ଦକ୍ଷିଣ କୋରିଆକୁ ପୁଣି ଦାବିଲା ଭାରତ

ଇଞ୍ଚିଅନ୍‌ (ଦକ୍ଷିଣ କୋରିଆ): ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଦୁଇ ଦିନରେ ଦୁଇଟି ବିଜୟ ହାସଲ କରିଛି। ପାଞ୍ଚ ଟିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ସୋମବାର ଘରୋଇ ଦକ୍ଷିଣ କୋରିଆକୁ ୧-୦ ଗୋଲ୍‌ରେ ପରାସ୍ତ କରିଥିଲା। ମଙ୍ଗଳବାର ଦ୍ୱିତୀୟ ମ୍ୟାଚ୍‌କୁ ମଧ୍ୟ ୩-୨ ଗୋଲ୍‌ରେ ଜିତି ନେଇଛି। ଫଳରେ ଲଗାତାର ବିଜୟ ସହ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇ ଯାଇଛି। ଆୟୋଜକ ଦକ୍ଷିଣ କୋରିଆ ଆଜି ଦୁଇ ଥର ପଛରୁ ଆସି ମ୍ୟାଚ୍‌କୁ ସମାନ ସ୍ତରକୁ ନେଇ ଆସିଥିଲା। ହେଲେ ଅଧିନାୟିକା ରାଣୀ ରାମପାଲ (୨୭ ମିନିଟ୍‌), ପୁନମ ରାଣୀ (୬) ଓ ଗୁରଜିତ କୌର (୩୨)ଙ୍କ ଗୋଲ୍‌ ବଳରେ ଭାରତ ନିଜ ବିଜୟକୁ ପକ୍କା କରି ନେଇଥିଲା। କୋରିଆ ପକ୍ଷରୁ ୟୁରିମ୍‌ ଲି’ (୧୦ ମିନିଟ୍‌) ଓ ଜଙ୍ଗେଁ ସିଓ (୩୧) ସେଥିମଧ୍ୟରୁ ଦୁଇଟି ଗୋଲ୍‌ ଶୁଝି ପାରିଥିଲେ।
ପ୍ରଥମ ମ୍ୟାଚ୍‌କୁ ରୋମାଞ୍ଚକର ଭାବେ ଗୋଟିଏ ଗୋଲ୍‌ ବ୍ୟବଧାନରେ ଜିତିବା ପରେ ମଙ୍ଗଳବାର ଦ୍ୱିତୀୟ ଲଢ଼େଇ ଲାଗି ପୂରା ଆତ୍ମବିଶ୍ୱାସର ସହ ଭାରତୀୟ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମ ମିନିଟ୍‌ରୁ ହିଁ ସେମାନେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ। ଷଷ୍ଠ ମିନିଟ୍‌ରେ ପୁନମ ରାଣୀ ଏକ ସୁନ୍ଦର ଫିଲ୍ଡ ଗୋଲ୍‌ ଦେଇ ଭାରତକୁ ଆଗୁଆ କରି ଦେଇଥିଲେ। ୪ ମିନିଟ୍‌ ପରେ ଅବଶ୍ୟ କୋରିଆ ଏହି ଗୋଲ୍‌ଟିକୁ ୟୁରିମଙ୍କ ଜରିଆରେ ଶୁଝି ଦେଇଥିଲା। ହେଲେ ଦୁଇଟି ପେନାଲ୍ଟି କର୍ନରକୁ ଗୋଲ୍‌ରେ ରୂପାନ୍ତର କରି ନପାରି ଆଗୁଆ ହେବାର ସୁଯୋଗ ହାତଛଡ଼ା କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଦକ୍ଷିଣ କୋରିଆ ଆଉ ଦୁଇଟି ପେନାଲ୍ଟି କର୍ନର ପାଇଥିଲା। ତଥାପି ଭାରତୀୟ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇ ନଥିଲା। ସେପଟେ ୨୭ ମିିନଟ୍‌ରେ ଭାରତ ଅଧିନାୟିକା ରାଣୀ ରାମପାଲଙ୍କ ଗୋଲ୍‌ ବଳରେ ପୁଣି ଥରେ ୨-୧ରେ ଆଗୁଆ ହୋଇ ଯାଇଥିଲା। ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତ କିନ୍ତୁ ଆଉ ଏକ ଗୋଲ୍‌ ବରଣ କରିଥିଲା। ଜଙ୍ଗେଁ ଏକ ଫିଲ୍ଡ ଗୋଲ୍‌ ଦେଇ ସ୍ଥିତି ୨-୨ କରି ନେଇଥିଲେ। ତେବେ ମାତ୍ର ଏକ ମିନିଟ୍‌ ପରେ ଗୁରଜିତ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତର କରି ସ୍ଥିତିରେ ଭାରତ ସପକ୍ଷ (୩-୨)କୁ ନେଇ ଆସିଥିଲେ। ବଳକା ସମୟରେ ଉଭୟ ଦଳ ଆଉ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ଫଳରେ ଭାରତ ୩-୨ରେ ବିଜୟୀ ହୋଇଥିଲା। ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ମ୍ୟାଚ୍‌ ଗୁରୁବାର ଖେଳାଯିବ।
ଲିଲିମାଙ୍କ ୧୦୦
ଇଞ୍ଚିଅନଠାରେ ମଙ୍ଗଳବାର ଖେଳା ଯାଇଥିବା ଦକ୍ଷିଣ କୋରିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଆ ଝିଅ ଲିଲିମା ମିଞ୍ଜ ନିଜ ଶତକୀୟ ଅନ୍ତର୍ଜାକୀୟ ମ୍ୟାଚ୍‌ ଖେଳିଥିଲେ। ୭ ବର୍ଷ ତଳେ ଅର୍ଥାତ୍‌ ୨୦୧୧ ମସିହାରେ ଆର୍ଜେଣ୍ଟିନାରେ ଖେଳା ଯାଇଥିବା ଚତୁଃରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ଲିଲିମାଙ୍କୁ ଏଥିଲାଗି ଶୁଭେଚ୍ଛାର ସୂଅ ଛୁଟିଛି। ୨୩ ବର୍ଷୀୟା ଲିଲିମା ସୁନ୍ଦରଗଡ଼ ଜିଲ୍ଲାର ବିହାବନ୍ଧ-ତାନାତୋଲି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାଁ ଅଞ୍ଜୁଲୁସ୍‌ ମିଞ୍ଜ ହୋଇଥିଲା ବେଳେ ମା’ଙ୍କ ନାଁ ହେଉଛି ସିଲଭିଆ ମିଞ୍ଜ। ମଧ୍ୟଭାଗରେ ଖେଳୁଥିବା ଏହି ଓଡ଼ିଆ ଝିଅ ବହୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ବିଜୟୀ କରାଇବାର ସଫଳତା ଲାଭ କରି ସାରିଛନ୍ତି। ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା ସହ ଗତବର୍ଷ ଦିଫୁଠାରେ ଆୟୋଜିତ ଏସିଆ କପ୍‌ ବିଜୟୀ ଭାରତୀୟ ମହିଳା ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ଲିଲିମା ମଧ୍ୟ ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଭାରତୀୟ ମହିଳା ହକି ଦଳ ୩୬ ବର୍ଷର ବ୍ୟବଧାନ ପରେ ଅଲିମ୍ପିକ୍ସ ଖେଳିଥିଲା ବେଳେ ବ୍ୟକ୍ତିଗତ ଭାବେ ଲିଲିମା ଏହି ଐତିହାସିକ ମୁହୂର୍ତର ସାକ୍ଷୀ ହୋଇ ରାଜ୍ୟ ତଥା ଦେଶକୁ ଗୌରବାନ୍ଵିତ କରିଥିଲେ। ସୋମବାର କୋରିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଅଧିନାୟିକା ରାଣୀ ରାମପାଲ ନିଜ ଦ୍ୱିଶତକୀୟ ମ୍ୟାଚ୍‌ ଖେଳିଥିଲେ। ସେହିଭଳି ମଧ୍ୟଭାଗ ଖେଳାଳି ଏହା ମଧ୍ୟ ମଧ୍ୟଭାଗ ଖେଳାଳି ମୋନିକାଙ୍କ ଶତକୀୟ ମ୍ୟାଚ୍‌ ଥିଲା।

ସମ୍ବନ୍ଧିତ ଖବର