ରଣଜୀ ଟ୍ରଫି: ସୁଜିତଙ୍କ ଅର୍ଧଶତକ ବଳରେ ଓଡ଼ିଶା ଆଗୁଆ

ଭୁବନେଶ୍ବର: ଯୁବ ୱିକେଟ୍‌ରକ୍ଷକ ସୁଜିତ ଲେଙ୍କାଙ୍କ ଲଢ଼ୁଆ ଅର୍ଧଶତକ ଏବଂ ନିମ୍ନକ୍ରମ ବ୍ୟାଟସ୍‌ମ୍ୟାନଙ୍କ ଉପଯୋଗୀ ଅବଦାନ କାରଣରୁ ଛତିଶଗଡ଼ ବିପକ୍ଷ ରଣଜୀ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ପାଳିରେ ୮୧ ରନ୍‌ର ମହତ୍ବପୂର୍ଣ୍ଣ ଅଗ୍ରଣୀ ନେବାରେ ସକ୍ଷମ ହୋଇଛି। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଛତିଶଗଡ଼ ୧ ୱିକେଟ୍‌ ବିନିମୟରେ ୪୫ ରନ୍ ସଂଗ୍ରହ କରି‌ ନେଇଥିବାରୁ ପ୍ରାତ୍ୟାବର୍ତନ ଆଶାରେ ରହିଛି।

ରାଜେଶ ମହାନ୍ତି ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ (୬/୪୭) କରିବାରୁ ସୋମବାର ଛତିଶଗଡ଼ ପ୍ରଥମ ପାଳି ୧୩୪ ରନ୍‌ରେ ସୀମିତ ରହିଥିଲା। ମଙ୍ଗଳବାର ଦ୍ବିତୀୟ ଦିନ ସକାଳେ ଓଡ଼ିଶା ୪୮/୩ରୁ ଖେଳିବା ପରେ ପୂର୍ବତନ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୨, ୧୪ ବଲ୍‌) ଏବଂ ଅଲ୍‌ରାଉଣ୍ଡର୍‌ ଅଭିଷେକ ରାଉତ (୧୮, ୬୮ ବଲ୍‌)ଙ୍କୁ ହରାଇ ୮୮/୫ରେ ସଂଘର୍ଷ କରିଥିଲା। ଏହି ସମୟରେ ଅନ୍ୟତମ ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟଙ୍କ ସହ ଯୋଗ ଦେଇଥିବା ୱିକେଟରକ୍ଷକ ସୁଜିତ ଲେଙ୍କା ପାଳି ଗଢ଼ିବାରେ ଲାଗିଥିଲେ। ବିଶେଷ ଲମ୍ବା ବ୍ୟାଟିଂ କରିପାରି ନ ଥିଲେ ବି ଭାରତକୁ ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅଗ୍ରଣୀଠାରୁ ୩ ରନ୍‌ ଦୂରରେ ଥାଇ ବିପ୍ଲବ (୩୦, ୧୦୦ ବଲ୍‌) ଆଉଟ୍ ‌ହୋଇଯିବାରୁ ଓଡ଼ିଶା ଚାପରେ ପଡ଼ିଥିଲା। କିନ୍ତୁ ସୁଜିତଙ୍କ ସହ ଯୋଡ଼ି ହୋଇଥିବା ଦୁଇ ଦ୍ରୁତ‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ (୩୩, ୨୩ ବଲ୍‌, ୫ ଚୌକା, ୧ ଛକା) ଏବଂ ରାଜେଶ ମହାନ୍ତି (୧୭, ୨୪ ବଲ୍‌, ୩ ଚୌକା) ଆକର୍ଷଣୀୟ ବ୍ୟାଟିଂ କରିବାରୁ ଓଡ଼ିଶା ସମ୍ମାନଜନକ ଅଗ୍ରଣୀ ନେଇ ପାରିଥିଲା। ପୂର୍ବଦିନ ଆଘାତପ୍ରାପ୍ତ ହୋଇଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ସନ୍ଦୀପ ପଟ୍ଟନାୟକ ଆଉ ବ୍ୟାଟିଂ କରିବାକୁ ଆସିପାରିନଥିଲେ। ଫଳରେ ସୁଜିତ ଲେଙ୍କା (୫୬, ୧୧୭ ବଲ୍‌, ୧୦ ଚୌକା)ଙ୍କ ୱିକେଟ୍‌ ସହ ଓଡ଼ିଶା ପାଳି (୨୧୫/୯) ଶେଷ ହୋଇଯାଇଥିଲା। ଛତିଶଗଡ଼ ପକ୍ଷରୁ ଦ୍ରୁତ ବୋଲର ପୁନୀତ ଦାତ୍ତେ (୪/୫୮) ଏବଂ ପ୍ରଥମ ପଦାର୍ପଣ କରିଥିବା ଅଫସ୍ପିନର୍ ଶଶାଙ୍କ ସିଂହ (୨/୩୭) ସଫଳ ବୋଲର୍‌ ଥିଲେ। ୮୧ ରନ୍‌ ପଛରେ ପଡ଼ି ଦ୍ବିତୀୟ ପାଳି‌ ଖେଳିଥିବା ଘରୋଇ ଛତିଶଗଡ଼ ଦଳକୁ ବସନ୍ତ ମହାନ୍ତି (୮-୪-୧୪-୧) ପ୍ରଥମ ଝଟ୍‌କା ‌ଦେଇଥିଲେ। ଜୀବନ‌ଜୋତ ସିଂହ (୧୨*) ଏବଂ ଆଶୁତୋଷ ସିଂହ (୨୬*) ଅତୁଟ ଦ୍ବିତୀୟ ୱିକେଟ୍‌ରେ ୩୨ ରନ୍‌ ଯୋଡ଼ି ଦଳକୁ ପ୍ରତ୍ୟାବର୍ତନ ପଥରେ ରଖିଛନ୍ତି।

ସ˚କ୍ଷିପ୍ତ ସ୍କୋର: ଛତିଶଗଡ଼ ପ୍ରଥମ ପାଳି: ୧୩୪ (ଅଜୟ ମଣ୍ଡଳ-୪୭, ରାଜେଶ ମହାନ୍ତି-୬/୪୭, ବସନ୍ତ ମହାନ୍ତି-୩/୨୪, ସୂର୍ଯ୍ୟକାନ୍ତ ପ୍ରଧାନ-୧/୫୧)। ଓଡ଼ିଶା ପ୍ରଥମ ପାଳି: ୭୬.୪ ଓଭରରେ ୨୧୫ (ସୁଜିତ ଲେଙ୍କା-୫୬, ସୂର୍ଯ୍ୟକାନ୍ତ ପ୍ରଧାନ-୩୩, ବିପ୍ଳବ ସାମନ୍ତରାୟ-୩୦, ରାଜେଶ ମହାନ୍ତି-୧୭, ପୁନୀତ ଦାତ୍ତେ-୪/୫୮, ଶଶାଙ୍କ ସିଂହ-୨/୩୭, ପଙ୍କଜ ରାଓ-୧/୩୪, ବୀର ପ୍ରତାପ ସିଂହ-୧/୬୦)। ଛତିଶଗଡ଼ ଦ୍ବିତୀୟ ପାଳି: ୧୭ ଓଭରରେ ୪୫/୧ (ଆଶୁତୋଷ ସିଂହ-୨୬*, ଜୀବନଜୋତ ସିଂହ-୧୨*, ବସନ୍ତ ମହାନ୍ତି-୧/୧୪)।

ସମ୍ବନ୍ଧିତ ଖବର