ସ୍ମିଥ୍‌ଙ୍କ ଦ୍ବିଶତକ: ଅଷ୍ଟ୍ରେଲିଆ ଦୃଢ଼, ୪୯୭/୮ରେ ଅଷ୍ଟ୍ରେଲିଆର ପାଳି ଘୋଷଣା

ପଛରେ ପଡ଼ିଲେ ସଚିନ, କୋହଲି

ମା‌ଞ୍ଚେଷ୍ଟର୍‌: ବିଶ୍ବ ପ୍ରତିଯୋଗିତା ଅନ୍ତର୍ଗତ ଆସେସ୍ ଶୃଙ୍ଖଳାର ଚତୁର୍ଥ ଟେଷ୍ଟରେ ଷ୍ଟିଭେନ୍ ସ୍ମିଥଙ୍କ ଦ୍ବିଶତକ (୨୧୧) ମାଡ଼ରେ ଫିକା ପଡ଼ିଯାଇଛନ୍ତି ଜୋଫ୍ରା ଆର୍ଚର। ଲର୍ଡସରେ ଆର୍ଚରଙ୍କ ବାଉନ୍ସରରେ ଆହତ‌ ହୋଇ ଦ୍ବିତୀୟ ପାଳି ଏବଂ ପରବର୍ତୀ ତୃତୀୟ ଟେଷ୍ଟ୍ ଖେଳିପାରିନଥିବା ସ୍ମିଥ୍‌ ଏଠାରେ ଦୃଢ଼ ଜବାବ ଦେଇଛନ୍ତି। ଆର୍ଚରଙ୍କଠୁ ପ୍ରତିଶୋଧ ମଧ୍ୟ ନେଇଛନ୍ତି। ଅଷ୍ଟ୍ରେଲିଆ ୮ ୱିକେଟ୍‌ ବିନିମୟରେ ୪୯୭ ରନ୍ କରି ପାଳି ଘୋଷଣା କରି ଦେଇଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧ ୱିକେଟ୍ ବିନିମୟରେ ୨୩ ରନ୍ କରିଛି।‌ ଡେନିଲଙ୍କ ୱିକେଟ୍‌ କମିନ୍ସ ନେଇଛନ୍ତି।
ବର୍ଷା ବଧାପ୍ରାପ୍ତ ପ୍ରଥମ ଦିନ ସ୍କୋର୍‌ ୧୭୦/୩ରୁ ଗୁରୁବାର ଖେଳିଥିବା ଅଷ୍ଟ୍ରେଲିଆ ଟ୍ରାଭିସ୍ ହେଡ୍‌ (୧୯) ଏବଂ ମାଥ୍ୟୁ ୱାଦେ (୧୬)ଙ୍କୁ ସଅଳ ହରାଇଥିଲା। ଷ୍ଟି‌ଭେନ୍ ସ୍ମିଥଙ୍କ ସହ ଯୋଗଦେଇ ଅଧିନାୟକ ଟିମ୍ ପେନ୍‌ ଷଷ୍ଠ ୱିକେଟ୍ ଲାଗି ୧୪୫ ରନ୍ ଯୋଡ଼ିବାରୁ ଅଷ୍ଟ୍ରେଲିଆ ବଡ଼ ସ୍କୋର୍‌ ପାଇଁ ମୁଳଦୂଆ ପାଇଥିଲା। ଲଗାତାର ଅଷ୍ଟମ ଆସେସ୍ ପାଳିରେ ୫୦ ରନ୍‌ ଅତିକ୍ରମ କରିଥିବା ସ୍ମିଥ୍ ନିଜର ୨୬ତମ ଟେଷ୍ଟ ଶତକ ହାସଲ କରିନେଇଥିଲେ। ବିରାଟ କୋହଲି ଏବଂ ଇଞ୍ଜାମାମ ଉଲ୍ ହକ୍ (ଉଭୟ ୨୫ ଶତକ)ଙ୍କୁ କାଟି ଗ୍ୟାରି ସୋବର୍ସଙ୍କ ସମକକ୍ଷ ହୋଇଥିଲେ। ସଚିନ ତେନ୍ଦୁଲକର (୫୧)ଙ୍କ ନେତୃତ୍ବରେ ଥିବା ଏହି ଶତକ କ୍ଲବ୍‌ରେ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି। ଦ୍ବିତୀୟ ଦିନ ଚା’ପାନ ବିରତି ପରେ ପ୍ରଥମ ବଲରେ ଟିମ୍ ପେନ୍ (୫୮, ୧୨୭ ବଲ, ୮ ଚୌକା)ଙ୍କୁ ଓଭରଟନ୍ କଟ୍ ବିହାଇଣ୍ଡ୍ କରାଇ ନେଇଥିଲେ। ଏହା ପରେ ସ୍ମିଥ୍ କେତେକ ଆକର୍ଷଣୀୟ ସଟ୍‌ ଖେଳି ନିଜ ଟେଷ୍ଟ୍ ଜୀବନର ତୃତୀୟ ଦ୍ବିଶତକ ହାସଲ କରି ନେଇଥିଲେ। ଷ୍ଟୁଆର୍ଟ ବ୍ରଡଙ୍କଠାରୁ ୨ ରନ୍‌ ନେଇ ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଓଲ୍ଡ ଟ୍ରାଫୋର୍ଡରେ ଦ୍ବିଶତକ ଜମାଇବାରେ ଅଷ୍ଟମ ଖେଳାଳି ହୋଇଥିଲେ। ଶେଷକୁ ସ୍ମିଥ୍ (୨୧୧, ୩୧୯ ବଲ, ୨୪‌‌ ଚୌକା, ୨ ଛକା) ସାମୟିକ ସ୍ପିନର୍ ତଥା ଇଂଲଣ୍ଡ ଅଧିନାୟକ ‌ଜୋ ରୁଟଙ୍କ ଶିକାର ହୋଇଥିଲେ। ଏହା ପରେ ମିଚେଲ ଷ୍ଟାର୍କ ଦ୍ରୁତ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପାଳିକୁ ରକେଟ୍ ବେଗରେ ଅଗ୍ରସର କରାଇଥିଲେ। ୪୯ ବଲରୁ ୫୦ ରନ୍ ପୂର୍ଣ୍ଣ କରିଥିଲେ ଷ୍ଟାର୍କ। ଏହା ମଧ୍ୟରେ ୭ ଚୌକା ଓ ୨ ଛକା ସାମିଲ ଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୨୬ ଓଭରରେ ୪୯୭/୮, ଘୋଷଣା (ଷ୍ଟିଭେନ୍‌ ସ୍ମିଥ୍‌-୨୧୧, ମାର୍ନସ ଲାବୁଚାନ୍‌-୬୭, ଟିମ୍ ପେନ୍‌-୫୮, ମିଚେଲ ଷ୍ଟାର୍କ-୫୪*, ନାଥନ୍ ଲାୟନ୍‌-୨୬*, ଷ୍ଟୁଆର୍ଟ ବ୍ରଡ୍‌-୩/୯୭, ଜ୍ୟାକ୍‌ ଲିଚ୍‌-୨/୮୩, କ୍ରେଗ୍‌ ଓଭରଟନ୍-୨/୮୫, ଜୋ ରୁଟ୍‌-୧/୩୯)। ଇଂଲଣ୍ଡ ପ୍ରଥମ ପାଳି: ୧୦ ଓଭରରେ ୨୩/୧ (ଜୋ ଡେନଲି-୪, ରୋରି ବର୍ନସ-୧୫*, କ୍ରେଗ୍‌ ଓଭରଟନ୍‌-୩*, ପ୍ୟାଟ୍ କମିନ୍ସ-୧/୧୦)।

ମା‌ଞ୍ଚେଷ୍ଟର୍‌: ବଲ୍ ବିକୃତ ବିବାଦ ପାଇଁ ୧୨ ମାସର ନିଲମ୍ବନ ଦଣ୍ଡ ଭୋଗିବା ପରେ ଟେଷ୍ଟ୍‌ କ୍ରିକେଟ୍‌କୁ ପ୍ରତ୍ୟାବର୍ତନ କରିଥିବା ଷ୍ଟିଭେନ୍ ସ୍ମିଥ୍ ଚଳିତ ଆସେସ୍ ଶୃଙ୍ଖଳାରେ ଗୁରୁବାର ଆଉ ଏକ ଶତକ ହାସଲ କରିଛନ୍ତି। ଏହା ତାଙ୍କ‌ ଖେଳ ଜୀବନର ୨୬ତମ ଏବଂ ଆସେସ୍‌ ଶୃଙ୍ଖଳାରେ ୧୧ତମ ଶତକ। ଚଳିତ ଶୃଙ୍ଖଳାରେ ସେ ୪ ପାଳିରୁ ୩ ଶତକ ମାରି ସାରିଲେଣି। ୨୬ ଟେଷ୍ଟ୍ ଶତକ ହାସଲରେ ସେ ଭାରତର ସଚିନ‌ ତେନ୍ଦୁଲକରଙ୍କୁ ପଛରେ ପକାଇ ଦ୍ବିତୀୟ ଦ୍ରୁତତମ ସାବ୍ୟସ୍ତ‌ ହୋଇଛନ୍ତି। ମାଷ୍ଟର୍ ବ୍ଲାଷ୍ଟର୍‌ ସଚିନ ୧୩୬ ପାଳିରୁ ୨୬ତମ ଟେଷ୍ଟ୍‌ ଶତକ ହାସଲ କରିଥିଲେ। ସ୍ମିଥ୍ ଏହି ମାଇଲଖୁଣ୍ଟ୍ ଛୁଇଁବାକୁ ଖେଳିଛନ୍ତି ୧୨୧ ପାଳି। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ସାର୍ ଡନ୍ ବ୍ରାଡମ୍ୟାନ୍‌ (୬୯ ପାଳି) ସବୁଠୁ ଦ୍ରୁତତମ ରହିଛନ୍ତି। ସଚିନଙ୍କ ତଳକୁ ରହିଛନ୍ତି ସୁନିଲ ଗାଭାସ୍କର (୧୪୪ ପାଳି) ଏବଂ ଅନ୍ୟତମ ଅଷ୍ଟ୍ରେଲୀୟ ମାଥ୍ୟୁ ହେଡେନ୍‌ (୧୪୫ ପାଳି)।

ମସ୍ତିସ୍କ ଆଘାତ ପାଇଁ ଲର୍ଡସ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ସ୍ମିଥ୍ ଖେଳିନପାରିବାରୁ ମାର୍ନସ ଲାବୁଚାନ ଟେଷ୍ଟ୍‌ କ୍ରିକେଟ୍‌ର ପ୍ରଥମ ବଦଳ ଖେଳାଳି ଭାବେ ଆବିର୍ଭାବ ହୋଇଥିଲେ। ଲିଡ୍‌ସରେ ଅନୁଷ୍ଠିତ ତୃତୀୟ ଟେଷ୍ଟ୍‌ରେ ମଧ୍ୟ ସ୍ମିଥ୍‌ ଖେଳିପାରିନଥିଲେ। ୩୦ ବର୍ଷୀୟ ସ୍ମିଥ୍ ଚଳିତ ଶୃଙ୍ଖଳାର ପୂର୍ବ ୩ ପାଳିରେ ୧୪୪, ୧୪୨, ୯୨ ରନ୍ କରିଥିଲେ। ଗତ ଆସେସ୍ ଶୃଙ୍ଖଳାଠାରୁ ଦେଖିଲେ ସ୍ମିଥ୍ ଲଗାତାର ଅଷ୍ଟମ ପାଳିରେ ୫୦ ଅତିକ୍ରମ କରିଛନ୍ତି। ଗୁରୁବାର ପୂର୍ବଦିନର ସ୍କୋର୍‌ ୬୦ରୁ ଖେଳିଥିଲେ ମଧ୍ୟ ଜୋଫ୍ରା ଆର୍ଚର ନିଜ ବୋଲିଂରେ ଏକ ‌କ୍ୟାଚ୍‌ ହାତଛଡ଼ା କରିଦେବାରୁ ସ୍ମିଥ୍‌ ଜୀବନଦାନ ପାଇଥିଲେ। ଏହା ପରେ ୧୬୦ ବଲରୁ ୧୧ ଚୌକା ସହିତ ନିଜ ୨୬ତମ ଟେଷ୍ଟ୍ ଶତକ ପୂର୍ଣ୍ଣ କରିନେଇଥିଲେ। ବିରାଟ କୋହଲି ଏବଂ ଇଞ୍ଜାମାମ ଉଲ୍ ହକ୍ (ଉଭୟ ୨୫ ଶତକ)ଙ୍କୁ କାଟି ଗ୍ୟାରି ସୋବର୍ସଙ୍କ ସମକକ୍ଷ ହୋଇଥିଲେ। ସଚିନ ତେନ୍ଦୁଲକର (୫୧)ଙ୍କ ନେତୃତ୍ବରେ ଥିବା ଏହି ଶତକ କ୍ଲବ୍‌ରେ ୧୯ତମ ସ୍ଥାନରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର