କ୍ରିକେଟର୍‌ଙ୍କ ଡାକ ନାମର ଯଥାର୍ଥତା

ସଚିନ ତେନ୍ଦୁଲକର: ଲିଟିଲ୍‌ ମାଷ୍ଟର/ମାଷ୍ଟର ବ୍ଲାଷ୍ଟର

କ୍ରିକେଟ୍‌ରେ ବଡ଼ ବଡ଼ ତାରକା ନିଜର ପ୍ରକୃତ ନାମଠୁ ବେଶୀ ଡାକ ନାଁରେ ପରିଚିତ। ଏହି ନାଁ ପିଲାବେଳୁ ନଥିଲା। ଖେଳିଲା ପରେ ସେମ‌ାନଙ୍କ ପ୍ରଦର୍ଶନ ଅନୁଯାୟୀ ନିଜର ନୂଆ ଡାକ ନାମ ଅର୍ଜନ କରିଥିଲେ। କିଛି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ଡାକ ନାମ କିଭଳି ହୋଇଥିଲା ତା’ଉପରେ ନଜର ପକାଇବା।

ରାହୁଲ ଦ୍ରାବିଡ଼: ଦ ୱାଲ୍‌
ରାହୁଲ ଦ୍ରାବିଡ଼ ‘ଦ ୱାଲ୍‌’ କିମ୍ବା ‘ଦ ଗ୍ରେଟ୍‌ ୱ‌ାଲ୍‌ ଅଫ୍‌ ଇଣ୍ଡିଆ’ ଡାକ ନାଁରେ ପରିଚିତ ହେବାର କାରଣ କାହାକୁ ଅଛପା ନଥିବ। ଟେଷ୍ଟ୍‌ ଜୀବନ ଆରମ୍ଭର ପ୍ରଥମ ୬ ବର୍ଷ ମଧ୍ୟରେ ଦ୍ରାବିଡ଼ ଏହି ନାଁ ପାଇଁ ନିଜକୁ ପ୍ରତିଷ୍ଠା କରିଥିଲେ। ୱିକେଟ୍‌ରେ ସେ ଏଭଳି ବ୍ୟାଟିଂ କରନ୍ତି ଯେ ତାଙ୍କୁ ଆଉଟ୍‌ କରିବାକୁ ବୋଲର୍‌ ନୟାନ୍ତ ହୋଇଯାଇଥା’ନ୍ତି। ୱିକେଟ୍‌ ସମ୍ମୁଖରେ ସେ କାନ୍ଥ ହୋଇଯାଇଥାନ୍ତି। ରାଉଲପିଣ୍ଡିରେ ପାକିସ୍ତାନ ବିପକ୍ଷରେ ସେ କରିଥିବା ୨୭୦ ରନ୍‌ ଏ ପର୍ଯ୍ୟନ୍ତ ସବୁଠୁ ଦୀର୍ଘତମ ପାଳି ଭାବେ ରହିଛି। ଏହି ମାରାଥନ୍‌ ପାଳି ପାଇଁ ସେ ‘ଦ ୱାଲ୍‌’ ନାମରେ ପରିଚିତ। ସଂପ୍ରତି ସେ କ୍ରିକେଟ୍‌ରୁ ଅବସର ନେଇ ସାରିଲେଣି। ହେଲେ ଏବେ ଗଣମାଧ୍ୟମ ଗୁଡ଼ିକ ତାଙ୍କ ପ୍ରକୃତ ନାମ ସ୍ଥାନରେ ଏହି ଶବ୍ଦ ବ୍ୟବହାର କରୁଛନ୍ତି।

ସୌରଭ ଗାଙ୍ଗୁଲି: ଦାଦା
ମ୍ୟାଚ୍‌ ଫିକ୍ସିଂ ମାମଲା ଯୋଗୁଁ ମହମ୍ମଦ ଆଝାରୁଦ୍ଦିନ୍‌ ଭାରତୀୟ ଦଳର ଅଧିନାୟକ ପଦରୁ ବିଦା ହେବା ପରେ ସୌରଭ ଗାଙ୍ଗୁଲି ଦାୟିତ୍ବ ନେଇଥିଲେ। ଗାଙ୍ଗୁଲି କେବଳ ଆତ୍ମବିଶ୍ବାସୀ ନଥିଲେ, ବରଂ ଦଳର ସମସ୍ତ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ାଉଥିଲେ। ସମସ୍ତଙ୍କୁ ପ୍ରତିଦ୍ବନ୍ଦ୍ବିତା ମନୋଭାବ ରଖିବାକୁ ସାହାସ ଦେଉଥିଲେ। ତାଙ୍କର ଏହି ବଡ଼ ଭାଇ ପଣିଆ ଗୁଣ ପାଇଁ ସେ ପଶ୍ଚିମବଙ୍ଗରେ ଜନ୍ମ ହୋଇଥିବାରୁ ତେଣୁ ସେଠାକାର ଭାଷା ବଙ୍ଗାଳୀ ଅନୁଯାୟୀ ‘ଦାଦା’ ନାଁରେ ପରିଚିତ ହୋଇଥିଲେ। ଏଥିସହ ସେ ରାଜ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କୁ ‘ପ୍ରିନ୍‌ସ ଅଫ୍‌ କୋଲ୍‌କାତା’ ଭାବେ କିଛି ଡାକିଥା’ନ୍ତି।

ସଚିନ ତେନ୍ଦୁଲକର: ଲିଟିଲ୍‌ ମାଷ୍ଟର/ମାଷ୍ଟର ବ୍ଲାଷ୍ଟର
‘କ୍ରିକେଟ୍‌ର ଭଗବାନ’ ପରେ ଭାରତର କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ଉଭୟ ଲିଟିଲ ମାଷ୍ଟର ଓ ମାଷ୍ଟର ବ୍ଲାଷ୍ଟର ଭାବେ ପରିଚିତ। ଭାରତରେ କ୍ରିକେଟ୍‌ ଏକ ଧର୍ମ ଏବଂ ସଚିନ ଦେଶବାସୀଙ୍କ ଭଗବାନ। ଏଥିଲାଗି ସେ ଦେଶବାସୀଙ୍କ ନିକଟରେ ‘କ୍ରିକେଟ୍‌ର ଭଗବାନ’। ଉଚ୍ଚତା କମ୍‌ ଥିବାରୁ ସଚିନଙ୍କ ଡାକ ନାଁ ଲିଟିଲ ମାଷ୍ଟର ହୋଇଥିଲା। ତାଙ୍କ ପୂର୍ବରୁ ଏହି ସମାନ କାରଣ ପାଇଁ ପ୍ରଥମେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ ହନିଫ ମହମ୍ମଦ ଲିଟଲ ମାଷ୍ଟର ଭାବେ ପରିଚିତ ଥିଲେ। ହନିଫଙ୍କ ପରେ ଭାରତୀୟ ବ୍ୟ‌ାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର ଏହି ଡାକ ନାଁରେ ପରିଚିତ ହୋଇଥିଲେ। ସଚିନଙ୍କ ଅନ୍ୟ ଏକ ନାଁ ‘ମାଷ୍ଟର ବ୍ଲାଷ୍ଟର’ ଯାହା ଲିଟିଲ ମାଷ୍ଟରରୁ ଆସିଥିଲା।

ଅନୀଲ କୁମ୍ବଲେ: ଜୁମ୍ବୋ
ପୂର୍ବତନ ଭାରତୀୟ ‌ଲେଗ୍‌ ସ୍ପିନର ଅନୀଲ କୁମ୍ବଲେଙ୍କ ଡାକ ନାଁ ଜୁମ୍ବୋ। ଏହି ନାମ ତାଙ୍କର ପିଲା ବେଳୁ ନଥିଲା। ଏହାର ଅର୍ଥ ବି ହାତୀ ନୁହେଁ। ନଭଜୋତ ସିଂହ ସିଦ୍ଧୁ ହିଁ ତାଙ୍କୁ ଏହି ନାଁ ଦେଇଥିଲେ ବୋଲି କୁମ୍ବଲେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ଇରାନୀ ଟ୍ରଫି‌ର ଏକ ମ୍ୟାଚ୍‌ରେ ‌କୁମ୍ବଲେ‌ ବୋଲିଂ କଲା ବେଳେ ମିଡ୍‌-ଅନ୍‌ରେ ଥିବା ସିଦ୍ଧୁ ‘ଜୁମ୍ବୋ ଜେଟ୍‌’ ଚିତ୍କାର କରିଥିଲେ। ଜଣେ ସ୍ପିନର୍‌ ଭାବେ କୁମ୍ବଲେଙ୍କ ବଲ୍‌ ବହୁତ ଦ୍ରୁତ ଗତିର ଥିଲା ଏବଂ ଘୁରିଥିଲା ମଧ୍ୟ। ଯାହା ‘ଜୁମ୍ବୋ ଜେଟ୍‌’ ଭଳି ଥିଲା। ଏଥିପାଇଁ ତାଙ୍କ ନାମ ଜୁମ୍ବୋ ହୋଇଥିଲା।

ରିକି ପଣ୍ଟିଂ: ପୁଣ୍ଟର
ଆଜି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ସମସ୍ତ ପୂର୍ବତନ ଓ ଏବର କ୍ରିକେଟର୍‌ ରିକି ପଣ୍ଟିଂଙ୍କୁ ‘ପୁଣ୍ଟର’ ନାମରେ ଡାକିଥା’ନ୍ତି। ହେଲେ କାହିଁକି? କ୍ରିକେଟ୍‌ ବ୍ୟତୀତ ପଣ୍ଟିଂ ଘୋଡ଼ା ଦୌଡ଼ ଏବଂ କୁକୁର ଦୌଡ଼ରେ ବାଜି ଲଗାଇଥା’ନ୍ତି। କୁକୁର ଦୌଡ଼ରେ ସେ ବଡ଼ କ୍ଷତି ସହିଥିଲେ। ଏହି କାରଣରୁ କିଂବଦନ୍ତି ସେନ୍‌ ୱର୍ନ ତାଙ୍କ ଡାକ ନାଁ ‘ପୁଣ୍ଟର୍’ ଦେବାକୁ ନିଷ୍ପତ୍ତି ନେଇଥିଲେ।

ସାହିଦ ଆଫ୍ରିଦି: ବୁମ୍‌ ବୁମ୍‌
ପାକିସ୍ତାନର ଏହି ପୂର୍ବତନ ତାରକା ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଭାବେ ପରିଚିତ। ତାଙ୍କ ବ୍ୟାଟ୍‌ରୁ ଛକା ଓ ଚୌକାର ବର୍ଷା ହୁଏ ନହେଲେ ଆଉଟ୍‌। ୧୬ ବର୍ଷ ବୟସରେ ସେ ଦିନିକିଆରେ ଦ୍ରୁତତମ ଶତକ (୩୭ ବଲ୍‌ ୧୦୦ ରନ୍‌) କରିଥିଲେ। ଏହି କୀର୍ତ୍ତିମାନ ପ୍ରାୟ ୧୮ ବର୍ଷ (୨୦୧୪ ପର୍ଯ୍ୟନ୍ତ) ରହିଥିଲା। ଧୁଆଁଧାର ବ୍ୟାଟିଂ ପାଇଁ ତାଙ୍କ ଡାକ ନାମ ବୁମ୍‌ ବୁମ୍‌ ହୋଇଥିଲା। ଯାହାର ଅର୍ଥ ବଲ୍‌କୁ ପଡ଼ିଆ ବାହରକୁ ପଠାଇବାର କ୍ଷମତା।

ସମ୍ବନ୍ଧିତ ଖବର