ଗୋଲ୍‌ମୁରି ଗଲ୍‌ଫରେ ଲଖିଙ୍କୁ ଶ୍ରେଷ୍ଠ ଗ୍ରସ୍‌ ସମ୍ମାନ

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ମହିଳା ଗଲ୍‌ଫର ଲଖି ସ୍ୱାଇଁ ୨୦୧୮ ମସିହାର ପ୍ରଥମ ୩ ମାସ ନ ପୁରୁଣୁ ଏକାଧିକ କୃତିତ୍ୱ ଅର୍ଜନ କରି ଚର୍ଚାକୁ ଆସିଛନ୍ତି। ଏହି ଅଣପେସାଦାର ଗଲ୍‌ଫର ଅଧାଡଜନ ଟ୍ରଫି ଅର୍ଜନ କରି ସାରିଛନ୍ତି। ସମ୍ପ୍ରତି ଜାମସେଦପୁରଠାରେ ଅନୁଷ୍ଠିତ ଗୋଲମୁରି ଗଲ୍‌ଫ ପ୍ରତିଯୋଗିତାର ମହିଳା ବର୍ଗରେ ଶ୍ରେଷ୍ଠ ଗ୍ରସ୍‌ ସମ୍ମାନ ଅର୍ଜନ କରିଛନ୍ତି। ଭୁବନେଶ୍ୱର, ସମ୍ବଲପୁର, ପାରାଦୀପ ସମେତ ପୂର୍ବ ଭାରତର ପ୍ରମୁଖ ସୌଖିନ ଗଲ୍‌ଫରଙ୍କୁ ନେଇ ଆୟୋଜିତ ଏହି ସମ୍ମାନଜନକ ପ୍ରତିଯୋଗିତାର ମହିଳା ବର୍ଗରେ ଲଖି ୨ ଅଣ୍ଡର୍‌ ୯୧ ସ୍କୋର୍‌ ହସିତ ଓଡ଼ିଶା ପାଇଁ ଏକମାତ୍ର ସମ୍ମାନ ଆଣିଥିଲେ। ୨୦୧୨ରୁ ନିୟମିତ ଭାବେ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ଲଖି ୨୦୧୩ (ଷ୍ଟିଲ୍‌ ସିଟି), ୨୦୧୪ରେ ବିଜେତା ହେବା ସହିତ ୨୦୧୫ରେ ଏକକାଳୀନ ୫ ଟ୍ରଫି ଜିତିବାରେ ସକ୍ଷମ ହୋଇଥିଲେ। ଏବେ ଲଗାତାର ଦୁଇ ବର୍ଷ ପୁଣି ଶ୍ରେଷ୍ଠ ବ୍ୟକ୍ତିଗତ ପୁରସ୍କାର ଲାଭ କରିଛନ୍ତି। ଚଳିତ ବର୍ଷ ପୂର୍ବରୁ ଶ୍ରୀମତି ସ୍ୱାଇଁ ବିଜିସିରେ ଫାଲ୍‌କନ୍‌, କର୍ପୋରେଟ୍‌ ଟ୍ରଫି, କଳିଙ୍ଗ ଟ୍ରଫି, ଏକ୍ସ ପ୍ରେସିିଡେଣ୍ଟ୍‌ସ କପ୍‌ ମିଶ୍ରିତ ଯୁଗଳ ଏବଂ ପାରାଦୀପରେ ସଫଳତା ପାଇଥିଲେ। ସେହିଭଳି ଜାନୁଆରିରେ କୋଲ୍‌କାତାରେ ଟଲିଗଞ୍ଜ ଟ୍ରଫି ପରେ ଏବେ ଜାମସେଦପୁର ସଫଳତା ତାଙ୍କୁ ଚଳିତ ବର୍ଷର ଅଧାଡ଼ଜନ ସଫଳତା ପ୍ରଦାନ କରିଛି। ଏବେ ସେ ନିଜକୁ ନାଲ୍‌କୋ ଓପନ୍‌ ପୂର୍ବାଞ୍ଚଳ ପ୍ରତିଯୋଗିତା ଲାଗି ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର