ଜଟିଳ ହେବାରେ ଲାଗିଛି ଟେଷ୍ଟ୍ ଅଧିନାୟକ ଚୟନ: ଯେତେ ବିଳମ୍ବ ହେଉଛି, ଆଶାୟୀଙ୍କ ସଂଖ୍ୟା ସେତେ ବଢ଼ୁଛି

ରୋହିତଙ୍କ ସପକ୍ଷରେ ଆଝାରୁଦ୍ଦିନ, ଦୁଇଟି ବିକଳ୍ପ ବାଛିଲେ ଭେଙ୍ଗସରକାର

ମୁମ୍ବାଇ: ବିରାଟ କୋହଲିଙ୍କ ଇସ୍ତଫା ପରେ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି। ପ୍ରତ୍ୟେକ ଭାରତୀୟଙ୍କ ନଜର ଏବେ ଏହି ପ୍ରସଙ୍ଗ ଉପରେ ରହିଛି। ଏଥିନେଇ ବିସିସିଆଇର ରହସ୍ୟଜନକ ନିରବତା ପରିସ୍ଥିତିକୁ ଦିନକୁ ଦିନ ଜଟିଳ କରୁଛି। କୋହଲିଙ୍କ ଉତ୍ତରାଧିକାରୀ ବାଛିବା ନିଷ୍ପତ୍ତି ଯେ‌ତେ ବିଳମ୍ବିତ ହେଉଛି, ଦାବିଦାରଙ୍କ ସଂଖ୍ୟା ବି ସେତେ ବଢ଼ିବାରେ ଲାଗିଛି। ଦଳର ଏକାଧିକ ଖେଳାଳି ଟେଷ୍ଟ୍ ଅଧିନାୟକ ହେବାକୁ ଆଗ୍ରହୀ ଥିବା ଖୋଲାଖୋଲି ଭାବେ କହିଛନ୍ତି। ଏପରିକି ମାତ୍ର ୨୭ ଟେଷ୍ଟ୍ ଖେଳିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଟେଷ୍ଟ୍ ଅଧିନାୟକ ହେବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସେହିଭଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବାର ଦିନକ ପୂର୍ବରୁ କେଏଲ୍ ରାହୁଲ ତାଙ୍କୁ ପୂର୍ଣ୍ଣକାଳୀନ ଅଧିନାୟକ କରାଗଲେ ଖୁସି ହେବେ ବୋଲି ମତ ଦେଇ ମାମଲାକୁ ଆହୁରି ଗୋଳମାଳିଆ କରିଦେଇଛନ୍ତି। ଏହି ପ୍ରସଙ୍ଗରେ ପୂର୍ବତନ କ୍ରିକେଟର୍‌ମାନେ ମଧ୍ୟ ପ୍ରତିଦିନ ନିଜ ନିଜର ବିଶେଷଜ୍ଞ ମନ୍ତବ୍ୟ ଦେବା ଆରମ୍ଭ କରି ଦେଇଛନ୍ତି। କିଛି ରୋହିତ ଶର୍ମାଙ୍କୁ ସମର୍ଥନ କରୁଥିଲା ବେଳେ ଆଉ କିଛି ରାହୁଲଙ୍କ ଉପରେ ସୁନା କଳସ ଢାଳିବାକୁ ଦାବି କରୁଛନ୍ତି। କିଂବଦନ୍ତି ସୁନିଲ ଗାଭାସ୍କର ଋଷଭ ପନ୍ତଙ୍କୁ ଭାରତୀୟ ଟେଷ୍ଟ୍ ଦଳର ପରବର୍ତ୍ତୀ ଅଧିନାୟକ କରିବାକୁ ପରାମର୍ଶ ଦେଇଛନ୍ତି। ସେପଟେ କୋହଲି ଅଚାନକ ଇସ୍ତଫା ଦେବାର ସମ୍ଭାବ୍ୟ କାରଣକୁ ନେଇ ପୂର୍ବତନ ଭାରତୀୟ ୱିକେଟ୍ ରକ୍ଷକ ସବା କରିମ ଏକ ନୂଆ ଓ ଅନାଲୋଚିତ ଦିଗ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।

ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ତୁରନ୍ତ ଟେଷ୍ଟ୍ ଅଧିନାୟକଙ୍କ ନାଁ ଘୋଷଣା କରି ଖେଳାଳିଙ୍କ ସହ ସାଧାରଣ କ୍ରିକେଟ୍‌ପ୍ରେମୀଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂର କରିବାକୁ ବିସିସିଆଇକୁ ଆହ୍ବାନ କରିଛନ୍ତି। ଏହି କ୍ରମରେ ସେ ରୋହିତ ଶର୍ମାଙ୍କ ନାଁ’ର ସୁପାରିସ କରିଛନ୍ତି। ବିସିସିଆଇକୁ ପ୍ରଶ୍ନ କରିବାକୁ ଯାଇ ଆଝାର କହିଛନ୍ତି ଯେ ସେ (ରୋହିତ ଶର୍ମା) ଯଦି ସମସ୍ତ ଫର୍ମାଟ୍‌ରେ ତୁମର ଏକନମ୍ବର ଖେଳାଳି? ତାହେଲେ ଘୋଷଣା କରିବାରେ ଅସୁବିଧା‌ ରହୁଛି କେଉଁଠି? ଯେଉଁ ଖେଳାଳି ୫-୬ ବର୍ଷ ପର୍ଯ୍ୟନ୍ତ ଦଳର ନେତୃତ୍ବ ନେଇପାରିବ, ଚୟନକର୍ତ୍ତା ତାଙ୍କୁ ହିଁ ଅଧିନାୟକ କରିବା ଉପରେ ଜୋର ଦେଇଛନ୍ତି ଆଝାର। ପୂର୍ବତନ ଅଧିନାୟକ ତଥା ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର କୋହଲିଙ୍କ ଉତ୍ତରାଧିକାରୀ ଲାଗି ଦୁଇଟି ବିକଳ୍ପ ବାଛିଛନ୍ତି। ମଧ୍ୟବର୍ତ୍ତୀକାଳୀନ ବ୍ୟବସ୍ଥା ଲାଗି ରୋହିତ ଶର୍ମା କିମ୍ବା ଆର ଅଶ୍ବିନଙ୍କ ମଧ୍ୟରୁ ଜଣକୁ ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ କରିବା ବିଜ୍ଞତାର ପରିଚୟ ହେବ ବୋଲି କହିଛନ୍ତି ସେ।

‘‘ମଜାକଥା ହେଲା, ରାହୁଲ ଦ୍ରାବିଡ଼ ଯେତେବେଳେ ଟେଷ୍ଟ୍ ଅଧିନାୟକ ପଦରୁ ଇସ୍ତଫା ଦେଲେ, ସେତେବେଳେ ମୋ ଅଧ୍ୟକ୍ଷତା ବିଶିଷ୍ଟ ଚୟନ ସମିତି ଏହିଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଆଗକୁ ଗୁରୁତ୍ବପୂର୍ଣ୍ଣ ଅଷ୍ଟ୍ରେଲିଆ ଗସ୍ତ ବି ଥିଲା। ସୀମିତ ଓଭର ଅଧିନାୟକ ଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଟେଷ୍ଟ୍ ଅଧିନାୟକ କରିବାକୁ କିଛି ଲୋକ ପରାମର୍ଶ ଦେଇଥିଲେ। ହେଲେ ଆମେ ବରିଷ୍ଠତା ଦୃଷ୍ଟିରୁ ଅନିଲ କୁମ୍ବଲେଙ୍କୁ ଅଧିନାୟକ କରିଥିଲୁା ତାଙ୍କ ନେତୃତ୍ବରେ ମଧ୍ୟ ଦଳ ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ କରିଥିଲା।’’ ବୋଲି କହିଛନ୍ତି ଭେଙ୍ଗସରକାର। ତେବେ କୋହଲିଙ୍କ ବିକଳ୍ପ ପ୍ରସ୍ତୁତ କରିନଥିବାରୁ ଚୟନକର୍ତ୍ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସେ। ‘‘ଚୟନକର୍ତ୍ତାଙ୍କ ଦୂରଦୃଷ୍ଟିହୀନତା ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସେମାନେ ବହୁ ପୂର୍ବରୁ କୋହଲିଙ୍କ ଉତ୍ତରାଧିକାରୀ ବାଛିନେବା ଉଚିତ ଥିଲା। ଆମେ ଯେମିତି ଧୋନିଙ୍କୁ ଗଢ଼ିଥିଲୁ। ଗତବର୍ଷର ଶ୍ରୀଲଙ୍କା ଗସ୍ତରେ ଶିଖର ଧାୱନ କାହିଁକି ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ? ସେକଥା ମୁଁ ଆଦୌ ବୁଝିପାରୁନିା’’ ବୋଲି ‌‌କ୍ଷୋଭର ସହ ମତ ପ୍ରକାଶ କରିଥିଲେ ଭେଙ୍ଗସରକାର। କୋହଲି ଇସ୍ତଫା ଦେବାର ସମ୍ଭାବ୍ୟ କାରଣକୁ ତର୍ଜମା କରିବାକୁ ଯାଇ ସବା କରିମ କହିଛନ୍ତି ଯେ ‌କୋହଲି ଇସ୍ତଫା ଦେବାର ସଠିକ୍ କାରଣ ଆକଳନ କରିବା ସହଜ ନୁହେଁ। ଗତ ଚାରି ପାଞ୍ଚ ମାସ ହେବ କିନ୍ତୁ ତାଙ୍କ ଉପରେ ଚାପ ବଢ଼ି ବଢ଼ି ଚାଲିଥିଲା। ସେଥିପାଇଁ ସେ ହୁଏତ ଅଣନିଶ୍ବାସୀ ହୋଇଯାଇଥିଲେ। ଫଳରେ ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିଦେବାକୁ ଶେଷରେ ବାଧ୍ୟହୋଇ ନିଷ୍ପତ୍ତି ନେଲେ।

ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ କେଏଲ୍ ରାହୁଲ କହିଛନ୍ତି ଯେ ପୂର୍ଣ୍ଣକାଳୀନ ଟେଷ୍ଟ୍ ଅଧିନାୟକ ହେବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ ହେବ। ‌ଜୋହାନେସବର୍ଗରେ ମୁଁ ଭାରତୀୟ ଦଳର ନେତୃତ୍ବ ନେଇଥିଲି। ତେବେ ପୂର୍ଣ୍ଣକାଳୀନ ଅଧିନାୟକ ପଦ ନୂଆ ଦାୟିତ୍ବ ନେଇ ଆସିବ। ଏଥିପାଇଁ ମୁଁ କିନ୍ତୁ ପୂର୍ଣ୍ଣ ପ୍ରସ୍ତୁତ ରହିଛି। କିଂବଦନ୍ତି ଗାଭାସ୍କର ପୁଣି ଥରେ କେପଟାଉନ୍ ଟେଷ୍ଟ୍‌ରେ କୋହଲିଙ୍କ ଷ୍ଟମ୍ପ ମାଇକ୍ରୋଫୋନ୍ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି। ଯଦି କୌଣସି ବିଦେଶୀ ଅଧିନାୟକ ଏଭଳି କାର୍ଯ୍ୟ କରିଥା’ନ୍ତେ, ତାହେଲେ କଣ ଆମେ ତାଙ୍କୁ ସମର୍ଥନ କରିଥା’ନ୍ତେ? ସେଭଳି ସ୍ଥିତିରେ ଆମକୁ କେମିତି ଲାଗିଥା’ନ୍ତା ବୋଲି କହିଛନ୍ତି ସେ।

ସମ୍ବନ୍ଧିତ ଖବର