ଅାଉ ୫ ଦିନ: ପ୍ରଥମ ବିଶ୍ବକପ୍ ଲକ୍ଷ୍ୟରେ ଅଲିମ୍ପିକ୍ସ ବିଜେତା

ଭୁବନେଶ୍ବର: ଚତୁର୍ଦଶ ହକି ବିଶ୍ବକପ୍ ଲାଗି ସମଗ୍ର ଭାରତ ବର୍ଷ ଏବେ ଚଳଚଞ୍ଚଳ। ଆୟୋଜକ ଓଡ଼ିଶା ଉତ୍ସବ ମୁଖର। ବିଶ୍ବକପ୍‌କୁ ସ୍ବାଗତ କରିବା ପାଇଁ ରାଜଧାନୀ ଭୁବନେଶ୍ବର ବି ବୋହୁ ଭଳିଆ ସଜେଇ ହେଉଛି। ଏଭଳି ସ୍ଥିତିରେ ବିଦେଶୀ ଦଳ ପହଞ୍ଚିବା ସ୍ଥାନୀୟ ହକି ମାହୋଲକୁ ଅହୁରି ମନ୍ତ୍ରମୁଗ୍ଧ କରିଛି। ବିଶ୍ବକପ୍‌ର ୧୬ ଦଳ ମଧ୍ୟରୁ ବୁଧବାର ଦୁଇଟି ବିଦେଶୀ ଦଳ ଯଥା ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ଓ ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଭୁବନେଶ୍ବର ପହଞ୍ଚିଛନ୍ତି। ଆର୍ଜେଣ୍ଟିନା ଦଳ ସକାଳ ୯ଟାରେ ପହଞ୍ଚିବା ପରେ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛି। ଦକ୍ଷିଣ ଆଫ୍ରିକା ରାତି ୯ଟାରେ ପହଞ୍ଚିଛି। ଏହି ଦଳ ଗୁରୁବାର ଅଭ୍ୟାସ ଆରମ୍ଭ କରିବାର ସମ୍ଭାବନା ରହିଛି। ବୁଧବାର ଆର୍ଜେଣ୍ଟିନା ଖେଳାଳିମାନେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ବାହାରକୁ ଆସିବା ପରେ ସ୍ଥାନୀୟ ହକି ପ୍ରେମୀ ଉତ୍ସାହର ସହ ସେମାନଙ୍କୁ ସ୍ବାଗତ କରିଥିଲେ। ରାତିରେ ଆସିଥିବା ଦକ୍ଷିଣ ଆଫ୍ରିକା ଖେଳାଳିଙ୍କୁ ଦେଖିବା ଲାଗି ମଧ୍ୟ କିଛି ହକିପ୍ରେମୀ ଧୈର୍ଯ୍ୟର ସହ ଅପେକ୍ଷା କରି ରହିଥିଲେ। ପୂର୍ବରୁ କଳିଙ୍ଗ ହକି କଂପ୍ଲେକ୍ସରେ ବହୁ ମ୍ୟାଚ୍ ଖେଳିଥିବା ସହ ହକି ଇଣ୍ଡିଆ ଲିଗ୍‌‌‌ରେ ଓଡ଼ିଶା ଦଳ କଳିଙ୍ଗ ଲାନର୍ସର ପ୍ରତିନିଧିତ୍ବ କରିଥିବା ଗୋଞ୍ଜାଲୋ ପିଲାଟ ଆର୍ଜେଣ୍ଟିନା ଦଳର ପ୍ରମୁଖ ଆକର୍ଷଣ ଥିଲେ। ସୂଚନାଯୋଗ୍ୟ ଯେ ଆର୍ଜେଣ୍ଟିନା ପୂର୍ବରୁ କେ‌ବେ ବି ବିଶ୍ବକପ୍ ଜିତି ନାହିଁ। ସେଥିପାଇଁ ଭୁବନେଶ୍ବରରେ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଏହି ଲାଟିନ୍ ଆମେରିକୀୟ ଦେଶ। ୨୦୧୪ରେ ନେଦରଲାଣ୍ଡର ହଗ୍‌ଠାରେ ଆୟୋଜିତ ବିଶ୍ବକପ୍‌ର ଗତ ସଂସ୍କରଣରେ ଆଜେର୍ଣ୍ଟିନା ବିଜେତା ଅଷ୍ଟ୍ରେଲିଆ ଏବଂ ଉପବିଜେତା ନେଦରଲାଣ୍ଡ ପଛକୁ ତୃତୀୟ ସ୍ଥାନରେ ରହିଥିଲା। ସେପଟେ ଷଷ୍ଠ ଥର ପାଇଁ ବିଶ୍ବକପ୍ ଖେଳିବାକୁ ଯାଉଥିବା ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ଦଶମ ସ୍ଥାନ। ଯାହାକୁ ଏହି ଦଳ ଆହୁରି ଭଲ କରିବା ଆଶାରେ ଓଡ଼ିଶା ଆସିଛି। ଉଭୟ ଦଳରେ କେତେକ ଦକ୍ଷ ଖେଳାଳି ଅଛନ୍ତି। ବିଷେଷ କରି ପିଲାଟ ଏବଂ ଲୁକାସ ଭିଲ୍ଲା ଭୁବନେଶ୍ବର ଦର୍ଶକଙ୍କ ପାଖରେ ବେଶ୍ ପରିଚିତ।

କଳିଙ୍ଗରେ ଦକ୍ଷିଣ ଆଫ୍ରିକା ଦେଖାଇବ ଦମ୍‌
 ଆର୍ଜେଣ୍ଟିନାର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ସ୍ପେନ୍‌
ବିଶ୍ବ ମାନ୍ୟତାର ପଞ୍ଚଦଶ ସ୍ଥାନରେ ଥିବା ଆର୍ଜେଣ୍ଟିନା ବିଶ୍ବକପ୍‌ର ପୁଲ୍-ଏ’ରେ ସ୍ଥାନ ପାଇଛି। ଲିଗ୍ ପର୍ଯ୍ୟାୟରେ ଏହି ଦଳ ସ୍ପେନ୍, ନ୍ୟୁଜିଲାଣ୍ଡ ଓ ଫ୍ରାନ୍ସ ସହ ଲଢ଼ିବ। ୨୯ ତାରିଖ ସଂଧ୍ୟା ୫ଟାରେ ଏହି ଦଳ ୟୁରୋପୀୟ ଶକ୍ତି ସ୍ପେନ୍ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ନୂଆ ପ୍ରଶିକ୍ଷକ ଜର୍ମାନିର ମାରିନୋ ଓରାଜୋଙ୍କ ମାର୍ଗଦର୍ଶନରେ ଆର୍ଜେଣ୍ଟିନା ବିଶ୍ବକପ୍ ଖେଳିବ। ଏଥର ଆର୍ଜେଣ୍ଟିନା ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିବା ଲକ୍ଷ୍ୟରେ ରହିବ। କାରଣ ଏହି ଲାଟିନ୍ ଆମେରିକୀୟ ଦେଶ କେବେ ବି ବିଶ୍ବକପ୍ ଜିତି ନାହିଁ। ଗତ ସଂସ୍କରଣରେ କାଂସ୍ୟ ପଦକ ଜିତିବା ହିଁ ବିଶ୍ବକପ୍‌ରେ ଆର୍ଜେଣ୍ଟିନାର ଶ୍ରେଷ୍ଠ ପ୍ରଦର୍ଶନ। ଆର୍ଜେଣ୍ଟିନା ତା’ର ଦ୍ବିତୀୟ ମ୍ୟାଚ୍ ଡିସେମ୍ବର ୩ରେ ନ୍ୟୁଜିଲାଣ୍ଡ ଏବଂ ୬ରେ ତୃତୀୟ ମ୍ୟାଚ୍ ଫ୍ରାନ୍ସ ବିପକ୍ଷରେ ଖେଳିବ। ଆର୍ଜେଣ୍ଟିନା ଦଳ: ଜୁଆନ ମାନୁଆଲ ଭିଭାଲଡି, ଟୋମାସ ସାଣ୍ଟିଆଗୋ, ଗ‌ୋଞ୍ଜାଲୋ ପିଲେଟ୍, ପେଡ୍ରୋ ଇବାରା, ଜୁଆନ୍ ଇଗ୍ନାସିଓ ଜିଲାର୍ଡି, ଇଗ୍ନାସିଓ ଓରିଜ୍, ଜୁଆନ୍ ମାର୍ଟିନ୍ ‌ଲୋପେଜ୍, ମାତିଆସ୍ ରେ, ଲୁକାସ ରୁସି, ଅଗଷ୍ଟିନ ବୁଗାଲୋ, ନିକୋଲାସ ସିସିଏଲୋ, ଟୋମାସ ବେଟାଗିଲୋ, ମାତିଆସ୍ ପରେଡେସ୍, ଅଗଷ୍ଟିନ୍ ମାଜିଲି, ଲୁକାସ ଭିଲ୍ଲା, ମାରିସୋ କାସେଲୋ, ଲୁକାସ ମାର୍ଟିନେଜ୍, ଜୋଆକ୍ବିନ୍‌ ମେନାନି।

 କଳିଙ୍ଗରେ ପୁଣି ଖେଳିବାକୁ ପିଲାଟ ବ୍ୟଗ୍ର
ଆର୍ଜେଣ୍ଟିନା ଦଳର ଡ୍ରାଗଫ୍ଲିକ୍ ତାରକା ଗୋଞ୍ଜାଲୋ ପିଲାଟ କଳିଙ୍ଗ ଷ୍ଟାଡିୟମରେ ପୁନର୍ବାର ଖେଳିବାକୁ ପୂରା ବ୍ୟଗ୍ର। ସେଥିପାଇଁ ଭୁବନେଶ୍ବରରେ ପାଦ ଥାପିବା କ୍ଷଣି ଏଠାକାର ହକି ମାହୋଲ ଏବଂ ହକି ପାଗଳ ଦର୍ଶକଙ୍କୁ ମନଖୋଲି ପ୍ରଶଂସା କରିଛନ୍ତି। ତା’ ସହ କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ତାଙ୍କ ଦଳ ଏକପ୍ରକାର ବ୍ୟାକୁଳ ବୋଲି କହିଛନ୍ତି। ଚିରାଚରିତ ଭାବେ ପେନାଲ୍ଟି କର୍ନର ଆଜେର୍ଣ୍ଟିନାର ଶକ୍ତିଶାଳୀ ଦିଗ ହେବ ବ‌ୋଲି ସେ କହିଛନ୍ତି। ବିଶ୍ବକପ୍‌ରେ ପ୍ରତ୍ୟେକ ଦଳ ନିଜର ଶ୍ରେଷ୍ଠ ଦେବାକୁ ଚେଷ୍ଟା କରିବେ। ଏଥିରେ ବିଶ୍ବ ମାନ୍ୟତା କିମ୍ବା ଅଲିମ୍ପିକ୍ସ ବିଜେତାର କୌଣସି ମହତ୍ବ ନାହିଁ। ଆମକୁ ପ୍ରତ୍ୟେକ ମ୍ୟାଚ୍‌ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଶ୍ରେଷ୍ଠ ହକି ଖେଳିବାକୁ ହେବ। ସମସ୍ତେ ଜାଣିଛନ୍ତି ପେନାଲ୍ଟି କର୍ନରରେ ଆମେ ବେଶ୍ ଶକ୍ତିଶାଳୀ। ହେଲେ ଆମକୁ ସବୁ ଦିଗକୁ ଗୁରୁତ୍ବ ଦେବାକୁ ହେବ। ଭୁବନେଶ୍ବର ବିଶ୍ବକପ୍ ନିଶ୍ଚିତ ଭାବେ ଏକ ସ୍ମରଣୀୟ ପ୍ରତିଯୋଗିତା ହେବ। ଏଠାକାର ହକି ପାଗଳ ପ୍ରଶଂସକଙ୍କ ସମ୍ମୁଖରେ ଖେଳିବାକୁ ମୁଁ ଚାହିଁ ରହିଛି। ଆମେ ସମସ୍ତେ ଏଥିନେଇ ବେଶ୍ ଉତ୍ସାହିତ ଅଛୁ ବୋଲି ପିଲାଟ କହିଥିଲେ। ଆମେ ବିଶ୍ବକପ୍ ପାଇଁ ଭଲ ପ୍ରସ୍ତୁତି କରିଛୁ। ଦଳରେ କିଛି ଦକ୍ଷ ଅଭିଜ୍ଞ ଖେଳାଳି ମଧ୍ୟ ଅଛନ୍ତି। ଏକାଧିକ ପ୍ରତିଯୋଗିତାରେ ଭଲ କରିଥିବାରୁ ବିଶ୍ବକପ୍‌ରେ ମଧ୍ୟ ଆମେ ଭଲ କରିବୁ ବୋଲି ପ୍ରଶିକ୍ଷକ ଓରାଜୋ କହିଥିଲେ।

ଡିଡିରେ ପ୍ରସାରିତ ହୋଇପାରେ ବିଶ୍ବକପ୍
ଭୁବନେଶ୍ବର: ଭୁବନେଶ୍ବର ହକି ବିଶ୍ବକପକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ‘ ଜାତୀୟ ଗୁରୁ୍ତ୍ବ ବହନ କରୁଥିବା କ୍ରୀଡ଼ା ପ୍ରତିଯୋଗିତା’ର ମାନ୍ୟତା ଦେଇଛି। ତା’ ସହ ବିଶ୍ବକପ୍‌ର ସବୁ ମ୍ୟାଚ୍‌ର ସିଧା ପ୍ରସାରଣ ଦୂରଦର୍ଶନ ସହ ବାଣ୍ଟିବାକୁ ଷ୍ଟାର ସ୍ପୋର୍ଟସ୍‌କୁ ନିର୍ଦେଶ ଦେଇଛି। ମନ୍ତ୍ରାଳୟ ଚଳିତ ମାସ ୧୩ ତାରିଖରେ ଦେଇଥିବା ନୋଟିସ୍‌ରେ ଏଥିନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ମଧ୍ୟ ଏହି ଘରୋଇ ପ୍ରସାରଣକାରୀ ସଂସ୍ଥାକୁ କହିଛି। ତେବେ ଏଥିନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଅଲୋଚନା ପର୍ଯ୍ୟାଲୋଚନା ଚାଲିଛି। ତେବେ ସେମିଫାଇନାଲ୍ ଏବଂ ଫାଇନାଲ୍ ସହ ଭାରତ ଖେଳୁଥିବା ମ୍ୟାଚ୍ ଦୂରଦର୍ଶନରେ ପ୍ରସାରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏଥିନେଇ ଉଭୟ ଦୂରଦର୍ଶନ ଏବଂ ଷ୍ଟାର ସ୍ପୋର୍ଟସ କିନ୍ତୁ କୌଣସି ଆନୁଷ୍ଠାନିକ ସୂଚନା ଦେଇ ନାହାନ୍ତି। ସୂଚନାଯୋଗ୍ୟ ଯେ ଷ୍ଟାର ସ୍ପୋର୍ଟସ ଭୁବନେଶ୍ବର ହକି ବିଶ୍ବକପ୍‌ର ପ୍ରସାରଣ ଅଧିକାର ହାସଲ କରିଛି।

ଭାଗ୍ୟ ସାଥ୍ ଦେଲେ ଭାରତ ସେମିଫାଇନାଲ୍ ଯାଇପାରିବ: ଚାର୍ଲୱର୍ଥ
ନୂଆଦିଲ୍ଲୀ: ଘରୋଇ ପରିବେଶରେ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଭାରତୀୟ ହକି ଦଳ ଉପରେ ପ୍ରଶଂସକଙ୍କର ‌ଢେର ଆଶା ରହିଛି। ଭାରତ ଏଥର ୧୯୭୫ ମସିହାରୁ ବିଶ୍ବକପ୍ ବିଜୟ ମରୁଡ଼ିକୁ ଦୂର କରିବ ବୋଲି କୁହାଯାଉଛି। ହେଲେ ଏକଦା ଭାରତୀୟ ଦଳ ସହ ନିବିଡ଼ ଭାବେ ଜଡ଼ିତ ଥିବା ତଥା ପୂର୍ବତନ ପ୍ରଶିକ୍ଷକ ରିକ୍ ଚାର୍ଲସୱର୍ଥ ଭିନ୍ନ ମତ ପୋଷଣ କରିଛନ୍ତି। ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଚାର୍ଲସୱର୍ଥ କହିଛନ୍ତି, ଏସୀୟ କ୍ରୀଡ଼ାର ସେମିଫାଇନାଲରେ ଭାରତ ନିଜ ଖେଳରେ ସନ୍ତୁଷ୍ଟ ଥିଲା ଭଳି ଲାଗିଥିଲା। ସେଥିପାଇଁ ପରାଜିତ ହେଲା। ‌ହେଲେ ସେମାନେ ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତି ଭଲ ପ୍ରତ୍ୟାବର୍ତନ କରିଥିଲେ। ମୁଁ ଭାବୁଛି ଭାଗ୍ୟ ସାଥ୍ ଦେଲେ ଭାରତ ବିଶ୍ବକପ୍‌ର ସେମିଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିବ। ଭାରତ ଯଦି ନିଜ ଗ୍ରୁପର ତିନିଟି ମଧ୍ୟରୁ ଦୁଇଟି ମ୍ୟାଚ୍ ଜି‌ତେ, ତାହାଲେ କ୍ବାର୍ଟର ଫାଇନାଲ୍ ଖେଳିବ। ଏହା ପରେ ଘରୋଇ ପ୍ରଶଂସକଙ୍କ ସମର୍ଥନରେ ସେମାନେ ସମ୍ଭବତଃ ନକ୍‌ଆଉଟ୍ ପର୍ଯ୍ୟାୟ ପାର ହୋଇଯାଇପାରନ୍ତି ବୋଲି ଚାର୍ଲସ୍‌ୱର୍ଥ ଖୋଲାଖୋଲି ଭାବେ କହିଛନ୍ତି। ସେ ଭୁବନେଶ୍ବର ହକି ବିଶ୍ବକପ୍ ଫର୍ମାଟକୁ ପସନ୍ଦ କରିଥିଲା ବେଳେ ଏଥିରେ ଅଧିକ ବିପର୍ଯ୍ୟୟ ଦେଖିବାକୁ ମିଳିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ଗତଥରର ବିଜେତା ଅଷ୍ଟ୍ରେଲିଆ ଛଡ଼ା‌ ଜର୍ମାନି, ବେଲ୍‌ଜିୟମ ଓ ନେଦରଲାଣ୍ଡ ସେମିଫାଇନାଲକୁ ଯିବାର ପ୍ରବଳ ଦାବିଦାର ‌ବୋଲି ସେ ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ ବିଶ୍ବକପ୍ ଅବସରରେ ଚାର୍ଲସୱର୍ଥ ଭାଷ୍ୟକାର ଦାୟିତ୍ବ ତୁଲାଇବେ।

ଆଜି ଆସିବ ପଦାର୍ପଣକାରୀ ଚୀନ
ଭୁବନେଶ୍ବର: ବିଶ୍ବ ମାନ୍ୟତାର ସପ୍ତଦଶ ସ୍ଥାନରେ ଥିବା ଚୀନ ହକି ଦଳ ଗୁରୁବାର ଭୁବନେଶ୍ବର ପହଞ୍ଚିବ। ଚୀନ ଖେଳାଳିମାନେ ଆସନ୍ତାକାଲି ଅପରାହ୍ନ ୧.୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଦଳୀୟ ହୋଟେଲକୁ ନିଆଯିବ। ଅନ୍ୟପକ୍ଷରେ ବିଶ୍ବ ମାନ୍ୟତାର ବିଂଶତମ ସ୍ଥାନରେ ଥିବା ଫ୍ରାନ୍ସ ରାତି ଗୋଟାଏରେ ଭୁବନେଶ୍ବରରେ ପାଦ ଥାପିବ। ସୂଚନାଯୋଗ୍ୟ ଯେ ଚୀନ ପ୍ରଥମ ଥର ପାଇଁ ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିଛି। ଏଣୁ ଏହି ଦଳ ଭୁବନେଶ୍ବରରେ ତା’ର ବିଶ୍ବକପ୍ ପଦାର୍ପଣ କରିବ। ଚୀନ ଗତଥରର ବିଜେତା ଅଷ୍ଟ୍ରେଲିଆ, ଆୟର୍ଲାଣ୍ଡ ଓ ଇଂଲଣ୍ଡ ସହ ପୁଲ୍-ବିରେ ସ୍ଥାନ ପାଇଛି। ଏହି ଦଳ ୩୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ଫ୍ରାନ୍ସ ୧୯୭୧ ଓ ୧୯୯୦ ପରେ ତୃତୀୟ ଥର ଲାଗି ବିଶ୍ବକପରେ ଦେଖିବାକୁ ମିଳିବ। ୟୁରୋପୀୟ ଶକ୍ତି ଫ୍ରାନ୍ସ ଗତଥର ତୃତୀୟ ସ୍ଥାନରେ ରହିଥିବା ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ସ୍ପେନ୍ ସହ ପୁଲ୍-ଏରେ ସ୍ଥାନ ପାଇଛି। ଫ୍ରାନ୍ସ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ର ପ୍ରଥମ ମ୍ୟାଚ୍ ଖେଳିବ।

ବାରବାଟୀ ଟିକେଟ୍‌ ସଂଖ୍ୟା ବଢ଼ିଲା
ଭୁବନେଶ୍ବର: ହକି ବିଶ୍ବକପ୍‌ ଲଗି କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ହକି ବିଶ୍ବକପ୍‌ ଉତ୍ସବ ଲାଗି ଟିକେଟ୍‌ ସଂଖ୍ୟା ବଢ଼ିଛି। ୨୭‌ ତାରିଖରେ ଭୁବନେଶ୍ବରରେ ବିଶ୍ବକପ୍‌ ହକି ଉଦ୍‌ଘାଟନୀ ଏବଂ ୨୮ ତାରିଖରେ କଟକରେ ବିଶ୍ବକପ୍‌ ଉତ୍ସବ ପାଇଁ ମଙ୍ଗଳବାର ଦିନ ୧୨ଟାରେ କେବଳ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ହେ‌ଲେ‌ ଆରମ୍ଭ ହେଉ ହେଉ ଟିକେଟ୍‌ ସବୁ ସରି ଯାଇଥିଲା। ‌ଫଳରେ ଜନ ସାଧାରଣଙ୍କ ଉତ୍ସାହକୁ ନଜରରେ ରଖି ହକି ଇଣ୍ଡିଆ ବାରବାଟୀ ଟିକେଟ୍‌ ସଂଖ୍ୟାକୁ ବଢ଼ାଇ ଦେଇଛି। ଏଠାରେ ଏଆର୍‌ ରେହମାନଙ୍କ ଗ୍ରୁପ୍‌ ସହ ବଲିଉଡ୍‌ର ନାମିଦାମୀ କଳାକାରମାନେ ପ୍ରଦର୍ଶନ କରିବେ। ପୂର୍ବ ପରି ଟିକେଟ୍‌ ticketgenie.inରେ ମିଳିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର