ଅର୍ଥ ପାଇଁ ବନ୍ଧା ପଡ଼ିଛି ପ୍ରତିଭା

ନିଜସ୍ବ କିଟ୍ ନଥିବାରୁ ଜାତୀୟ ହ୍ବିଲଚେୟାର୍ ଅସିଚାଳନାରୁ ବଞ୍ଚିତ ହେବେ ପୂଜାସ୍ବିନୀ

ଭୁବନେଶ୍ବର : ପିଲାବେଳୁ ତାଙ୍କର ଖେଳ ପ୍ରତି ଯଥେଷ୍ଟ ଆଗ୍ରହ। ସାଙ୍ଗସାଥୀଙ୍କ ସହ ପାଠ ପଢ଼ି ଖେଳି ଅନ୍ୟମାନଙ୍କ ଭଳି ସେ ମଧ୍ୟ ବଡ଼ ହୋଇ ପ୍ରତିଷ୍ଠିତ ହେବାକୁ ଚାହାନ୍ତି। ହେଲେ ସ୍ରଷ୍ଟାଙ୍କ ଚିନ୍ତା ଥିଲା କିଛି ଅଲଗା। ସେହି ସ୍ରଷ୍ଟାଙ୍କ ଇଚ୍ଛାନୁଯାୟୀ ଜନ୍ମରୁ ଗୋଡ଼ ହରାଇ ଦିବ୍ୟାଙ୍ଗ ହୋଇ ଜନ୍ମଗ୍ରହଣ କରିଥିବା ଗଜପତି ଲୁଡ୍ରୁ ଗ୍ରାମର ପୂଜାସ୍ବିନୀ ନାୟକ ଏବେ ହେଉଛନ୍ତି ଜାତୀୟସ୍ତରରେ ହ୍ବିଲଚେୟାର୍ ଅସିଚାଳନାର ଜଣେ ଆଗଧାଡ଼ିର ପ୍ରତିଭା। ସେ ମଧ୍ୟ ରାଜ୍ୟରୁ ବି’ ବର୍ଗର ଏକମାତ୍ର ଫେନ୍ସର୍। ମାତ୍ର ଚଳିତ ବର୍ଷ ମାର୍ଚ୍ଚ ୨୭ରେ ହରିୟାଣାର କର୍ଣ୍ଣଲ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ହ୍ବିଲଚେୟାର୍ ଅସିଚାଳନା ପ୍ରତିଯୋଗିତାରେ ତାଙ୍କ ଖେଳିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖେଳ ପାଇଁ ଆବଶ୍ୟକୀୟ ନିଜସ୍ବ ଖେଳ ସାମଗ୍ରୀ ବା କିଟ୍ ନଥିବାରୁ ଖେଳରେ ଅଂଶ ଗ୍ରହଣ କରିବା ସମ୍ଭବ ନୁହେଁ।

ଗତ ମାର୍ଚ୍ଚ ୬ ତାରିଖରେ ପାରାଲିମ୍ପିକ୍ ଇଣ୍ଡିଆ ପକ୍ଷରୁ ହରିୟାଣାରେ ଜାତୀୟ ହ୍ବିଲଚେୟାର୍ ଅସିଚାଳନା ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବର୍ତ୍ତମାନ କରୋନାର ସଂକ୍ରମଣ ହାର୍ କମ୍ ଥିଲେ ସୁଦ୍ଧା ସଂପୂର୍ଣ୍ଣ ଶେଷ ହୋଇନଥିବାରୁ ନିୟମାବଳୀରେ ସବୁ ପ୍ରତିଯୋଗୀ ନିଜସ୍ବ କିଟ୍ ବ୍ୟବହାର କରିବେ ବୋଲି ଉଲ୍ଲେଖ ରହିଥିଲା। ଯାହାକୁ ଦେଖି ପୂଜାସ୍ବିନୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। କାରଣ ଗତଥର ଅର୍ଥାତ୍ ୨୦୧୯ରେ ଚେନ୍ନାଇରେ ଆୟୋଜିତ ପ୍ରତିଯୋଗିତାରେ କିଟ୍‌କୁ ନେଇ କୌଣସି ନିୟମାବଳୀ ଜାରି କରାଯାଇନଥିଲା। ଯେଉଁଥିପାଇଁ ସେ ସେଠାକୁ ଯାଇଥିବା ସାଥୀ ଫେନ୍ସର୍ ଖେଳାଳିଙ୍କୁ କିଟ୍ ମାଗି ଖେଳିଥିଲେ ଏବଂ ଦଳଗତ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ବେଳେ ବ୍ୟକ୍ତିଗତ ହ୍ବିଲ୍‌ଚେୟାର ଅସିଚାଳନାରେ ମଧ୍ୟ କାଂସ୍ୟ ଜିତିଥିଲେ। ଏହା ପରେ ୨୦୨୦ରେ କରୋନା ପାଇଁ ଖେଳ ସ୍ଥଗିତ ରହିଥିବା ବେଳେ ଚଳିତ ବର୍ଷ ଏହା ପୁନର୍ବାର ଆୟୋଜିତ ହେଉଛି।

ତେବେ ଏନେଇ ତାଙ୍କ ପ୍ରଶିକ୍ଷକ ରାଖାଲ୍ ସେଠୀ କହିଛନ୍ତି ଯେ ସେ ଯେତେବେଳେ ତାଙ୍କର ଖେଳ ପ୍ରତି ଏତେ ଆଗ୍ରହ ଥିବା ଦେଖିଲେ ସେ ତାଙ୍କୁ ହ୍ବିଲଚେୟାର ଫେନ୍ସିଂ ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ପୂଜାସ୍ବିନୀଙ୍କ ଆର୍ଥିକ ଅବସ୍ଥା ସୁଦୃଢ଼ ନଥିବାରୁ ତାଙ୍କ ନିକଟକୁ ଆସୁଥିବା ଅନ୍ୟ ଫେନ୍ସରମାନଙ୍କଠାରୁ କିଟ୍ ମାଗି ତାଙ୍କୁ ଖେଳ ଶିଖାଇଥିଲେ। ଖେଳ ଶିଖିବା ବେଳେ ତଥା ଅଭ୍ୟାସ ବେଳେ ସେ ଭଲ ପ୍ରଦର୍ଶନ କରିବାରୁ ତାଙ୍କୁ ଜାତୀୟ ପ୍ରତିଯୋଗିତାରେ ବି’ ବର୍ଗର ଫେନ୍ସର୍ ଭାବରେ ଚୟନ କରାଯାଇଥିଲା। ଦଳଗତ ପ୍ରଦର୍ଶନରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ସେ ମଧ୍ୟ ଭଲ ଖେଳୁଥିବାରୁ ପୂର୍ବ ଥର ଦଳ ଭଲ ପ୍ରଦର୍ଶନ କରିଥିଲା। ହେଲେ ଚଳିତ ବର୍ଷ କରୋନା ନିୟମାବଳୀ ଜାରି ହେବା ପରେ ତାଙ୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ନେଇ ଦଳ ମଧ୍ୟ ଚିନ୍ତା ପ୍ରକଟ କରିଥିଲା। ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା ମଧ୍ୟ ପାଇନଥିଲେ। ଫେନ୍ସିଂ କିଟ୍ ଅର୍ଥାତ୍ ଇଲୋକ୍ଟ୍ରୋନିକ୍ସ ଜ୍ୟାକେଟ୍, ଡ୍ରେସ୍, ମାସ୍କ୍, ସୋର୍ଡ, ହେଲମେଟ୍‌ ଆଦି ଖର୍ଚ୍ଚ ଦେଖିଲେ ସର୍ବନିମ୍ନ ୩୦ରୁ ୩୫ହଜାର ଟଙ୍କା ଆବଶ୍ୟକ ହେବ ବୋଲି ଶ୍ରୀ ସେଠୀ କହିଛନ୍ତି।

ତେବେ ଏନେଇ ରାଜ୍ୟ ବିକଳାଙ୍ଗ ମଞ୍ଚର ସଭାପତି ନିରଂଜନ ସାହୁ କହିଛନ୍ତି, ଦିବ୍ୟାଙ୍ଗମାନେ ଅନ୍ୟମାନଙ୍କଠୁ ଭିନ୍ନ ହୋଇଥିଲେ ସୁଦ୍ଧା ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ରାଜ୍ୟ ତଥା ଦେଶର ନାଁ ରଖୁଛନ୍ତି। ପୂଜାସ୍ବିନୀ ମଧ୍ୟ ବିଗତ ଦିନରେ ଭଲ ପ୍ରଦର୍ଶନ କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ ତାଙ୍କର ଭବିଷ୍ୟତକୁ ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନ ନେବା ସେମାନଙ୍କୁ ହତୋତ୍ସାହିତ କରୁଥିବା ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର