ଟି-୨୦: ଭାରତ ୭, ଇଂଲଣ୍ଡ ୭

ଝାଳ ବୁହାଇଲେ କୋହଲି ସେନା, ଅଶ୍ବିନ୍‌ ଫେବ୍ରୁଆରିର ଶ୍ରେଷ୍ଠ ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ୍ ଶୃଙ୍ଖଳା ଶେଷ ହେବା ପରେ ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ମୁକାବିଲା ଅନୁଷ୍ଠିତ ହେବାକୁ ଯାଉଛି। ସମସ୍ତ ମ୍ୟାଚ୍‌ ଅହମଦାବାଦରେ ଖେଳାଯିବ। ଟେଷ୍ଟ୍ ଶୃଙ୍ଖଳାରେ ହାରାହାରି ପ୍ରଦର୍ଶନ କରିଥିବା ଇଂଲଣ୍ଡ ୧-୩ ପରାଜୟର ପ୍ରତିଶୋଧ ଏହି ସଂକ୍ଷିପ୍ତ ଫର୍ମାଟ୍‌ରେ ନେବ ବୋଲି ଆଶା ରଖିଛି। ଏହ‌ି ଫର୍ମାଟ୍‌ରେ ମଧ୍ୟ ଇଂଲଣ୍ଡ ଏବେ ବିଶ୍ବର ଏକ ନମ୍ବର ଦଳ ରହିଛି। ବିଗତ କିଛି ବର୍ଷ ମଧ୍ୟରେ ଟି-୨୦ରେ ପ୍ରଭାବୀ ପ୍ରଦର୍ଶନ କରୁଛି ଇଂଲଣ୍ଡ। ଆଇସିସି ମାନ୍ୟତାରେ ୩ ନମ୍ବର ସ୍ଥାନରେ ଥିବା ଭାରତ ସହ ମୁକାବିଲା ବେଳକୁ କିନ୍ତୁ ଏହା ବରାବର ସ୍ଥିତିରେ ଅଛି। ୨୦୦୭ ମସିହାର ପ୍ରଥମ ସଂସ୍କରଣ ବିଶ୍ବକପ୍‌ଠାରୁ ଆରମ୍ଭ ହୋଇଥିବା ଦୁଇ ଦେଶର ମୁକାବିଲା ମଧ୍ୟରୁ ପ୍ରତ୍ୟେକ ୭ ଲେଖାଏଁ ଜିତିଥିବାରୁ ଏହି ୫ ମ୍ୟାଚ୍‌ ଶୃଙ୍ଖଳା କଡ଼ା ଟକ୍କର ଦେଖାଇବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଆଇସିସି ଟି-୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଉଭୟ ଦଳ ମଧ୍ୟ ନିଜ ନିଜକୁ ଶାଣିତ କରିବା ଏବଂ ଦଳୀୟ ସମନ୍ବୟକୁ ସଜାଡ଼ିବା ଲାଗି ପ୍ରୟାସ କରିବେ। ତେବେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଟି-୨୦ ଶୃଙ୍ଖଳାର ଅବ୍ୟବହିତ ପୂର୍ବରୁ ଆସନ୍ତୁ ଦୁଇ ଦଳର ମୁହାଁମୁହିଁ ରେକର୍ଡ ଉପରେ ନଜର ପକାଇନେବା।

ମୁହାଁମୁହିଁ
ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ୨୦୦୭ ଆଇସିସି ଟି-୨୦ ବିଶ୍ବକପ୍‌ରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ ଭାରତ ଓ ଇଂଲଣ୍ଡ। ସେହିବର୍ଷ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଷ୍ଟୁଆର୍ଟ ବ୍ରଡଙ୍କୁ ଯୁବରାଜ ସିଂହ ଗୋଟିଏ ଓଭରରେ ୬ ଛକା ମାରିବା ପାଇଁ ଅଧିକ ଚର୍ଚ୍ଚିତ‌ ହୋଇଥିଲା। ଦୁଇ ଦେଶ ମଧ୍ୟରେ ମୋଟ ୧୪ ମୁକାବିଲାରୁ ପ୍ରତ୍ୟେକ ୭ ଲେଖାଏଁ ଜିତିଛନ୍ତି। କିନ୍ତୁ ବିଗତ ୩ ବର୍ଷ ଭିତରେ ‌ଉଭୟଙ୍କ ମଧ୍ୟରେ ଆଦୌ ମୁକାବିଲା ହୋଇନାହିଁ। ଇଂଲଣ୍ଡ ଓ ଆୟର୍ଲାଣ୍ଡ୍ ଗସ୍ତ ବେଳେ ଦୁଇ ଦେଶ ଶେଷ ଥର ପାଇଁ ୨୦୧୮ ଜୁଲାଇରେ ଟି-୨୦ରେ ମୁକାବିଲା କରିଥିଲେ। ଭାରତରେ ଉଭୟ ଦେଶ ୬ ମ୍ୟାଚ୍‌ ଖେଳିଥିବାବେଳେ ଏଠାରେ ମଧ୍ୟ ସମାନ ଭାବେ ୩-୩ ଫଳାଫଳକୁ ନିଜ ପକ୍ଷରେ ରଖିଛନ୍ତି।

ସର୍ବୋଚ୍ଚ ଦଳଗତ ସ୍କୋର୍
ବ୍ୟାଟିଂ ଦକ୍ଷତା ରଖିଥିବା ଉଭୟ ଦଳ ମଧ୍ୟରେ ସର୍ବୋଚ୍ଚ ଦଳଗତ ସ୍କୋର୍‌ ହେଉଛି ୨୧୮। ଏହା ମଧ୍ୟ ସେହି ୨୦୦୭ ଆଇସିସି ଟି-୨୦ ବିଶ୍ବକପ୍‌ରେ‌‌ ସ୍କୋର୍‌ କରିଥିଲା ଭାରତ। ଇଂଲଣ୍ଡ ମଧ୍ୟ ନିଜର ସର୍ବୋଚ୍ଚ ଦଳଗତ ସ୍କୋର୍‌ ୨୦୦ ରନ୍‌ ସେହି ମ୍ୟାଚ୍‌ରେ ସ୍କୋର୍ କରି ହାରିଥିଲା।

ସର୍ବନିମ୍ନ ଦଳଗତ‌ ସ୍କୋର୍‌
ସର୍ବନିମ୍ନ ସ୍କୋର୍‌ କ୍ଷେତ୍ରରେ ମଧ୍ୟ ଇଂଲଣ୍ଡ ଠାରୁ ଭାରତ ଢ଼େର ଉନ୍ନତ ସ୍ଥିତିରେ ରହିଛି। ଇଂଲଣ୍ଡ ବିପକ୍ଷରେ ଭାରତର ଦଳଗତ ସ୍କୋର୍‌ ରହିଛି ୧୨୦/୯। ଭାରତ ବିପକ୍ଷରେ ଇଂଲଣ୍ଡର ସର୍ବନିମ୍ନ ଟି-୨୦ ସ୍କୋର୍‌ ହେଉଛି ୮୦ ଅଲ୍‌ରାଉଟ୍‌। ୨୦୧୨ ଟି-୨୦ ବିଶ୍ବକପ୍‌ରେ ହରଭଜନ ସିଂହ ୪ ୱିକେଟ୍ ଦଖଲ କରିନେବାରୁ ୧୭୧ ରନ୍‌ ଲକ୍ଷ୍ୟରେ ଖେଳିଥିବା ଇଂଲଣ୍ଡ ୯୦ ରନ୍‌ ବ୍ୟବଧାନରେ ହାରିଥିଲା।

ବ୍ୟକ୍ତିଗତ କୀର୍ତ୍ତିମାନ
ସର୍ବାଧିକ ରନ୍‌: ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୨ ପାଳିରୁ ସର୍ବାଧିକ ୩୪୬ରନ୍ କରିଛନ୍ତି। ଏହା ଭିତରେ କିନ୍ତୁ ମାତ୍ର ଗୋଟିଏ ଅର୍ଦ୍ଧଶତକ ସାମିଲ ଅଛି। ଷ୍ଟ୍ରାଇକରେଟ୍‌ ୧୩୦ରୁ ଉପରେ ରହିଛି। ଇଂଲଣ୍ଡର ସୀମିତ ଓଭର ଅଧିନାୟକ ତଥା ଏ ପିଢ଼ିର ଅନ୍ୟତମ ଉତ୍କୃଷ୍ଟ ବ୍ୟାଟ୍ସମ୍ୟାନ୍‌ ଇଅନ୍ ମୋର୍ଗାନ୍‌ ୩୧୪ ରନ୍ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ସର୍ବାଧିକ ୧୭ ଛକା କୀର୍ତ୍ତିମାନ ମଧ୍ୟ ମୋର୍ଗାନଙ୍କ ନାମରେ ରହିଛି। ଅବସରପ୍ରାପ୍ତ ମହେନ୍ଦ୍ର ସିଂହ ଧୋନି (୨୯୬), ସୁରେଶ ରାଇନା (୨୯୨), ଆଲେକ୍ସ ହେଲ୍‌ (୨୪୫) ଶୀର୍ଷ ୫ର ପରବର୍ତୀ ୩ ସ୍ଥାନରେ ରହିଛନ୍ତି।

ଶତକ: ଭାରତ ପକ୍ଷରୁ କେଏଲ୍ ରାହୁଲ ଏବଂ ରୋହିତ ଶର୍ମା ମାତ୍ର ଦୁଇ ଜଣ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡ ବିପକ୍ଷରେ ଟି-୨୦ ଶତକ ହାସଲ କରିଛନ୍ତି। ଇଂଲଣ୍ଡ ପକ୍ଷରୁ କିନ୍ତୁ ଜଣେ ହେଲେ ବି ଟି-୨୦ରେ ଭାରତ ବିପକ୍ଷରେ ତିନି ଅଙ୍କ ଛୁଇଁ ପାରିନାହାନ୍ତି।

ସର୍ବାଧିକ ୱିକେଟ୍‌:ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ ଗୁଡିକରେ ୟୁଜବେନ୍ଦ୍ର ଚହଲ୍‌ ସର୍ବାଧିକ ୯ ୱିକେଟ୍ ନେଇଛନ୍ତି। ୬ ମ୍ୟାଚ୍‌ ଖେଳିଥିବା ଏହି ସ୍ପିନର୍‌ଙ୍କ ଶ୍ରେଷ୍ଠ ବୋଲିଂ ଚିତ୍ର ୬/୨୫ ଓ ଇକୋନୋମି ରେଟ୍‌ ରହିଛି ୭.୩୭। ହରଭଜନ ସିଂହ ୩ ମ୍ୟାଚ୍‌ରୁ ୮ ୱିକେଟ୍ ନେଇ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଇଂଲିସ୍‌ ପେସ୍‌ ବୋଲର ଜାଡେ ଡର୍ନବ୍ୟାକ୍‌ ୫ ମ୍ୟାଚ୍‌ରୁ ୭ ୱିକେଟ୍‌ ନେଇ ତୃତୀୟରେ ରହିଛନ୍ତି। ଟିମ୍ ବ୍ରେସନାନ୍‌ ଓ ଷ୍ଟିଭେନ୍‌ ଫିନ୍‌ ୬ ଲେଖାଏଁ ନେଇ ପରବର୍ତୀ ୨ ସ୍ଥାନରେ ରହିଛନ୍ତି।

୫ ମ୍ୟାଚ୍‌ ଶୃଙ୍ଖଳା ଦଳ
ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), କେଏଲ୍ ରାହୁଲ, ଶିଖର ଧାୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷବ ପନ୍ତ୍‌ (ୱିକେଟ୍‌ରକ୍ଷକ), ଈଶାନ କିଷନ (ୱିକେଟ୍‌ରକ୍ଷକ), ୟୁଝବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, ରାହୁଲ ତିୱାତିଆ, ଟି ନଟରାଜନ, ଭୁବନେଶ୍ବର କୁମାର, ଦୀପକ ଚହର, ନଭଦୀପ ସୈନି, ଶାର୍ଦୁଲ ଠାକୁର।
ଇଂଲଣ୍ଡ: ଇଅନ୍ ମୋର୍ଗାନ୍‌ (ଅଧିନାୟକ), ମୋଇନ୍ ଅଲୀ, ଜୋଫ୍ରା ଆର୍ଚର, ‌‌ୟୋନାଥନ୍ ବେୟାରଷ୍ଟୋ, ସାମ୍ ବିଲିଙ୍ଗ୍ସ, ଜୋସ୍ ବଟଲର୍‌, ସାମ୍ କରନ୍‌, ଟମ୍ କରନ୍‌, କ୍ରିସ୍ ଜୋର୍ଡାନ୍‌, ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌, ଦାୱିଦ୍‌ ମଲାନ, ଆଦିଲ ରସିଦ୍‌, ଜାସନ୍ ରୟ, ବେନ୍ ଷ୍ଟୋକ୍ସ, ରିସ୍ ଟପଲେ, ମାର୍କ ଉଡ୍‌।

ସମ୍ବନ୍ଧିତ ଖବର