ଦକ୍ଷିଣ କୋରିଆ ଗସ୍ତରେ ଭାରତର ପ୍ରଥମ ପରାଜୟ

ସିଓଲ୍‌(ଦକ୍ଷିଣ କୋରିଆ): ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ପ୍ରଥମ ପରାଜୟ ବରଣ କରିଛି। ଦୁଇ ଦିନ ମଧ୍ୟରେ ଦୁଇଟି ବିଜୟ (୧-୦ ଓ ୩-୨ ଗୋଲ୍‌) ପରେ ଭାରତୀୟ ଦଳ ଗୁରୁବାର ତୃତୀୟ ମ୍ୟାଚ୍‌ ହାରିଯାଇଛି। ଏହି ମ୍ୟାଚ୍‌କୁ ୨-୧ ଗୋଲ୍‌ରେ ଜିତି ନେଇ ଅନ୍ୟପକ୍ଷରେ ଘରୋଇ ଦକ୍ଷିଣ କୋରିଆ ଦଳ ମଧ୍ୟ ପ୍ରଥମ ବିଜୟ ପାଇଛି। ଭାରତ ଏବେ ୨-୧ରେ ଆଗୁଆ ରହିଥିଲେ ମଧ୍ୟ ଶେଷ ଦୁଇ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା ବିଜୟ ହାତଛଡ଼ା କରିଛି। ଦୁଇଟି କ୍ରମାଗତ ବିଜୟ ପରେ ଆତ୍ମବିଶ୍ୱାସ ବଢ଼ାଇଥିବା ଭାରତ ତୃତୀୟ ମ୍ୟାଚ୍‌ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଦକ୍ଷିଣ କୋରିଆ ଏହି ମ୍ୟାଚ୍‌ରେ ଭାରତକୁ ବାଟ ଛାଡ଼ିନଥିଲା। ତଥାପି ମ୍ୟାଚ୍‌ର ପ୍ରଥମ ୧୦ ମିନିଟ୍‌ ଉଭୟ ଦଳ ଘମାଘୋଟ ଲଢ଼େଇ କରିଥିଲେ। କିନ୍ତୁ ମ୍ୟାଚ୍‌ର ଦ୍ୱାଦଶ ମିନିଟ୍‌ରେ ସିଉଲ୍‌ କି ଚିଓନ୍‌ ପ୍ରଥମ ଗୋଲ୍‌ କରି କୋରିଆ ଦଳକୁ ଆଗେଇ ନେଇଥିଲେ। ପେନାଲ୍‌ଟି କର୍ନରରୁ ଏହି ଗୋଲ୍‌ ହୋଇଥିଲା। ପୁଣି ଏହାର ଦୁଇ ମିନିଟ୍‌ ପରେ ତଥା ୧୪ ମିନିଟ୍‌ରେ ୟୁରିମ୍‌ ଲି ଗୋଟିଏ ଗୋଲ୍‌ ଦେବାରୁ ପ୍ରଥମ କ୍ୱାର୍ଟର ଶେଷ ବେଳକୁ କୋରିଆ ଦଳ ୨-୦ର ଅଗ୍ରଣୀ ପାଇଯାଇଥିଲା। ପେନାଲ୍‌ଟି କର୍ନରରୁ ଦୁଇଟିଯାକ ଗୋଲ୍‌ ଘରୋଇ ଦଳ କରିବା ପରେ ଭାରତ ଚାପରେ ପଡ଼ିଯାଇଥିଲା। ତଥାପି ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଲାଲ୍‌ରେମ୍‌ସିଆମି (୧୬ ମିନିଟ୍‌) ଭାରତ ପାଇଁ ଗୋଟିଏ ଗୋଲ୍‌ ଶୁଝି ଦେବାରୁ ବ୍ୟବଧାନ ୧-୨ ରହିଥିଲା। ଏହାପରେ ସ୍ଥିତି ସମାନ ସ୍ତରକୁ ଆଣିବାକୁ ଭାରତ ଅନେକ ପ୍ରୟାସ କରିଥିଲା ବେଳେ କୋରିଆ ସବୁଗୁଡ଼ିକ ପଣ୍ଡ କରିଦେଇଥିଲା। ଦ୍ୱିତୀୟ କ୍ୱାର୍ଟର ଶେଷରେ ଭାରତ ୧-୨ ଗୋଲ୍‌ରେ ପଛୁଆ ରହିଥିଲା। ଅବଶିଷ୍ଟ ଦୁଇଟି କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ତୃତୀୟ କ୍ୱାର୍ଟରରେ ଦକ୍ଷିଣ କୋରିଆର ଏକ ପେନାଲ୍‌ଟି କର୍ନରକୁ ଭାରତୀୟ ଗୋଲ୍‌ରକ୍ଷିକା ରଜନୀ ଇଟିମାର୍ପୁ ଅଟକାଇଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତକୁ ଦୁଇଟି ପେନାଲ୍‌ଟି କର୍ନର ମିଳିଥିଲା ବେଳେ ଦକ୍ଷିଣ କୋରିଆ ଗୋଲ୍‌ରକ୍ଷିକା ହିବିନ୍‌ ଜଙ୍ଗ୍‌ ନିଷ୍ଫଳ କରିଦେଇଥିଲେ। ଏଥି ସହିତ କୋରିଆ ଦଳ ୨-୧ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ଶୃଙ୍ଖଳାରେ ଏବେ ଭାରତ ଚତୁର୍ଥ ମ୍ୟାଚ୍‌ ଆସନ୍ତାକାଲି (ଶୁକ୍ରବାର) ଖେଳିବ।

ସମ୍ବନ୍ଧିତ ଖବର