କବାଡ଼ି ଖେଳାଳିଙ୍କୁ ପାଇଖାନାରେ ଖାଦ୍ୟ ପରିବେଷଣ, ଭାଇରାଲ ହେଲା ଫଟୋ ଓ ଭିଡିଓ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସାହରନପୁରସ୍ଥିତ ଭୀମରାଓ ଆମ୍ବେଦକର ଷ୍ଟାଡିୟମ୍‌ରେ ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅବସରରେ ଖେଳାଳିଙ୍କୁ ପାଇଖାନା ଘରେ ଖାଦ୍ୟ ପରିବେଷଣ କରାଯାଉଥିବାର ଫଟୋ ଓ ଭିଡିଓ ପଦାକୁ ଆସିଛି। ଯାହା ସମଗ୍ର କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। କ୍ରୀଡ଼ାବିତ୍‌ମାନେ ଦେଶ ପାଇଁ ଗର୍ବ ଓ ଗୌରବ ହୋଇଥିଲା ବେଳେ ସେମାନଙ୍କୁ ପାଇଖାନାରେ କିଭଳି ଏବଂ କେଉଁ ପରିସ୍ଥିତିରେ ଖାଦ୍ୟ ପରିବେଷଣ କରାଗଲା? ତାହା ଏବେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। କବାଡ଼ି ଖେଳାଳିଙ୍କ ପ୍ରତି ହୋଇଥିବା ଏଭଳି ଅସମ୍ମାନକୁ ବି ଚାରିଆଡ଼ୁ ଘୋର ନିନ୍ଦା କରାଯାଉଛି।

ଏହି ଭିଡିଓ ଏବଂ ଫଟୋ ପଦାକୁ ଆସିବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଦୋଷୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍ତର ପ୍ରଦେଶ କ୍ରୀଡ଼ା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆଗାମୀ ସମୟରେ ଏଭଳି ନିନ୍ଦନୀୟ ଘଟଣାର ଯେଭଳି ପୁନରାବୃତ୍ତି ନହୁଏ, ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି। ଉତ୍ତର ପ୍ରଦେଶ କ୍ରୀଡ଼ା ବିଭାଗ ମାମଲାର ଗୁରୁତ୍ବକୁ ବୁଝି ସାହରନପୁର ଆଞ୍ଚଳିକ କ୍ରୀଡ଼ା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ମୁଖ୍ୟ ଶାସନ ସଚିବ ମଧ୍ୟ ଖାଦ୍ୟ ଯୋଗାଇବା ଦାୟିତ୍ବରେ ଥିବା ସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି। ଫଳରେ ଏହି ମାମଲାରେ ଆହୁରି କିଛି ମୁଣ୍ଡ ଗଡ଼ିବାର ସମ୍ଭାବନା ରହିଛି। ସେପଟେ ପାଇଖାନାରୁ ଦୁର୍ଗନ୍ଧ ବାହାରୁଥିବାରୁ କେତେକ ଖେଳାଳି ଉପାସ ରହିଥିବାର ଖବର ମଧ୍ୟ ପଦାକୁ ଆସିଛି। ଏପରିକି ଖାଦ୍ୟ ରନ୍ଧା ହେବା ପରେ ଏହାକୁ ପାଇଖାନା ଚଟାଣରେ କାଗଜ ବିଛାଇ ରଖାଯାଇଥିବାରୁ ଅଧିକାଂଶ ଖେଳାଳି ଏହାକୁ ଖାଇବାକୁ ରାଜି ହୋଇନଥିଲେ। ସେମାନେ ଏଥିନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିଲେ।

ଏଭଳି ଘଟଣା ପଦାକୁ ଆସିବା ପରେ କ୍ଷୁବ୍ଧ ଠାକୁର କହିଛନ୍ତି, ଦେଶରେ କ୍ରୀଡ଼ାର ବିକାଶ ପାଇଁ ଆମେ ନିରନ୍ତର ପ୍ରୟାସ ଜାରି ରଖିଛୁ। ପତିଆଲାସ୍ଥିତ ଜାତୀୟ କ୍ରୀଡ଼ା ସଂସ୍ଥାନ ହେଉ କିମ୍ବା ସମଗ୍ର ଦେଶରେ ଥିବା ବିଭିନ୍ନ କ୍ରୀଡ଼ାକେନ୍ଦ୍ର, ସବୁଠି ପୁଷ୍ଟିକର ତଥା ସୁଷମ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଏପରିକି ଏଠାକାର ସୁବିଧା ସୁଯୋଗ କୌଣସି ପଞ୍ଚ ତାରକା ହୋଟେଲଠାରୁ କିଛି କମ୍ ନୁହେଁ। ଦେଶ କ୍ରୀଡ଼ା ମହାଶକ୍ତି ହେବା ଦିଗରେ ଅଗ୍ରସର ହେଉଥିଲା ବେଳେ ଖେଳାଳିମାନଙ୍କୁ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପରିବେଷଣ କରାଯିବାକୁ ଆଦୌ ବରଦାସ୍ତ କରାଯିବନି।

ସମ୍ବନ୍ଧିତ ଖବର