ପ୍ରଶାନ୍ତଙ୍କୁ ମନେ ପକାଇଲେ ସଚିନ

ମୁମ୍ବାଇ: କରୋନାରେ ପ୍ରାଣ ହରାଇଥିବା ଓଡ଼ିଶା ରଣଜୀ ଦଳର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ବିସିସିଆଇ ମ୍ୟାଚ୍ ରେଫରି ପ୍ରଶାନ୍ତ ମହାପାତ୍ରଙ୍କୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବୁଧବାର ଶେଷ ନିଶ୍ବାସ ତ୍ୟାଗ କରିଥିବା ପ୍ରଶାନ୍ତଙ୍କର ମୁମ୍ବାଇ ଓ ସଚିନଙ୍କ ସହ ସହ ସ୍ବତନ୍ତ୍ର ସଂପର୍କ ଥିଲା। ସଚିନଙ୍କ ପିଲାବେଳର ପ୍ରଶିକ୍ଷକ ରମାକାନ୍ତ ଆଚ୍‌ରେକର ମଧ୍ୟ ପ୍ରଶାନ୍ତଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସାଙ୍ଗସାଥୀ ମହଲରେ ମୁନ୍ନା ଭାବେ ପରିଚିତ ପ୍ରଶାନ୍ତଙ୍କୁ ମୁମ୍ବାଇର ଶିବାଜୀ ପାର୍କ‌ ସ୍ଥିତ ନେଟ୍ସରେ ବ୍ୟାଟିଂ କରୁଥିବାର ଦେଖି ଆଚ୍‌ରେକର ତାଙ୍କୁ ନିଜ ଏକାଡେମିରେ ନେଇଥିଲେ। ପ୍ରଶାନ୍ତଙ୍କ ଅକାଳ ବିୟୋଗରେ ପ୍ରତିକ୍ରିୟା ପ୍ରକାଶ କରି ସଚିନ କହିଛନ୍ତି ‘‘ସେ ମୋର ନିକଟତମ ବନ୍ଧୁ ନଥିଲେ। ହେଲେ ମୁଁ ତାଙ୍କୁ ଭଲ ଭାବରେ ଜାଣିଥିଲି।

ହସ ହସ ମୁହଁ ଏବଂ ସରଳ ସ୍ବଭାବ ପାଇଁ ଗୋଟିଏ ଦୁଇଟି ଭେଟରେ ହିଁ ସେ ମୋ ମନରେ ରହିଯାଇଥିଲେ। ଏମିତି ଲୋକଙ୍କ ସହ ମିଶିବା ସବୁବେଳେ ସୁଖଦ ଅନୁଭୂତି ଦେଇଥାଏ। ଆମେ ଯେତେବେଳେ ବି କଟକ କିମ୍ବା ଭୁବନେଶ୍ବର ଯାଉଥିଲୁ, ସେ ସବୁବେଳେ ଆସି ଆମକୁ ଘର ତିଆରି ଖାଦ୍ୟ ପ୍ରଦାନ କରୁଥିଲେ। ପରସ୍ପରକୁ ଅଭିବାଦନ କରିବା ସହ ପରସ୍ପରର ପରିବାର କଥା ବି ଆମେ ସେତେବେଳେ ପଚାରି ବୁଝୁଥିଲୁ’’। ସବୁଠାରୁ ବଡ଼ କଥା ହେଲା ସଚିନଙ୍କ ଘରେ ଥିବା ଗଣେଶ ମୂର୍ତ୍ତିଟିକୁ ବିଶିଷ୍ଟ ସ୍ଥପତି, ପଦ୍ମବିଭୂଷଣ ଓ ପ୍ରଶାନ୍ତଙ୍କ ଦିଂବଗତ ପିତା ରଘୁନାଥ ମହାପାତ୍ର ଗଢ଼ିଥିଲେ। ରଘୁନାଥଙ୍କର ଗତ ୯ ତାରିଖରେ କରୋନାରେ ପରଲୋକ ହେବାର ମାତ୍ର ୧୦ ଦିନ ପରେ ହିଁ ପ୍ରଶାନ୍ତଙ୍କ ପରଲୋକ ହୋଇଯାଇଥିଲା। ଏହି ଯୁଗଳ ଦାରୁଣ ଦୁଃଖରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାରକୁ ଗୁରୁବାର ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। ପ୍ରଶାନ୍ତଙ୍କ ବଡ଼ ଭାଇ ଯଶୋବନ୍ତ ମଧ୍ୟ ଆଜି କରୋନାରେ ଆରପାରିକୁ ଚାଲି ଯାଇଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଶାନ୍ତ ନବେ ଦଶକରେ ଅନିଲ କୁମ୍ବଲେ ଓ ରାହୁଲ ଦ୍ରାବିଡ଼ଙ୍କ ଭଳି ମହାନ ଖେଳାଳିଙ୍କ ବିପକ୍ଷରେ ୧୯ ବର୍ଷରୁ କମ୍ କ୍ରିକେଟ୍ ଖେଳିଥିଲେ।

ସମ୍ବନ୍ଧିତ ଖବର