରୋଇ ଦଳ ଦ୍ବିତୀୟକୁ ଜିତିବାରୁ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା (୧-୧)ରେ ଜୀବିତ ରହିଛି। ଲିଟନ୍‌ ଦାସ (୬୦ ରନ୍‌, ୩୪ ବଲ୍‌, ୪ ଛକା, ୬ ‌ଚୌକା)ଙ୍କ ଅର୍ଧଶତକ ସାଙ୍ଗକୁ ମହମ୍ମଦୁଲା ୪୩* ଓ ସାକିବଙ୍କ ୪୨* ଏବଂ ‌ସୌମ୍ୟ ସରକାରଙ୍କ ୩୨ ରନ୍‌ ସହାୟତରେ ବାଂଲାଦେଶ ୪ ୱିକେଟ୍‌ ବିନିମୟରେ ୨୧୧ ରନ୍‌ କରିଥିଲା। ୱେଷ୍ଟ୍‌ଇଣ୍ଡିଜ୍‌ ପକ୍ଷରୁ ସେଲ୍‌ଡନ୍‌ କୋଟ୍ରେଲ ୨ ୱିକେଟ୍‌ ନେଇଥିଲେ। ଜବାବରେ ୱେଷ୍ଟ୍‌ଇଣ୍ଡିଜ୍‌ ୧୯.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୫ ରନ୍‌ କରିଥିଲା। ରୋଭମାନ ପାୱେଲ୍‌ (୫୦) ଅର୍ଧଶତକ ହାସଲ କରିଥିଲା ବେଳେ ସାଇ ହୋପ୍‌ ୩୬ ଓ କେମୋ ପଲ୍‌ ୨୯ ରନ୍‌ କରିଥିଲେ। ସାକିବ ୫, ମୁସ୍ତାଫିଜୁର ରହମାନ ୨ ୱିକେଟ୍ ନେଇଥିଲେ। ସାକିବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ୨୦ ଓଭର ୨୧୧/୪ (ଲିଟନ୍‌ ଦାସ ୬୦, ମହମ୍ମଦୁଲା ୪୩*, ସକିବ ଅଲ୍‌ ହାସନ୍‌ ୪୨*, ସୌମ୍ୟ ସରକାର ୩୨, ସେଲ୍‌ଡନ୍‌ କୋଟ୍ରେଲ ୨/୩୬)। ୱେଷ୍ଟ୍‌ଇଣ୍ଡିଜ୍‌ ୧୯.୨ ଓଭର ୧୭୫ (ରୋଭମାନ ପାୱେଲ୍‌ ୫୦, ସାଇ ହୋପ୍‌ ୩୬, କେମୋ ପଲ୍‌ ୨୯, ସକିବ ଅଲ୍‌ ହାସନ ୫/୨୧, ମୁସ୍ତାଫିଜୁର ରହମାନ ୨/୫୦)।

ସମ୍ବନ୍ଧିତ ଖବର