ଅଲିମ୍ପିକ୍ସ ସ୍ଥଗିତ ଲାଗି କ୍ରୀଡ଼ାବିତ୍‌ଙ୍କ ଆହ୍ବାନ, ଆଇଓସି ବିରୋଧରେ ଏକଜୁଟ ହେଲେ ସାରା ବିଶ୍ବର ଆଥ୍‌ଲେଟ୍‌

ସାମିଲ ହେଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ: କରୋନା ଆତଙ୍କକୁ ନେଇ ବିଶ୍ବବ୍ୟାପୀ ପ୍ରାୟ ସମସ୍ତ କ୍ରୀଡ଼ା କାର୍ଯ୍ୟକ୍ରମ ବାତିଲ କିମ୍ବା ସ୍ଥଗିତ ହୋଇଥିଲା ବେଳେ ଟୋକିଓ ଅଲିମ୍ପିକ୍ସ ଆୟୋଜନକୁ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆସିପାରିନାହିଁ। ତଥାପି ବିଶ୍ବର କ୍ରୀଡ଼ା ଗୋଷ୍ଠୀ ଏବେ ଏକାଠି ହେବାରେ ଲାଗିଛନ୍ତି ଏବ˚ କରୋନା ଆତଙ୍କ ନଟଳିବା ପର୍ଯ୍ୟନ୍ତ ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ପାଇଁ ଆନ୍ତର୍ଜାତିକ ଅଲିମ୍ପିକ ସମିତି (ଆଇଓସି)କୁ ଆହ୍ବାନ ଜଣାଇଛନ୍ତି। ଯେତେବେଳେ କୋଭିଡ-୧୯ ବ୍ୟାପିବା ଉପରେ ନିୟନ୍ତ୍ରଣ ଆଣିବାକୁ ସାରା ବିଶ୍ବ ଏକାଠି ହେଲାଣି, ସେତେବେଳେ ଆଇଓସି ମଧ୍ୟ ସମାନ ପଦକ୍ଷେପ ଉପରେ ଚିନ୍ତା କରିବାକୁ ହେବ ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଜୁଲାଇ ୨୪ ତାରିଖରୁ ଅଲିମ୍ପିକ ଆୟୋଜନ ପାଇଁ ସମିତି ସ୍ଥିର କରିଥିଲା ବେଳେ ଏହି ନିଷ୍ପତ୍ତି ବିରୋଧରେ ଏବେ ବିଶ୍ବ କ୍ରୀଡ଼ାବିତ୍‌ ଏକଜୁଟ ହୋଇଛନ୍ତି। ଆଇଓସି ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (ଡବ୍ଲୁଏଚ୍‌ଓ) ସହ ବର୍ତ୍ତମାନର ସ୍ଥିତିକୁ ନେଇ ଯୋଗାଯୋଗରେ ଥିବାବେଳେ ଏବେଠାରୁ ଅଲିମ୍ପିକ ବାତିଲ କରିଦେବା ଭଳି କଠୋର ନିଷ୍ପତ୍ତି ନେବାକୁ ବ୍ୟଗ୍ର ନଥିବା ଆୟର୍ଲାଣ୍ତର କରାଟେ ଖେଳାଳି କାରାଢ ଓ’ଡୋନାଭାନ କହିଛନ୍ତି। ସେ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ତାଙ୍କ ମତରେ ଆଇଓସି ଅଲିମ୍ପିକ୍ସକୁ ବ୍ୟବସାୟ ମଣୁଥିବା ଭଳି ମନେହେଉଛି।

ବର୍ତ୍ତମାନ ବିଶ୍ବରେ ଯେଉଁଭଳି ଭାବେ ପ୍ରତିବନ୍ଧକ ଚାଲିଛି, କ୍ରୀଡ଼ାବିତ୍‌ମାନେ କୌଣସିଠାରେ ଏକାଠି ହୋଇପାରୁନାହାନ୍ତି। ଯାହାଫଳରେ ସେମାନଙ୍କ ଅଭ୍ୟାସ ବାଧାପ୍ରାପ୍ତ ହେଉଛି। ତେଣୁ ନିଜର ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଦେବା ଜରୁରି ହୋଇପଡ଼ିଛି। ଏପରି ସମୟରେ ପ୍ରସାରଣକାରୀ ସ˚ସ୍ଥା ଓ ପ୍ରାୟୋଜକମାନେ ଆଇଓସି ସହିତ ପରାମର୍ଶ କରି ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମାଧାନର ବାଟ ବାହାର କରିବାକୁ କ୍ରୀଡ଼ାବିତ୍‌ମାନେ ଅନୁରୋଧ କରିଛନ୍ତି। ଆମେରିକାର କ୍ରୀଡ଼ାବିତ୍‌ ଲୋଲୋ ଜୋନ୍ସ ଏକ ସାକ୍ଷାତକାରରେ କହିଛନ୍ତି ଯେ ସମାଜରେ ସମସ୍ତଙ୍କୁ ସୁସ୍ଥ ରହିବାକୁ ପ୍ରେରଣା ଦେବାରେ ଅଲିମ୍ପିକ ଓ ଅଲମ୍ପିଆନ୍‌ଙ୍କର ଭୂମିକା ରହିଛି। କିନ୍ତୁ ଆଇଓସି ତାହାର ନିଷ୍ପତ୍ତିରେ ଅଡ଼ି ବସିଲେ ଆମକୁ ଜିମ୍‌, ଟ୍ରାକ୍‌ ଓ ପୁଲ୍‌କୁ ଅଭ୍ୟାସ କରିବାକୁ ଯିବାକୁ ପଡ଼ିବ। ଯାହାଦ୍ବାରା ସ˚କ୍ରମଣର ଆଶଙ୍କା ରହୁଛି। ମୋର ମଧ୍ୟ ଅଲିମ୍ପିକ ଖେଳିବାକୁ ସ୍ବପ୍ନ ରହିଛି, କିନ୍ତୁ ଏତେସ˚ଖ୍ୟାରେ କ୍ରୀଡ଼ାବିତ୍‌ ଗୋଟିଏ ସ୍ଥାନରେ ଏକାଠି ହେବାକୁ ଯାଉଥିବା ଆଦୌ ଠିକ୍‌ ନୁହେଁ। ଯଦି ଯୋଜନା ଅନୁସାରେ ଜୁଲାଇରେ ଅଲିମ୍ପିକ୍‌ ଆୟୋଜନ ହୁଏ ତାହେଲେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ବୋଲି ଜୋନ୍ସ କହିଛନ୍ତି।

ସାମିଲ ହେଲେ ଭାରତୀୟ ଖେଳାଳି
ନୂଆଦିଲ୍ଲୀ: କରୋନା ଭୂତାଣୁର ଆତଙ୍କକୁ ଆଖି ଆଗରେ ରଖି ଚଳିତ ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ବିଶ୍ବର ଅନେକ ପ୍ରତିଷ୍ଠିତ ଓ କିଂବଦନ୍ତି ଖେଳାଳି ଆହ୍ବାନ କରିଥିଲା ବେଳେ ରବିବାର ଏଥିରେ ସାମିଲ ହୋଇଛନ୍ତି ଭାରତୀୟ ଖେଳାଳି। କରୋନା ପାଇଁ ଅନେକ ଖେଳାଳି ଏକାନ୍ତବାସରେ ଅଛନ୍ତି। ଏଥିଲାଗି ସେମାନଙ୍କ ଅଭ୍ୟାସ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏଭଳି ସ୍ଥିତିରେ ଅଲିମ୍ପିକ୍ସକୁ କିଛି ଦିନ ଘୁଞ୍ଚାଇଦେବା ‌ ସମସ୍ତଙ୍କ ପାଇଁ ଭଲ ହେବ ବୋଲି ସେମାନେ ଦାବି କରିଛନ୍ତି। ଟେବୁଲ ଟେନିସ୍ ଖେଳାଳି ଅଚନ୍ତ ଶରତ କମଲ ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଜଣେ ଖେଳାଳି ଭାବେ ମୁଁ ଅନ୍ତରର ଗଭୀରତାରୁ ଚାହେଁ ଯେ ଅଲିମ୍ପିକ୍ସ ଆୟୋଜନ ହେଉ। କିନ୍ତୁ ସାଂପ୍ରତିକ ସ୍ଥିତିରେ ଏହା ଆୟୋଜନ ହେବା ଉଚିତ ନୁହେଁ। ଖେଳାଳିମାନଙ୍କ ଜୀବନକୁ ଆମେ କୌଣସି ପରିସ୍ଥିତିରେ ବିପଦରେ ପକାଇ ପାରିବା ନାହିଁ। ସେହିଭଳି କରୋନାର ବିଭୀଷିକା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ଏହା ଚୀନ୍‌ରେ ତାଣ୍ଡବଲୀଳା କରୁଥିଲା। ଏବେ ଇଟାଲି ଓ ଇରାନର ସ୍ଥିତି ସଙ୍ଗିନ। ଏଣୁ ଏସବୁ କଥାକୁ ମଧ୍ୟ ଆମକୁ ବିଚାରକୁ ନେବାକୁ ହେବ। ସମସ୍ତେ ଏବେ ସାମାଜିକ ପୃଥକୀକରଣ ବିଷୟରେ କହୁଛନ୍ତି। ଅଲିମ୍ପିକ୍ସରେ ହଜାର ହଜାର ଖେଳାଳି ଯୋଗ ଦେଉଥିବାରୁ ଏହା ସେଠାରେ କରିବା ସମ୍ଭବ ହେବ ନାହିଁ। ପୂର୍ବତନ ଗ୍ରାଣ୍ଡସ୍ଲାମ୍ ଟେନିସ୍ ବିଜେତା ମହେଶ ଭୂପତି ଅଲିମ୍ପିକ୍ସ ସ୍ଥଗିତ ରଖିବା ସଂପ୍ରତି ଏକମାତ୍ର ବିକଳ୍ପ ବୋଲି ମତ ରଖିଛନ୍ତି। ଦେଶର ଅନ୍ୟତମ ଲୋକପ୍ରିୟ ଟେନିସ୍ ଖେଳାଳି ସାନିଆ ମିର୍ଜା କିନ୍ତୁ ଆଇଓସି ଯାହା ନିଷ୍ପତ୍ତି ନେବ, ତାକୁ ମାନିବେ ବୋଲି କହିଛନ୍ତି। ସେପଟେ ବିଶ୍ବର ଅଧିକାଂଶ ଦେଶ ଅଲିମ୍ପିକ୍ସକୁ ସ୍ଥଗିତ ରଖିବା ସପକ୍ଷରେ ଥିବା ଜଣାପଡ଼ିଛି। ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି) ଓ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତି କିନ୍ତୁ ଏହାକୁ ନିର୍ଧାରିତ ସମୟରେ ଆୟୋଜନ କରିବା ଜିଦ୍‌ରେ ଅଟଳ ରହିଛି। ତେବେ ବିଭିନ୍ନ ଖେଳାଳି ସଂଗଠନ ଓ ଖେଳାଳିଙ୍କ ହିତ ରକ୍ଷା ପାଇଁ କାର୍ଯ୍ୟ କରୁଥିବା କିଛି ସଂଗଠନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଆଇଓସି ଓ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିକୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର