ଚଟ୍ଟଗ୍ରାମ ଟେଷ୍ଟ୍‌: ଲକ୍ଷ୍ୟ ୩୯୫, ୱେଷ୍ଟଇଣ୍ଡିଜ୍‌ ୧୧୦/୩

ଚଟ୍ଟଗ୍ରାମ: ମେହେଦି ହାସନ୍‌ ମିରାଜ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଏବଂ ମୋମିନୁଲ୍‌ ହକ୍‌ଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଘରୋଇ ବାଂଲାଦେଶ ବିଜୟ ବାସ୍ନା ପାଇଛି। ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୩୯୫ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ‌ବେଳେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୩ ୱିକେଟ୍‌ ବିନିମୟରେ ୧୧୦ ରନ୍‌ କରି ଆଶା ଓ ଆଶଙ୍କା ଭିତରେ ରହିଛି।

ତୃତୀୟ ଦିନ ସୁଦ୍ଧା ୨୨୮ ରନ୍‌ରେ ଆଗୁଆ ଥିବା ବାଂଲାଦେଶ ୪୭/୩ରୁ ଖେଳି ଶନିବାର ନିଜ ଦ୍ବିତୀୟ ପାଳିକୁ ୨୨୩/୮ରେ ଘୋଷଣା କରିଥିଲା। ମୋମିନୁଲ୍ ହକ୍‌ (୧୧୫ ରନ୍‌, ୧୮୨ ବଲ୍, ୧୦ ଚୌକା) ନିଜ ଦଶମ ଟେଷ୍ଟ୍ ଶତକ ହାସଲ କରିଥିଲେ। ‌ଚଟ୍ଟଗ୍ରାମରେ ସପ୍ତମ ଟେଷ୍ଟ୍ ଶତକ ମଧ୍ୟ ପୂର୍ଣ୍ଣ କରିଥିଲେ। ୱିକେଟ୍‌ରକ୍ଷକ ଲିଟନ୍ ଦାସ (୬୯, ୧୧୨ ବଲ୍‌, ୫ ଚୌକା)ଙ୍କୁ ସାଥୀ କରି ମୋମିନୁଲ୍‌ ଷଷ୍ଠ ୱିକେଟ୍‌ ପାଇଁ ୧୩୩ ରନ୍ ଯୋଡ଼ିବା ପରେ ବାଂଲାଦେଶ ପ୍ରତ୍ୟାବର୍ତନ କରିଥିଲା। ଲିଟନଙ୍କୁ ଆଉଟ୍ କରି ଜୋମେଲ୍‌ ୱାରିକାନ୍‌ ଏହି ଭାଗୀଦାରି ଅଲଗା କରିଥିଲେ। ୭୩ ରନ୍‌ରେ ୪ ୱିକେଟ୍ ହରାଇଥିବା ବାଂଲାଦେଶ ଅଗ୍ରଣୀକୁ ୩୫୦ ଅତିକ୍ରମ କରାଇବାରେ ଏହି ଯୋଡ଼ି ପ୍ରମୁଖ ଭୂମିକା ତୁଲାଇଥିଲେ।
୩୯୫ ରନ୍ ବିଜୟ ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ୍‌ ପ୍ରଥମ ୧୬ ଓଭର ୱିକେଟ୍ ନ ହରାଇ ଠିକଣା ପଥରେ ରହିଥିଲା। ମେହେଦି ହାସନ୍ କିନ୍ତୁ ଲଗାତାର ଓଭରରେ କ୍ୟାମ୍ପ୍‌ବେଲ୍‌, ବ୍ରାଥୱେଟ୍‌ଙ୍କୁ ଆଉଟ୍ କରି ଭ୍ରମଣକାରୀ ଦଳକୁ ରୋକିଥିଲେ। ସେନ୍‌ ମୋସଲିଙ୍କୁ ସେ ମଧ୍ୟ ତୃତୀୟ ଶିକାର କରିଥିଲେ।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ପ୍ରଥମ ପାଳି ୪୩୦ (ମେହେଦି ହାସନ୍‌ ମିରାଜ-୧୦୩, ଜୋମେଲ ୱାରିକାନ୍‌-୪/୧୩୩, ରୋଭ୍‌ମନ ପାୱେଲ-୨/୧୧୪)। ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳି: ୨୫୯ (କ୍ରେଗ୍‌ ବ୍ରାଥ୍‌ୱେଟ୍‌-୭୬, ବ୍ଲାକ୍‌ଉଡ୍‌-୬୮, ମେହେଦି ହାସନ୍‌ ମିରାଜ୍‌-୪/୫୮)। ବାଂଲାଦେଶ ଦ୍ବିତୀୟ ପାଳି: ୬୭.୫ ଓଭରରେ ୨୨୩/୮ (ମୋମିନୁଲ୍ ହକ୍‌-୧୧୫, ଲିଟନ୍ ଦାସ-୬୯, ଜୋମେଲ ୱାରିକାନ୍‌-୩/୫୭, ରାଖିମ୍‌ କର୍ଣ୍ଣୱାଲ୍‌-୩/୮୧, ସାନନ୍ ଗାବ୍ରିଏଲ୍‌-୨/୩୭)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୪୦ ଓଭରରେ ୧୧୦/୩ (ଜନ୍ କ୍ୟାମ୍ପ୍‌ବେଲ୍‌-୨୩, କ୍ରେଗ୍ ବ୍ରାଥୱେଟ୍‌-୨୦, ନୃମା ବୋନର୍‌-୧୫*, କାଇଲ୍‌ ମାୟର୍ସ-୩୭*, ମେହେଦି ହାସନ୍‌ ମିରାଜ-୩/୫୨)।

ସମ୍ବନ୍ଧିତ ଖବର