ପ୍ରିକ୍ବାର୍ଟରରେ ସେରେନା, ଜୋକୋଭିକ୍‌

ନ୍ୟୁୟର୍କ: ପୁରୁଷ ଏକକରେ ତୃତୀୟ ମାନ୍ୟତା ରୋଜର ଫେଡେରର୍‌ ଏବଂ ମହିଳା ଏକକରେ ତୃତୀୟ ମାନ୍ୟତା କାରୋଲିନେ ପ୍ଲିସ୍‌କୋଭାଙ୍କ ପରେ ପୁରୁଷ ଏକକରେ ଶୀର୍ଷ ମାନ୍ୟତା ନୋଭାକ୍‌ ଜୋକୋଭିକ୍‌ ଏବଂ ମହିଳା ଏକକରେ ଅଷ୍ଟମ ମାନ୍ୟତାପ୍ରାପ୍ତ ସେରେନା ୱିଲିୟମ୍‌ସ ଚଳିତ ବର୍ଷର ଚତୁର୍ଥ ତଥା ଶେଷ ଗ୍ରାଣ୍ଡ୍‌ ସ୍ଲାମ୍‌ ୟୁଏସ୍‌ ଓପନ୍‌ ଟେନିସ ପ୍ରତିଯୋଗିତାର ପ୍ରି-କ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପୂର୍ବ ବିଜେତା ତଥା ସର୍ବିଆ ତାରକା ଜୋକୋଭିକ୍‌ ତୃତୀୟ ରାଉଣ୍ଡ୍‌ରେ ଆମେରିକାର ଡେନିସ୍‌ କୁଦ୍‌ଲାଙ୍କୁ ସିଧାସଳଖ ୬-୩, ୬-୪ ଓ ୬-୨ ସେଟ୍‌ରେ ପରାସ୍ତ କରି ସପ୍ତଦଶ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫି ହାସଲ ଦିଗରେ ଅଗ୍ରସର ହୋଇଛନ୍ତି। ପ୍ରି-କ୍ବାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା ପୂର୍ବତନ ବିଜେତା ଷ୍ଟାନ୍‌ ୱା‌ରିଙ୍କାଙ୍କ ସହ ହେବ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୱାରିଙ୍କା ଇଟାଲିର ପାଓଲୋ ଲୋରେଞ୍ଜିଙ୍କୁ ୬-୪, ୭-୬ ଓ ୭-୬ ସେଟ୍‌ରେ ପରାସ୍ତ କରିଥିଲେ। ଏଥି ସହିତ ୨୦୧୬ରେ ବିଜେତା ହେବା ପରେ ୱାରିଙ୍କା ପ୍ରଥମ ଥର ପାଇଁ ଏଠାରେ ଚତୁର୍ଥ ରାଉଣ୍ଡ ପ୍ରବେଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପଞ୍ଚମ ମାନ୍ୟତାପ୍ରାପ୍ତ ରୁଷିଆର ଡାନିଲ୍‌ ମେଡ୍‌ଭେଡେଭ୍‌, ପଞ୍ଚଦଶ ମାନ୍ୟତାପ୍ରାପ୍ତ ଡେଭିଡ୍‌ ଗଫିନ୍‌ ଏବଂ ଗ୍ରିଗୋରି ଦିମିତ୍ରୋଭ୍‌ ତୃତୀୟ ରାଉଣ୍ଡ୍‌ ମୁକାବିଲା ଜିତି ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିନେଇଛନ୍ତି।

ମହିଳା ଏକକ ବର୍ଗରେ ଆମେରିକାର ସେରେନା ୱିଲିୟମ୍‌ସ ଚେକ୍‌ ଗଣରାଜ୍ୟ ପ୍ରତିଦ୍ବନ୍ଦ୍ବୀ କାରୋଲିନା ମୁଚୋଭାଙ୍କୁ ସିଧାସଳଖ ୬-୩ ଓ ୬-୨ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ସହଜ ବିଜୟ ସହ ସେରେନା ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍‌ ପ୍ରବେଶ ସହିତ କୀର୍ତ୍ତିମାନ ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ହାସଲ ଦିଗରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ମହିଳା ଏକକରେ ଅନ୍ୟମାନଙ୍କ ମଧ୍ୟରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆସ୍‌ଲେ ବାର୍ଟି, ପଞ୍ଚମ ମାନ୍ୟତାପ୍ରାପ୍ତ ଇଲିନା ସ୍ବି‌େତାଲିପା, ଷୋଡ଼ଶ ମାନ୍ୟତାପ୍ରାପ୍ତ ଜୋହାନା କୋଣ୍ଟା, ୨୨ ମାନ୍ୟତାପ୍ରାପ୍ତ ପେଟ୍ରା ମାର୍ଟିକ୍‌ ନିଜ ନିଜର ତୃତୀୟ ରାଉଣ୍ଡ୍‌ ବିଜୟ ସହ ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

ସମ୍ବନ୍ଧିତ ଖବର