ନୂଆଦିଲ୍ଲୀ: ଅଧିକାଂଶ କ୍ରିକେଟ୍ ବିଶେଷଜ୍ଞଙ୍କୁ ଚକିତ କରି ଏମ୍ଏସ୍କେ ପ୍ରସାଦଙ୍କ ନେତୃତ୍ବାଧୀନ ମନୋନୟନ ସମିତି ସୋମବାର ଭାରତର ୧୫ ଜଣିଆ ବିଶ୍ବକପ୍ ଦଳ ଘୋଷଣା କରିଥିଲା। ଏହି ଦଳରେ ବିଶେଷକରି ଅମ୍ବାତି ରାୟୁଡୁଙ୍କ ବଦଳରେ ବିଜୟ ଶଙ୍କର ଏବଂ ଯୁବ ୱିକେଟ୍ରକ୍ଷକ ଋଷଭ ପନ୍ତ୍ଙ୍କ ବଦଳରେ ଦୀନେଶ କାର୍ତିକଙ୍କୁ ସାମିଲ କରିବା ଭଳି ଦୁଇଟି ଅଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ନେଇ ଦଳ ଘୋଷଣା ପରେ ବିଭିନ୍ନ ଆଡୁ ସମାଲୋଚନାର ସ୍ବର ଉଠିଥିଲା। ଏହି ଦୁଇଟି ନିଷ୍ପତ୍ତି ଠିକ୍ ନଥିଲା ବୋଲି ଅଧିକାଂଶ ମତ ଦେଇଥିଲେ। ଏହାର ଦୁଇ ଦିନ ପରେ ବୁଧବାର ମନୋନୟନ ସମିତି ଉଭୟ ରାୟୁଡୁ ଓ ପନ୍ତ୍ଙ୍କ ସାଙ୍ଗକୁ ଦ୍ରୁତ ବୋଲର ନଭ୍ଦୀପ୍ ସାଇନିଙ୍କୁ ଷ୍ଟାଣ୍ଡ୍ବାଇ ଭାବେ ବିଶ୍ବକପ୍ ଦଳରେ ସାମିଲ କରି ସମାଲୋଚନାରୁ ବର୍ତିବା ପାଇଁ ପ୍ରୟାସ କରିଥିଲା। ଏହାର ଗୋଟିଏ ଦିନ ପରେ ଗୁରୁବାର ଆଉ ଦୁଇ ଜଣଙ୍କୁ ଏଥିରେ ସାମିଲ କରି ଷ୍ଟାଣ୍ଡ୍ବାଇ ତାଲିକାକୁ ଲମ୍ବାଇଛି। ପୁରୁଖା ଦ୍ରୁତ ବୋଲର ଈଶାନ୍ତ ଶର୍ମା ଏବଂ ସ୍ପିନ୍ ଅଲ୍ରାଉଣ୍ଡର ଅକ୍ଷର ପଟେଲ ସଦ୍ୟତମ ଷ୍ଟାଣ୍ଡ୍ବାଇ ତାଲିକାରେ ଯୋଡ଼ି ହୋଇଛନ୍ତି। ଦଳର ଆବଶ୍ୟକତା ବେଳେ ଲଣ୍ଡନ ଯାତ୍ରା କରିବା ପାଇଁ ସଦା ପ୍ରସ୍ତୁତ ରହିବାକୁ ସମସ୍ତ ଷ୍ଟାଣ୍ଡ୍ବାଇ ଖେଳାଳିଙ୍କୁ ବିସିସିଆଇ (ଭାରତୀୟ କ୍ରିକେଟ୍ ବୋର୍ଡ) ପକ୍ଷରୁ ଜଣାଇ ଦିଆଯାଇଛି। ଅବଶ୍ୟ ଏହି ୫ ଜଣଙ୍କ ମଧ୍ୟରୁ ସାଇନି ହିଁ ଦଳ ସହ ଆଗୁଆ ଇଂଲଣ୍ଡ୍ରେ ଥିବେ। ବିଶ୍ବକପ୍ ପ୍ରସ୍ତୁତି ପାଇଁ ସାଇନିଙ୍କୁ ନେଟ୍ ବୋଲର ଭାବେ ବଛା ଯାଇଥିବାରୁ ସେ ଦଳ ସହ ଏକାଠି ଯାତ୍ରା କରିବେ। ତେବେ ଅନ୍ୟ ୪ ଜଣଙ୍କୁ ବିମାନ ଧରିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ବିସିସିଆଇ କହିଛି। ଷ୍ଟାଣ୍ଡ୍ବାଇ ତାଲିକାରେ ଆମେ ୨ ବ୍ୟାଟ୍ସମ୍ୟାନ୍, ୨ ଦ୍ରୁତ ବୋଲର ଏବଂ ଜଣେ ସ୍ପିନରଙ୍କୁ ରଖିବାର ନିଷ୍ପତ୍ତି ନେଇଛୁ। ଏଥର ବିଶ୍ବକପ୍ ଖୁବ୍ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିବାର ସମ୍ଭାବନା ରହିଛି। ଦେଢ଼େ ମାସ ଧରି ଚାଲିବାକୁ ଥିବାରୁ ଖେଳାଳି ଆହତ ଆଶଙ୍କାକୁ ମଧ୍ୟ ଏଡାଇ ହେବନାହିଁ। ସେହି ଦୃଷ୍ଟିରୁ ଆମେ ଷ୍ଟାଣ୍ଡ୍ବାଇ ତାଲିକାକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।