ଥାଇଲାଣ୍ଡ୍‌ ଓପନ୍‌ ମୁଷ୍ଟିଯୁଦ୍ଧ : ଭାରତର ୬ ପଦକ ପକ୍କା

ନୂଆଦିଲ୍ଲୀ: ଚଳିତ ଥାଇଲାଣ୍ଡ୍‌ ଓପନ୍‌ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତର ୬ ପଦକ ପକ୍କା ହୋଇଛି। ବୁଧବାର କ୍ବାର୍ଟର ଫାଇନାଲ୍‌ରେ ୬ ଭାରତୀୟ କନିଷ୍ଠ ବିଶ୍ବ ବିଜେତା ନିଖତ୍‌ ଜାରିନ୍‌ (୫୧ କେଜି), ଏସୀୟ ରୌପ୍ୟ ବିଜେତା ଦୀପକ ସିଂହ (୪୯ କେଜି), ଆଶିଷ (୬୯ କେଜି), ମଞ୍ଜୁ ରାଣୀ (୪୮ କେଜି), ବ୍ରିଜେଶ୍‌ ଯାଦବ (୮୧ କେଜି) ଓ ରାଜ୍ୟ‌ଗୋ‌ଷ୍ଠୀ କାଂସ୍ୟ ବିଜେତା ମହମ୍ମଦ ହୁସାମ୍ମୁଦ୍ଦିନ୍‌ ନିଜ ନିଜ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ ସହ ପଦକ ନିଶ୍ଚିତ କରିଛନ୍ତି। ଜାରିନ୍‌ ୫-୦ରେ ଉଜବେକିସ୍ତାନର ସିତୋରା ଶୋଗଦାରୋଭାଙ୍କୁ ହରାଇଥିଲା ବେଳେ ଦୀପକଙ୍କ ପ୍ରତିଦ୍ବନ୍ଦ୍ବୀ ମାତ୍ର ୨ ମିନିଟ୍‌ରେ ବାଉଟ୍‌ ଛାଡ଼ି ଚାଲି ଯାଇଥିଲେ। ଆଶିଷ ୫-୦ରେ ଜାମାଇକାର ଜୋସୁଆ ଫ୍ରାଜରଙ୍କୁ, ହୁସାମ୍ମୁଦ୍ଦିନ୍‌ ୫-୦ରେ କୋରିଆର ଲି ୟିଚାନ୍‌ଙ୍କୁ, ବ୍ରିଜେଶ୍‌ ୪-୧ରେ ଥାଇଲାଣ୍ଡର ଜାକ୍କା ‌ପୋଙ୍ଗ ୟୋମଖୋତଙ୍କୁ ଏବଂ ମଞ୍ଜୁ ଇଟାଲିର ରୋବର୍ତା ବୋନାଟିଙ୍କୁ ପରାସ୍ତ କରିଥିଲେ। ତେବେ ଏସୀୟ ରୌପ୍ୟ ବିଜୟିନୀ ମନୀଷା ମାଉଁ (୫୭ କେଜି) ରୁଷିଆର ଲୁଇଡମିଲା ଭୋରୋଣ୍ଟତ୍ ସୋବାଙ୍କଠୁ ହାରି ଖାଲି ହାତରେ ବିଦାୟ ନେଇଛନ୍ତି।

ସମ୍ବନ୍ଧିତ ଖବର