ଟେଲର ଧମାକା ନ୍ୟୁଜିଲାଣ୍ଡର ଜବରଦସ୍ତ ବିଜୟ, ଶୃଙ୍ଖଳା ୨-୨

ଡୁନେଡିନ: ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର (୧୮୧* ରନ୍‌, ୧୪୭ ବଲ୍‌, ୧୭ ଚୌକା, ୬ ଛକା) ବୁଧବାର ଦିନିକିଆ ଇତିହାସର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳକୁ ଅବିଶ୍ୱସନୀୟ ତଥା ଉତ୍କଣ୍ଠାପୂର୍ଣ୍ଣ ବିଜୟ ଉପହାର ଦେଇଛନ୍ତି। ଟେଲରଙ୍କ ଧମାକାଦାର ବ୍ୟାଟିଂ ପାଇଁ ପ୍ରତିପକ୍ଷ ଇଂଲଣ୍ଡ ଧାର୍ଯ୍ୟ କରିଥିବା ୩୩୬ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ତିନିଟି ବଲ୍‌ ପୂର୍ବରୁ ହାସଲ କରି ନେଇଥିଲା। ଏପରିକି ଟେଲରଙ୍କ ଅପରାଜିତ ପାଳି ଆଗରେ ଇଂଲଣ୍ଡର ଦୁଇ ତାରକା ବ୍ୟାଟ୍ସମ୍ୟାନ୍‌ ଜନି ବେୟାରଷ୍ଟୋ (୧୩୮ ରନ୍‌, ୧୦୬ ବଲ୍‌, ୧୪ ଚୌକା, ୭ ଛକା) ଓ ଜୋ ରୁଟ୍‌ (୧୦୨ ରନ୍‌, ୧୦୧ ବଲ୍‌, ୬ ଚୌକା, ୨ ଛକା) ପୂରା ଫିକା ପଡ଼ି ଯାଇଥିଲା। ଟେଲର ଆଜି ନିଜ ଶତକ ପୂରଣ କରିବାର ଠିକ୍‌ ପରେ ପରେ ଆହତ ହୋଇ ଯାଇଥିଲେ। ତଥାପି ୧୪୭ ବଲ୍‌ରୁ ୧୮୧* ରନର ଚିତ୍ତାକର୍ଷକ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ତାଙ୍କ ପାଇଁ ନ୍ୟୁଜିଲାଣ୍ଡ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୨-୨ରେ ସମାନ ସ୍ତରକୁ ନେଇ ଆସିଥିଲା। ପାଞ୍ଚ ଟିକିଆ ଶୃଙ୍ଖଳାରେ ୨-୧ରେ ଆଗୁଆ ଥିବା ଇଂଲଣ୍ଡ ସବୁ ପ୍ରକାର ଚେଷ୍ଟା କରିବା ପରେ ମଧ୍ୟ ଟେଲରଙ୍କ ଜବରଦସ୍ତ ଆକ୍ରମଣକୁ ପ୍ରତିହତ କରିବାକୁ ସକ୍ଷମ ହୋଇ ନଥିଲା। ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଶୃଙ୍ଖଳା ବିଜୟରୁ ବଞ୍ଚିତ ହୋଇଥିଲା। ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ପରେ ଶନିବାର ଖେଳା ଯିବାକୁ ଥିବା ପଞ୍ଚମ ତଥା ଶେଷ ମୁକାବିଲା ଶୃଙ୍ଖଳା ନିର୍ଣ୍ଣାୟକର ମାନ୍ୟତା ପାଇଛି। ପାଳି ଶେଷ ଆଡ଼କୁ ଟେଲର ଏତେ ହାଲିଆ ହୋଇ ଯାଇଥିଲେ ଯେ ଛୋଟେଇ ଛୋଟେଇ ଚାଲୁଥିଲେ। ଏପରିକି ପଡ଼ିଆ ମଝିରେ ତାଙ୍କର ଏକାଧିକବାର ଚିକିତ୍ସା କରାଯାଇଥିଲା। ଅବଶ୍ୟ ଠିକ୍‌ ସେତିକି ବେଳେ କଲିନ୍‌ ଗ୍ରାଣ୍ଢୋମେ ୧୨ ବଲ୍‌ରୁ ୨୩ ରନ୍‌ ଯୋଡ଼ି ତାଙ୍କ କାମକୁ ସହଜ କରି ଦେଇଥିଲେ। ତେବେ ହେନରି ନିକୋଲାସ୍‌ (୧୩* ରନ୍‌, ୧୨ ବଲ୍‌) ଛକା ମାରି ନ୍ୟୁଜିଲାଣ୍ଡ ବିଜୟରେ ମୁଣ୍ଡି ମାରିଥିଲେ। ଟେଲର ଆଜି ତାଙ୍କ ଖେଳ ଜୀବନର ଊନ୍ନବିଂଶ ଶତକ ଅର୍ଜନ କରିବା ସହ ଦିନିକିଆରେ ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର ଯୁଗଳ ସଫଳତା ଲାଭ କରିଥିଲେ। ୮୪ ରନ୍‌ରେ ଥିଲା ବେଳେ ବେୟାରଷ୍ଟୋ ତାଙ୍କର ଏକ କ୍ୟାଚ୍‌ ହାତଛଡ଼ା କରିବା ଶେଷରେ ଇଂଲଣ୍ଡ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ପାହାଡ଼ ଭଳି ବିଜୟ ଲକ୍ଷ୍ୟ ହୋଇଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ମାତ୍ର ୨ ରନରେ ତା’ର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାର୍ଟିନ ଗପ୍ଟିଲ ଓ କଲିନ ମୁନ୍ରୋଙ୍କୁ ହରାଇଥିଲା। ଉଭୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ଟେଲର ପ୍ରଥମେ ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ (୪୫) ଓ ପରେ ଟମ୍‌ ଲାଥାମ (୭୧ ରନ୍‌, ୬୭ ବଲ୍‌, ୨ ଚୌକା, ୩ ଛକା)ଙ୍କ ସହ ମିଶି ଘରୋଇ ନ୍ୟୁଜିଲାଣ୍ଡ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲେ। ଟେଲରଙ୍କୁ ତାଙ୍କ ସ୍ମରଣୀୟ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏହା ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଇଂଲଣ୍ଡ ଜାସନ ରାଏଙ୍କ ୪୨ ଏବଂ ବେୟାରଷ୍ଟୋ ଓ ରୁଟ୍‌ଙ୍କ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୩୩୫ ରନ୍‌ କରିଥିଲା। ନ୍ୟୁଜିଲାଣ୍ଡ ୪୯.୩ ଓଭରରେ ୫ ଓ୍ଵିକେଟ୍‌ ହରାଇ ୩୩୬ ରନ୍‌ କରିବା ସହ ବିଜୟର ମିଠା ସ୍ୱାଦ ଚାଖିଥିଲା।
ସଂକ୍ଷପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୩୩୫/୯ ( ଜନି ବେୟାରଷ୍ଟୋ ୧୩୮, ଜୋ ରୁଟ୍‌ ୧୦୨, ଜାସନ ରାଏ ୪୨, ଈଶ୍‌ ସୋଢ଼ି ୪/୫୮, କଲିନ୍‌ ମୁନ୍ରୋ ୨/୫୩, ଟ୍ରେଣ୍ଟ ବୋଲ୍ଟ ୨/୫୬)। ନ୍ୟୁଜିଲାଣ୍ଡ ୪୯.୩ ଓଭରରେ ୩୩୯/୫ ( ରସ୍‌ ଟେଲର ୧୮୧*, ଟମ୍‌ ଲାଥାମ ୭୧, କେନ୍‌ ଓ୍ଵିଲିୟମସନ୍‌ ୪୫, ଟମ୍‌ କ୍ୟୁରାନ ୨/୫୭, କ୍ରିସ୍‌ ଓକ୍ସ ୧/୪୨)।

ସମ୍ବନ୍ଧିତ ଖବର