ଶ୍ରୀଲଙ୍କା ୨-୦ରେ ଶୃଙ୍ଖଳା ଜିତିଲା

ଦୁବାଇରେ ଦବିଲା ପାକିସ୍ତାନ: ୟୁଏଇରେ ପାକିସ୍ତାନର ପ୍ରଥମ ଶୃଙ୍ଖଳା ପରାଜୟ

ଦ୍ୱିତୀୟ ପାଳିରେ ୧୦୦ରୁ କମ୍‌: ୧୧୫ ବର୍ଷ ପରେ ପ୍ରଥମ ବିଜୟ
ଦୁବାଇ ହେଉଛି ପାକିସ୍ତାନର ପୋଷ୍ୟ ଘରୋଇ ପଡ଼ିଆ। ଏଠାରେ ଦଳର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲେ ମଧ୍ୟ ଏହି ଧାରାକୁ ଭାଙ୍ଗିଛି ଶ୍ରୀଲଙ୍କାର ଯୁବ ଦଳ। ବିଗତ ୭ ବର୍ଷ ଭିତରେ ପ୍ରଥମ ଥର ପାଇଁ ପାକିସ୍ତାନ ଏଠାରେ ଏକ ଶୃଙ୍ଖଳା ପରାଜୟ ବରଣ କଲା। ଏଠାରେ ପାକିସ୍ତାନ ଶେଷ ୯ ଟେଷ୍ଟ୍‍ ଶୃଙ୍ଖଳାରୁ ୫ ଜିତିଥିବାବେଳେ ୪ ଅମୀମାଂସିତ ରଖିଥିଲା। ୨୦୦୯ରେ ଲାହୋରରେ ଶ୍ରୀଲଙ୍କା ଦଳ ଉପରେ ଉଗ୍ରବାଦୀ ଆକ୍ରମଣ ପରଠାରୁ ୟୁଏଇକୁ ପାକିସ୍ତାନ ଘରୋଇ ପଡ଼ିଆ ଭାବେ ଗ୍ରହଣ କରିଥିଲା। ତେବେ ଗତ ୧୦ ବର୍ଷ ଭିତରେ ପାକିସ୍ତାନର ଏହା ପ୍ରଥମ ଘରୋଇ ଶୃଙ୍ଖଳା ପରାଜୟ। ୨୦୦୭ରେ ପାକିସ୍ତାନ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାଠାରୁ ୦-୧ରେ ହାରିଥିଲା। ଏକ ନିରପେକ୍ଷ ପଡ଼ିଆରେ ପାକିସ୍ତାନ ଶେଷ ଥର ପାଇଁ ୨୦୦୨ରେ ଅଷ୍ଟ୍ରେଲିଆ ନିକଟରୁ ୦-୩ ମୂଳପୋଛ ଧୂଲେଇର ଶିକାର ହୋଇଥିଲା। ଏହି ଶୃଙ୍ଖଳା କଲମ୍ବୋରେ ଖେଳାଯାଇଥିଲା। ଅନ୍ୟପକ୍ଷରେ ଜିମ୍ବାେଓ୍ଵ ଏବଂ ବାଂଲାଦେଶକୁ ବାଦଦେଲେ ଶ୍ରୀଲଙ୍କା ପାଇଁ ଏହା ବିଦେଶରେ ଅଷ୍ଟମ ଶୃଙ୍ଖଳା ବିଜୟ। ପାକିସ୍ତାନ ବିପକ୍ଷରେ ତୃତୀୟ ବିଦେଶ ଶୃଙ୍ଖଳା ବିଜୟ। ସେହିଭଳି ଜିମ୍ବାେଓ୍ଵ ଏବଂ ବାଂଲାଦେଶକୁ ଛାଡ଼ିଦେଲେ ଶ୍ରୀଲଙ୍କା ଏକ ବିଦେଶ ଶୃଙ୍ଖଳାରେ ୨ ଟେଷ୍ଟ୍‍ ଜିତିବାରେ ଏହା ତୃତୀୟ ଉଦାହରଣ। ଉଭୟ ସଫଳତା ଶ୍ରୀଲଙ୍କା ୧୯୯୫ ଏବଂ ୨୦୦୦ ମସିହାରେ ପାଇଥିଲା। ଅନ୍ୟପକ୍ଷରେ ତୃତୀୟ ପାଳିରେ ୧୦୦ରୁ କମ୍‌ ରନ୍‌ କରି ମ୍ୟାଚ୍‌ ଜିତିବାରେ ଏହା ଚତୁର୍ଥ ଉଦାହରଣ। ୧୮୮୮ରେ ଲର୍ଡସରେ ଅଷ୍ଟ୍ରେଲିଆ (୬୦ ରନ୍‌) ଇଂଲଣ୍ଡକୁ, ୧୮୯୬ରେ ଓଭାଲ୍‌ରେ ଇଂଲଣ୍ଡ (୮୪ ରନ୍‌) ଅଷ୍ଟ୍ରେଲିଆକୁ, ୧୯୦୨ରେ ଅଷ୍ଟ୍ରେଲିଆ (୮୬ ରନ୍‌) ଇଂଲଣ୍ଡକୁ ପରାସ୍ତ କରିଥିଲା। ଫଳରେ ଏବେ ୧୧୫ ବର୍ଷ ପରେ ପ୍ରଥମ ଘଟଣା ଭାବେ ନିଜର ଦ୍ୱିତୀୟ ପାଳିରେ ୧୦୦ରୁ କମ୍‌ ରନ୍‌ କରିଥିବା ଦଳ ବିଜୟୀ ହୋଇଛି।

ଦୁବାଇ: ପ୍ରଥମ ୫ ଓ୍ଵିକେଟ୍‌କୁ ୫୨ ରନ୍‌ରେ ହରାଇବା ପରେ ୧୭୩ ରନ୍‌ ଭାଗୀଦାରି କରିଥିବା ପାକିସ୍ତାନ ଶେଷ ୫ ଓ୍ଵିକେଟ୍‌କୁ ମାତ୍ର ୨୩ ରନରେ ହରାଇଦେଲା। ଫଳରେ ଲଢ଼ୁଆ ପ୍ରତ୍ୟାବର୍ତନ କରିଥିବା ପାକିସ୍ତାନକୁ ୬୮ ରନରେ ପରାଜୟ ବରଣ କରିବାକୁ ପଡ଼ିଲା। ଅନ୍ୟପକ୍ଷରେ ଦ୍ୱିତୀୟ ପାଳିରେ ମାତ୍ର ୯୬ ରନ୍‌ରେ ଅଲଆଉଟ୍‌ ହୋଇଥିବା ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ୍‍କୁ ଜିତିବା ସହ ୨ ମ୍ୟାଚ୍‌ ଶୃଙ୍ଖଳାକୁ ମଧ୍ୟ ୨-୦ରେ ପୋଛିନେଲା। ପ୍ରଥମ ପାଳିରେ ୪୮୨ ରନ୍‌ ସହ ପାଇଥିବା ୨୨୦ ରନ୍‌ ଅଗ୍ରଣୀ ହିଁ ଦୀନେଶ ଚାନ୍ଦିମାଳଙ୍କ ଦଳକୁ ବିଜୟୀ କରାଇବାରେ ମୁଖ୍ୟ ଭୂମିକା ତୁଲାଇଲା। ଶେଷ ଦିନରେ ଅଫସ୍ପିନର ଦିଲରୁଓ୍ଵାନ ପେରେରାଙ୍କ ୫ ଓ୍ଵିକେଟ୍‌ ସଫଳତା ଶ୍ରୀଲଙ୍କା ପାଇଁ ବିଜୟ ମୁଣ୍ଡି ମାରିଥିଲା। ଦଳର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଦିମୁଥ କରୁଣାରତ୍ନେ ଏହି ମ୍ୟାଚ୍‌ ସହିତ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଏହି ବିଜୟ ସହିତ ଶ୍ରୀଲଙ୍କା ମଧ୍ୟ ଆଇସିସି ମାନ୍ୟତାରେ ଗୋଟିଏ ସ୍ଥାନ ଡେଇଁ ଷଷ୍ଠକୁ ଉଠିଛି। ପାକିସ୍ତାନ ସପ୍ତମ ରହିଛି। ଭାରତ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ୍‌, ଅଷ୍ଟ୍ରେଲିଆ ଶୀର୍ଷ ୫ ଦଳ ଅଛନ୍ତି।
୩୧୭ ରନ୍‌କୁ ପିଛା କରିଥିବା ପାକିସ୍ତାନ ସୋମବାର ୫୨ ରନ୍‌ରେ ଅଧା ଖେଳାଳିଙ୍କୁ ହରାଇଥିଲା। ଏହି ସମୟରେ ଅସଦ ସଫିକ୍‌ (୧୧୨, ୧୭୬ ବଲ୍‌, ୧୦ ଚୌକା) ଏବଂ ଅଧିନାୟକ ସର୍ଫରାଜ ଅହମ୍ମଦ (୬୮, ୧୩୦ ବଲ୍‌, ୫ ଚୌକା) ଶତକୀୟ ଭାଗୀଦାରି (୧୭୩, ୪୬ ଓଭର) କରି ପାକିସ୍ତାନକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ମଙ୍ଗଳବାର ଶେଷ ଦିନରେ ପାକିସ୍ତାନକୁ ୧୧୯ ରନ୍‌ ଏବଂ ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍‌ ଆବଶ୍ୟକ ଥିଲା। ଶ୍ରୀଲଙ୍କା ଆଗୁଆ ଲକ୍ଷ୍ୟ ପଥରେ ସଫଳ ହୋଇଥିଲା। ଅଫସ୍ପିନର ଦିଲରୁଓ୍ଵାନ ପେରେରା ପ୍ରଥମେ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଆଉଟ୍‌ କରି ଶତକୀୟ ଭାଗୀଦାରିକୁ ଭାଙ୍ଗିଦେବା ପରେ ପାକିସ୍ତାନ ୧୮ ରନ୍‌ ଭିତରେ ଶେଷ ୪ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟଠାରୁ
୬୮ ରନ୍‌ ଦୂରରେ ରହିଯାଇଥିଲା। ମଙ୍ଗଳବାର ପତନ ୫ ଓ୍ଵିକେଟ୍‌ ମଧ୍ୟରୁ ପେରେରା ୩ ଏବଂ ହେରାଥ୍‌ ୨ ଦଖଲ କରିଥିଲେ। ଏଥି ସହିତ ପେରେରା ପଞ୍ଚମ ଥର ପାଇଁ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ଅସଦ ସଫିକଙ୍କ ଏକାଦଶ ଟେଷ୍ଟ୍‍ ଶତକ ବେକାର ଯାଇଥିଲା। ପାକିସ୍ତାନ ପାଳି ୨୪୮ ରନ୍‌ରେ ସୀମିତ ହୋଇଯାଇଥିଲା। ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ପାଳିରେ ୪୮୨ ରନ ଏବଂ ପାକିସ୍ତାନ ୨୬୨ ରନ୍‌ କରିଥିଲା। ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ୍‍କୁ ପାକିସ୍ତାନ ୨୧ ରନ୍‌ରେ ହାରିଥିଲା।
ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ୪୮୨ (କରୁଣାରତ୍ନେ-୧୯୬, ୟାସିର୍‌-୬/୧୮୪) ଏବଂ ୯୬ (ମେଣ୍ଡିଜ୍‌-୨୯, ଓ୍ଵାହାବ୍‌-୪/୪୧)। ପାକିସ୍ତାନ ୨୬୨ ଏବଂ ୨୪୮ (ଅସଦ ସଫିକ୍‌-୧୧୨, ସର୍ଫରାଜ ଅହମ୍ମଦ-୬୮, ଦିଲରୁଓ୍ଵାନ ପେରେରା-୫/୯୮, ରଙ୍ଗନା ହେରାଥ୍‌-୨/୫୭)।

ସମ୍ବନ୍ଧିତ ଖବର