କୋଭିଡ୍‌-୧୯ ପରେ ଖେଳ ଆୟୋଜନରେ ଓଡ଼ିଶା ହେବ ପ୍ରଥମ ରାଜ୍ୟ, କ୍ୟାପିଟାଲ୍ ସ୍ପୋର୍ଟ୍ସ କ୍ଲବ୍‌ର ପ୍ରୟାସ

ଭୁବନେଶ୍ବର: କୋଭିଡ୍‌-୧୯ ପାଇଁ ସାରା ଭାରତରେ ଖେଳ ଆୟୋଜନ ବନ୍ଦ ରହିଛି। ଏଥିପାଇଁ ଓଡ଼଼ିଶାରେ ସର୍ବପ୍ରଥମେ ଖେଳ ଗତିବିଧି ଆରମ୍ଭ କରିବା ପାଇଁ ଭୁବନେଶ୍ବରର କ୍ୟାପିଟାଲ୍ ସ୍ପୋର୍ଟ୍ସ କ୍ଲବ୍‌ ତରଫରୁ ଓଟିପି (ଓଡ଼ିଶା ଟି-୧୦ ପ୍ରିମିୟର୍ ଲିଗ୍‌)ର ଘୋଷଣା କରାଯାଇଛି। ଏହି ବିଷୟରେ ସୂଚନା ଦେଇ କ୍ଲବ୍‌ର ମୁଖ୍ୟ ଆୟୋଜକ ବିଷ୍ଣୁ ପ୍ରସାଦ ଶତପଥୀ କହିଛନ୍ତି ଯେ କରୋନା ସହ ଆମକୁ ବଞ୍ଚିବା ଶିଖିବାକୁ ହେବ ଓ ଦୃଢ଼ ସଂକଳ୍ପ ସହ ଆଗକୁ ବଢ଼ିବାକୁ ବି ହେବ।

ସରକାରଙ୍କ ସଂପୂର୍ଣ୍ଣ ଅନୁଦେଶକୁ ମାନି କେବଳ ଖେଳାଳି ଓ ଆୟୋଜକଙ୍କୁ ହିଁ ଖେଳ ପରିସର ଭିତରକୁ ଅନୁମତି ଦିଆଯିବ। ଦର୍ଶକ ରହିବେ ନାହିଁ। ସମସ୍ତେ ମାସ୍କ ବ୍ୟବହାର କରିବେ। ଖେଳ ପରିସର ଭିତରେ ଓ ବାହାରେ ସାନିଟାଇଜର୍ ଷ୍ଟେସନ୍ ରହିବ। ଆଉ ନିୟମିତ ତାପମାତ୍ରା ପରୀକ୍ଷା କରାଯିବ। କୋଭିଡ ପରୀକ୍ଷା ସମସ୍ତ ଖେଳାଳିଙ୍କ ପାଇଁ ବାଧ୍ୟତାମୂଳକ ହେବ। ଏବେକାର ପରିସ୍ଥିତିରେ ଖେଳାଳି କେବଳ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍ କରିବେ ଓ ପର୍ଯ୍ୟାୟକ୍ରମେ ସରକାରଙ୍କ ଦିର୍ଦ୍ଦେଶାବଳୀକୁ ମାନି ୬ଟି ଦଳ ପାଇଁ ୧୨୦ ଖେଳାଳି ଚୟନ କରାଯିବ। ଏହି ପୂର୍ବ ପ୍ରସ୍ତୁତି ସରିଲା ପରେ ଯେତେବେଳେ ପରିସ୍ଥିତି ସୁଧୁରିବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାର ଖେଳ ଆୟୋଜନ ପାଇଁ ଅନୁମତି ଦେବାମାତ୍ରେ ଓଟିପି ଲିଗ୍‌ ସହ ଖେଳ ଗତିବିଧି ଆରମ୍ଭ କରିବାରେ ଓଡ଼ିଶାକୁ ପ୍ରଥମ ରାଜ୍ୟ ଭାବେ ପରିଗଣିତ କରିବାର ଲକ୍ଷ୍ୟ ରହିଛି।

ଏହି ଲିଗ୍‌ରେ ଭାଗ ନେବାକୁ ଥିବା ଇଚ୍ଛୁକ ଖେଳାଳିମାନେ https://forms.gle/pxe5BSyS7zyjspZK9 ଏହି ଲିଙ୍କ୍‌ କିମ୍ବା କ୍ୟାପିଟାଲ୍‌ ସ୍ପୋର୍ଟସ କ୍ଲବ୍‌ର ଫେସ୍‌ବୁକ୍‌ ପୃ‌ଷ୍ଠା ମାଧ୍ୟମରେ ଜୁନ୍‌ ୧୫ ତାରିଖ ମଧ୍ୟରେ ନାମ ପଞ୍ଜୀକରଣ କରିପାରିବେ। ମୋଟ ୬ ଦଳ ଏହି ଲିଗ୍‌ରେ ଭାଗ ନେବାକୁ ଥିଲା ବେଳେ ଖେଳାଳିମାନେ ଯେକୌଣସି ଗୋଟିଏ ଦଳ ତରଫରୁ ଖେଳିବା ପାଇଁ ଉଲ୍ଲେଖ କରିପାରିବେ। ମ୍ୟାଚ୍‌ଗୁଡ଼ିକ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ପାଖ ସ୍ପୋର୍ଟ୍ସ ପରିସରରେ ଆୟୋଜନ କରାଯିବ। ଶ୍ରେଷ୍ଠ ଖେଳାଳିଙ୍କ ଭିଡ଼ିଓ ଫୁଟେଜ୍ ଓଡ଼ିଶା କ୍ରିକେଟ୍ ସଂଘକୁ ପ୍ରଦାନ କରାଯିବ। ମ୍ୟାଚ୍‌ଗୁଡ଼ିକର ଅନ୍‌ଲାଇନ୍‌ରେ ଲାଇଭ୍ ଷ୍ଟ୍ରିମିଙ୍ଗ କରିବା ପାଇଁ ପ୍ରୟାସ ଜାରି ରହିଥିବା ବିଷ୍ଣୁ ଶତପଥୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର