ସୁନ୍ଦରଗଡ଼କୁ ଫୁଟ୍‌ବଲ୍‌ ଦ୍ବିମୁକୁଟ: ଉଭୟ ପୁରୁଷ ଓ ମହିଳା ଦଳ ଜିତିଲେ ପ୍ରଥମ ଏସ୍‌ଡିସି କପ୍‌

କଟକ: ପ୍ରଥମ ଥର ପାଇଁ ଆୟୋ‌ଜିତ ଏସ୍‌ଡିସି କପ୍‌ରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ସୁନ୍ଦରଗଡ଼ ଆଧିପତ୍ୟ ବିସ୍ତାର କରିଛି। ବାରବାଟୀ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ଫାଇନାଲ୍‌ର ଉଭୟ ବର୍ଗରେ ସୁନ୍ଦରଗଡ଼ ବିଜେତା ହୋଇଛି। ମହିଳା ବର୍ଗରେ ସୁନ୍ଦରଗଡ଼ ୨-୦ ଗୋଲ୍‌ରେ ରାଇରଙ୍ଗପୁରକୁ ହରାଇଥିଲା ବେଳେ ପୁରୁଷରେ ସୁନ୍ଦରଗଡ଼ ୪-୧ ଗୋଲ୍‌ରେ ବାରିପଦାକୁ ପରାସ୍ତ କରିଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଜେତା ଦଳକୁ ଟ୍ରଫି ସହ ୨ ଲକ୍ଷ ଟଙ୍କା ଲେଖାଏଁ ଏବ˚ ଉପବିଜେତା ଦଳକୁ ଟ୍ରଫି ସହ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା ଖେଳାଳି ଭାବେ ରାଇରଙ୍ଗପୁରର ଦିଗି ମାଝୀ, ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ସୁନ୍ଦରଗଡ଼ର କିଶୋର ଖଡ଼ିଆ ପୁରସ୍କୃତ ହୋଇଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ମହିଳା ଗୋଲ୍‌ରକ୍ଷକ ଭାବେ ସୁନ୍ଦରଗଡ଼ର ଜ୍ୟୋତ୍ସ୍ନା ଟପ୍ପୋ, ଶ୍ରେଷ୍ଠ ପୁରୁଷ ଗୋଲ୍‌ରକ୍ଷକ ଭାବେ ରାଇରଙ୍ଗପୁରର ଭାଗରାଇ ହେମ୍ବ୍ରମ୍‌, ମହିଳା ବିଭାଗ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସୁନ୍ଦରଗଡ଼ର ଭୂମିକା ମିଞ୍ଜ ଏବ˚ ପୁରୁଷ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସୁନ୍ଦରଗଡ଼ର ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ଜନଜାତି ଜିଲ୍ଲାମାନଙ୍କୁ ନେଇ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) କପ୍‌ ଫୁଟ୍‌ବଲ ପ୍ରତିଯୋଗିତା ଏକ ମାଇଲ୍‌ଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ପୂର୍ବତନ ଆନ୍ତର୍ଜାତିକ ଖେଳାଳି ତଥା ପଦ୍ମଶ୍ରୀ ବାଇଚୁଙ୍ଗ ଭୁତିଆ ଓଡ଼ିଶାରେ ଫୁଟ୍‌ବଲ ଓ ହକି ଭଳି ଖେଳଗୁଡ଼ିକର ବିକାଶରେ ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏସ୍‌ଡିସି କପ୍‌ ଏକ ଉନ୍ନତମାନର ପଦକ୍ଷେପ। ଅନେକ ଆଦିବାସୀ ତଥା ଜନଜାତିର ପ୍ରତିଭାବାନ ଖେଳାଳିମାନେ ଏଠାରୁ ବାହାରି ରାଜ୍ୟର ନାମ ଉଚ୍ଚା କରିପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସରକା, ସ˚ସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଓଡ଼ିଶା ଫୁଟ୍‌ବଲ ସ˚ଘ (ଫାଓ) ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ସଂପାଦକ ଆଶୀର୍ବାଦ ବେହେରା, ଓସିଏ ସମ୍ପାଦକ ସ˚ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ଫାଓ ତରଫରୁ ମୁଖ୍ୟମନ୍ତ୍ରୀ ଓ ବାଇଚୁଙ୍ଗ ଭୁତିଆଙ୍କୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଉପହାର ଦିଆଯାଇଥିଲା। ମୋରଦା ବିଧାୟକ ରାଜକିଶୋର ଦାସ, ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାଶନାୟକ, ଅଭିନେତା ଅରିନ୍ଦମ ରାଏ, ଏସ୍‌ଡିସି ଉପଦେଷ୍ଟା ସୁଜିତ କୁମାର, ଦାଗନ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର