ପଞ୍ଚମ ଦିନିକିଆ ବି ଜିତିଲା ଶ୍ରୀଲଙ୍କା

କଲମ୍ବୋ: ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ୩ ଦିନିକିଆ ହାରିଯାଇଥିବା ଘରୋଇ ଶ୍ରୀଲଙ୍କା ଦଳ ଶେଷ ଦୁଇଟି ମ୍ୟାଚ୍‌ ଜିତି ସାନ୍ତ୍ୱନା ପାଇଛି। ବର୍ଷା ବାଧାପ୍ରାପ୍ତ ଚତୁର୍ଥ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୩ ରନ୍‌ରେ ପରାସ୍ତ କରିଥିବା ଘରୋଇ ଶ୍ରୀଲଙ୍କା ରବିବାର ପଞ୍ଚମ ତଥା ଶେଷ ମ୍ୟାଚ୍‌କୁ ୧୭୮ ରନ୍‌ରେ ଜିତିନେଇଛି। ତଥାପି ଦକ୍ଷିଣ ଆଫ୍ରିକା ୩-୨ରେ ଶୃଙ୍ଖଳା ବିଜୟୀ ହୋଇଛି।

ରବିବାର ଟସ୍‌ ଜିତି ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ୍‌ଙ୍କ ଅପରାଜିତ ୯୭ ରନ୍‌ (୯୭ ବଲ୍‌, ୧୧ ଚୌକା ଓ ୧ ଛକା) ସାଙ୍ଗକୁ ଓ୍ଵିକେଟ୍‌ରକ୍ଷକ ନିରୋସାନ୍‌ ଡିକ୍‌େଓ୍ଵଲାଙ୍କ ୪୩, କୁସାଲ୍‌ ମେଣ୍ଡିସ୍‌ଙ୍କ ୩୮, ଧନଞ୍ଜୟ ଡି ସିଲ୍‌ଭାଙ୍କ ୩୦, ଦାସୁନ ସନକାଙ୍କ ୨୧, ଉପୁଲ ତରଙ୍ଗାଙ୍କ ୧୯ ଓ ଥିସାରା ପେରେରାଙ୍କ ୧୩ ରନ୍‌ ସହାୟତାରେ ୮ ଓ୍ଵିକେଟ୍‌ ହରାଇ କରିଥିଲା ୨୯୯ ରନ୍‌। ଦଧିଣ ଆଫ୍ରିକା ପକ୍ଷରୁ ସଫଳ ବୋଲର ଭାବେ ମୁଲ୍‌ଡର ଓ ଫେଲୁକ୍ୱାୟୋ ୨ କରି ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଅକିଲ ଧନଞ୍ଜୟଙ୍କ ସ୍ପିନ୍‌ ଜାଲରେ ଛନ୍ଦି ହୋଇ ଦକ୍ଷିଣ ଆଫ୍ରିକା ପାଳି ଭୁଶୁଡ଼ି ପଡ଼ିଥିଲା। ଧନଞ୍ଜୟ ୨୯ ରନ୍‌ରେ ୬ ଓ୍ଵିକେଟ୍‌ ସଫଳତା ପାଇବା ସାଙ୍ଗକୁ ଲାହିରୁ କୁମାରା ୩୪/୨, ସୁରଙ୍ଗା ଲାକ୍‌ମଲ ୨୨/୧ ଓ ଧନଞ୍ଜୟ ଡି’ସିଲ୍‌ଭା ୨୧/୧ ଅନ୍ୟ ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଯାହା ଫଳରେ ୩୦୦ ରନ୍‌ର ପିଛା କରିଥିବା ଦକ୍ଷିଣ ଆଫ୍ରିକା ୨୪.୪ ଓଭରରେ ମାତ୍ର ୧୨୧ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅଧିନାୟକ କ୍ୱିଣ୍ଟନ ଡି’କକ୍‌ (୫୪) ଏକମାତ୍ର ଅର୍ଧଶତକ ହାସଲ କରିଥିଲା ବେଳେ ଏଡେନ୍‌ ମର୍କରାମ (୨୦), ଜେପି ଡୁମୁନି (୧୨) ଓ କାଗିସୋ ରବାଦା (ଅପରାଜିତ ୧୨) ଦୁଇ ଅଙ୍କ ଅତିକ୍ରମ କରିଥିଲେ। ଅକିଲ ଧନଞ୍ଜୟ ମ୍ୟାଚ୍‌ ଓ ଜେପି ଡୁମିନି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର