ଏସୀୟ କୁସ୍ତି : ୨୭ ବର୍ଷ ପରେ ଭାରତକୁ ଗ୍ରିକୋ-ରୋମାନ୍‌ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଏସୀୟ କୁସ୍ତି ପ୍ରତିଯୋଗିତାରେ ଭାରତ ୨୭ ବର୍ଷର ବ୍ୟବଧାନ ପରେ ପ୍ରଥମ ଥର ଲାଗି ଗ୍ରିକୋ-ରୋମାନ୍‌ ସ୍ବର୍ଣ୍ଣ ପଦକ କରାୟତ୍ତ କରିଛି। ମଙ୍ଗଳବାର ଏଠାରେ ଆରମ୍ଭ ହୋଇଥିବା ଏସୀୟ କୁସ୍ତି ପ୍ରତିଯୋଗିତାର ଗ୍ରିକୋ-ରୋମାନ୍‌ ବର୍ଗରେ ସୁନିଲ କୁମାର ଭାରତର ସ୍ବର୍ଣ୍ଣ ମରୁଡିର ଅବସାନ ଘଟାଇଛନ୍ତି। ସୁନିଲ ୮୭ କେଜି ଗ୍ରିକୋ-ରୋମାନ୍‌ ଫାଇନାଲ୍‌ରେ କିର୍ଗିଜସ୍ତାନର ଅଜାତ ସାଲିଦିମୋଭ୍‌ଙ୍କୁ ୫-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିବା ସହିତ ତ୍ରିରଙ୍ଗା ଉଡାଇ ଉତ୍ସବ ମନାଇଥିଲେ। ଗତବର୍ଷ (୨୦୧୯) ସୁନିଲ ମଧ୍ୟ ଏସୀୟ କୁସ୍ତିର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ। ଅନ୍ୟତମ ଭାରତୀୟ ଅର୍ଜୁନ ହାଲାକୁର୍କୀ ଗ୍ରିକୋ-ରୋମାନ୍‌ ୫୫ କେଜିରେ କାଂସ୍ୟ ପଦକ ଜିତିଛନ୍ତି। ପ୍ରଥମ ଥର ଲାଗି ବରିଷ୍ଠ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଥିବା ଅର୍ଜୁନ ମଧ୍ୟ ପ୍ରଥମ ପଦକ ହାସଲ କରିଥିଲେ। ସେମିଫାଇନାଲ୍‌ରେ ସେ ଇରାନ୍‌ର ନାସେରପୁରଙ୍କ ନିକଟରୁ ୭-୮ରେ ହାରିଯାଇଥିଲେ।

ଅନ୍ୟପକ୍ଷରେ ଗ୍ରିକୋ-ରୋମାନ୍‌ରେ ବୁଧବାର ଦ୍ବିତୀୟ ଦିବସରେ ଅନ୍ୟ ଦୁଇ ଭାରତୀୟ ଅଂଶୁ ଓ ଆଦିତ୍ୟ କୁଣ୍ଡୁ ଯଥାକ୍ରମେ ୬୭ ଓ ୭୨ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। କାଂସ୍ୟ ପଦକ ମୁକାବିଲାରେ ଅଂଶୁ ସିରିଆର ଅବ୍‌ଦୁଲକରିମ୍‌ ମହମ୍ମଦ ଅଲ୍‌ ହାସନ୍‌ଙ୍କୁ ୮-୧ ଏବଂ ଆଦିତ୍ୟ ଜାପାନର ନାଓ କୁସାକାଙ୍କୁ ୮-୦ରେ ପରାସ୍ତ କରିଥିଲେ। ଏଥି ସହିତ ଭାରତ ଦୁଇ ଦିନରେ ୪ ପଦକ ଅମଳ କରିଛି।

ସମ୍ବନ୍ଧିତ ଖବର