ପ୍ୟାରିସ୍‌ ପହଞ୍ଚିଲା ଅଲିମ୍ପିକ୍ସ ପତାକା

ପ୍ୟାରିସ୍‌: ଆଗାମୀ ୨୦୨୪ ଅଲିମ୍ପିକ୍ସକୁ ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ ଆୟୋଜନ କରିବ। ଏହା ପୂର୍ବରୁ ରବିବାର ଉଦ୍‌ଯାପିତ ହୋଇଥିବା ଟୋକିଓ୨୦୨୦ ଅଲିମ୍ପିକ୍ସରୁ ସୋମବାର ଅଲିମ୍ପିକ୍‌ ପତାକା ପ୍ୟାରିସ୍‌ରେ ପହଞ୍ଚିଛି। ପ୍ୟାରିସ୍‌ ମେୟର ଆନେ ହିଦାଲ୍‌ଗୋ ସ୍ବଦେଶ ପ୍ରତ୍ୟାବର୍ତନ ପରେ ଏବଂ ଚାର୍ଲସ ଡି ଗୌଲେ ବିମାନବନ୍ଦରରେ ବିମାନରୁ ଓହ୍ଲାଇବା ସମୟରେ ଅଲିମ୍ପିକ୍‌ ପତାକା ଉଡାଇଥିଲେ। ଏହି ସମୟରେ ଫ୍ରାନ୍‌ସର ସଂଖ୍ୟାଧିକ ଅଲିମ୍ପିକ୍‌ ପଦକ ବିଜେତାଙ୍କ ଗହଣରେ ପତାକା ଉଡ଼ାଇବା ତାଙ୍କ ପାଇଁ ଭାବବିହ୍ବଳ ମୁହୁର୍ତ୍ତ ଥିଲା ବେଳେ ହିଦାଲ୍‌ଗୋ କହିଥିଲେ। ହିଦାଲ୍‌ଗୋ ହିଁ ଆନୁଷ୍ଠାନିକ ଭାବେ ରବିବାର ‌ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପନୀ ସମାରୋହ ଅବସରରେ ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ସଭାପତି ଥୋମାସ ବାକ୍‌ଙ୍କଠାରୁ ଏହି ପତାକା ଗ୍ରହଣ କରିଥିଲେ।

ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି ମଧ୍ୟ ଆମ ଦେଶ ପାଇଁ ସକାରାତ୍ମକ ଆଭିମୁଖ୍ୟ ରଖିଥିବା ହିଦାଲ୍‌ଗୋ କହିଥିଲେ। ହିଦାଲ୍‌ଗୋ ମଧ୍ୟ କହିଥିଲେ, କାରୋନା ମହାମାରୀ ଭଳି ବହୁ କଷ୍ଟକର ପରିବେଶ ଓ ପରିସ୍ଥିତି ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ହୋଇଥିଲା। ଫ୍ରାନ୍‌ସ ଆୟୋ‌ଜକମାନେ ଏବେ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ କିପରି ପ୍ରସ୍ତୁତି କରିବାକୁ ହେବ ସେନେଇ ଜାପାନ ଆୟୋଜକଙ୍କ ସହ ସଂପର୍କରେ ରହିବେ ବୋଲି ହିଦାଲ୍‌ଗୋ କହିଥିଲେ। ସୋମବାର ଦେଶରେ ପହଞ୍ଚିଥିବା ଅଲିମ୍ପିକ୍‌ ପତାକା ପ୍ୟାରିସ୍‌ ସିଟି ହଲ୍‌ରେ ଉତ୍ତୋଳନ କରାଯାଇଛି। ଏହାପରେ ଇଫେଲ ଟାୱାର ନିକଟସ୍ଥ ‌ଟ୍ରୋକାଡେରୋ ସ୍କୋୟାରରେ ଉତ୍ସବ ପାଳନ କରାଯିବ। ଏହାଫଳରେ ଜନସାଧାରଣ ନିଜ ଦେଶରେ ଫ୍ରାନସ ପଦକଧାରୀଙ୍କୁ ସ୍ବାଗତ ଜଣାଇବାର ସୁଯୋଗ ପାଇବେ ବୋଲି ହିଦାଲ୍‌ଗୋ କହିଛନ୍ତି।

ସମ୍ବନ୍ଧିତ ଖବର