ବୋଲରଙ୍କ ବଳରେ ଶୁଭାରମ୍ଭ, ଅଷ୍ଟ୍ରେଲିଆ ୧୯୫ରେ ସୀମିତ, ଭାରତ ୩୬/୧

ଅଧୈର୍ଯ୍ୟ ନହୋଇ ଆତ୍ମବିଶ୍ବାସର ସହ ବ୍ୟାଟିଂ କରିବୁ: ବୁମ୍‌ରା

ମେଲ୍‌ବର୍ନ: ଶନିବାରଠାରୁ ଆରମ୍ଭ ‌ହୋଇଥିବା ବକ୍ସିଂ ଡେ’ ଟେଷ୍ଟ୍‌ର ପ୍ରଥମ ଦିନ ଭାରତ ପାଇଁ ଭଲ ବିତିଛି। ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବାଧୀନ ବୋଲିଂ ବାହିନୀ ଅଷ୍ଟ୍ରେଲିଆର ପ୍ରଥମ ପାଳିକୁ ୧୯୫ ରନ୍‌ରେ ସୀମିତ ରଖି ଦେଇଛନ୍ତି। ବୁମରା ନିଜେ ୪ ୱିକେଟ୍‌ ଚଟ୍‌କାଇ ଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ୍‌ ୩, ପଦାର୍ପଣକାରୀ ମହମ୍ମଦ ସିରାଜ ୨ ଏବଂ ରବୀନ୍ଦ୍ର ଜାଦେଜା ୧ ୱିକେଟ୍‌ ନେଇଛନ୍ତି। ଆଡିଲେଡ୍‌ ପରାଜୟ ସହ ପିତା ହେବାକୁ ଛୁଟିରେ ଯାଇଥିବା ବିରାଟ କୋହଲିଙ୍କ ବିନା ଯେ ଭାରତୀୟ କ୍ରିକେଟ୍‌ରେ ଜୀବନ ଅଛି ଏହା ମଧ୍ୟ ପ୍ରମାଣିତ ହୋଇଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବ ମଧ୍ୟ ପ୍ରଶଂସିତ ହୋଇଛି। ଗତ ପାଳିରେ ୩୬ ରନ୍ କରିଥିବା ଭାରତ ଶନିବାର ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୧ ୱିକେଟ୍ ହରାଇ ୩୬ ରନ୍ କରିଛି। ସିରାଜଙ୍କ ଭଳି ପଦାର୍ପଣ କରିଥିବା ଶୁଭମନ ଗିଲ୍ ମଧ୍ୟ ଭଲ ଆରମ୍ଭ କରି ୨୮* ରନ୍‌‌ରେ ଅପରାଜିତ ରହିଛନ୍ତି। ଭାରତ ପ୍ରଥମ ଓଭରରେ ମୟଙ୍କ ଅଗ୍ରୱାଲ(୦)ଙ୍କୁ ହରାଇଥିବା ବେଳେ ଗିଲଙ୍କ ସହ ତେତେଶ୍ବର ପୂଜାରା (୭*) ଦୃଢ଼ ଭାବେ ବ୍ୟାଟିଂ କରୁଛନ୍ତି।

ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍‌କା
ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍‌ର ଗୌରବମୟ ଦିବସ (ବକ୍ସିଂ ଡେ’)ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା। ଭାରତୀୟ ବୋଲର କିନ୍ତୁ ଘରୋଇ ଦଳର ପ୍ରଥମ ୩ ୱିକେଟ୍‌କୁ ୩୮ ରନ୍‌ ଭିତରେ ବାହାର କରି ନେଇଥିଲେ। ଜୋ ବର୍ନସଙ୍କୁ ଯଶପ୍ରୀତ୍ ବୁମରା ୱିକେଟ୍‌ ପଛପଟେ ପନ୍ତଙ୍କ ଗ୍ଲୋଭ୍ସରେ କ୍ୟାଚ୍‌ କରାଇ ନେଇଥିଲେ। ବର୍ନସ ୧୦ ବଲ୍‌ ଖେଳି ଖାତା ଖୋଲି ପାରିନଥିଲେ। ପ୍ରଥମ ପରିବର୍ତନରେ ଆସିଥିବା ଅଫସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ୍‌ ନିଜର ଲଗାତାର ଓଭର ତଥା ୪ ବଲ୍‌ ଭିତରେ ଦୁଇ ଅଭିଜ୍ଞ ଖେଳାଳି ମାଥ୍ୟୁ ୱାଦେ ଓ ଷ୍ଟିଭେନ୍ ସ୍ମିଥ୍‌ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ବଡ଼ ଝଟକା ‌ଦେଇଥିଲେ।

ଲବୁସାନ୍‌ ଓ ହେଡ୍‌ ଲଢ଼ିଲେ
ଘରୋଇ ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ ମାର୍ନସ ଲବୁସାନ୍‌ ଓ ଟ୍ରାଭିସ୍ ‌ହେଡ୍‌। ଉଭୟ ଦଳକୁ ମଧ୍ୟାହ୍ନ ଭୋଜନ ବେଳକୁ ୬୫/୩ରେ ପହଞ୍ଚାଇବା ସହିତ ଚତୁର୍ଥ ୱିକେଟ୍ ପାଇଁ ୮୬ ରନ୍ ଯୋଡ଼ିଥିଲେ। ବୁମ୍‌ରାଙ୍କ ବୋଲିଂରେ ହେଡ୍‌ (୩୮)ଙ୍କୁ ଗଲିରେ ରାହାଣେ କ୍ୟାଚ୍‌ କରି ଏହି ଭାଗୀଦାରିକୁ ଅଲଗା କରିଥିଲେ। ଲବୁସାନ(୪୮)ଙ୍କୁ ସିରାଜ ବ୍ୟାକ୍‌ୱାର୍ଡ ସ୍କୋୟାର୍‌ ଲେଗ୍‌ରେ ଶୁବମନ ଗିଲଙ୍କ ହାତରେ କ୍ୟାଚ୍‌ କରାଇଥିଲେ। ମଧ୍ୟାହ୍ନ ବିରତି ପୂର୍ବରୁ ୩ ଓ ପରେ ୨ ୱିକେଟ୍‌ ଝଡ଼ାଇ ଦେଇଥିବା ଭାରତ ଚା’ପାନ ବିରତି ପରେ ଅବଶିଷ୍ଟ ୫ ୱିକେଟ୍ ଦଖଲ କରିନେଇଥିବା ବେଳେ ନାଥନ୍ ଲାୟନ୍‌ ମାତ୍ର ୧୭ ବଲ୍‌ରୁ ୨୦ ରନ୍ ସଂଗ୍ରହ କରିଥିଲେ।

ସ୍ମିଥ୍‌ଙ୍କ ପ୍ରତୀକ୍ଷିତ ଶୂନ
ଦୀର୍ଘ ୪ ବର୍ଷ ଏବଂ ୫୨ ଟେଷ୍ଟ୍‌ ପାଳି ପରେ ଷ୍ଟିଭେନ୍ ସ୍ମିଥ୍‌ ଶୂନରେ ଆଉଟ୍ ହୋଇଛନ୍ତି। ଆଡିଲେଡ୍‌ ଟେଷ୍ଟ୍‌ ପ୍ରଥମ ପାଳିରେ ମାତ୍ର ୧ ରନ୍ କରିଥିବା ସ୍ମିଥ୍‌ଙ୍କୁ ଏଥର ଖାତା ଖୋଲିବାକୁ ଦେଇନଥିଲେ ଅଶ୍ବିନ୍‌। ଶେଷ ଥର ପାଇଁ ୨୦୧୬ରେ ପର୍ଥ ଟେଷ୍ଟ୍‌ରେ କେଶବ ମହାରାଜଙ୍କ ଦ୍ବାରା ସ୍ମିଥ୍‌ ଶୂନରେ ଆଉଟ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ନିକଟରୁ ଅଷ୍ଟ୍ରେଲିଆ ହାରିଯାଇଥିଲା। ଦିନିକିଆ ଶୃଙ୍ଖଳାରେ ଚମତ୍କାର ଖେଳିଥିବା ସ୍ମିଥ୍‌ ଗତ ୩ ଟେଷ୍ଟ୍ ପାଳିରେ ଯଥାକ୍ରମେ ୧, ୧*, ୦ ରନ୍‌ କରି ବିଫଳ ହୋଇଥିବାରୁ ଚାପରେ ପଡ଼ିଛନ୍ତି। ଶନିବାର ଅଶ୍ବିନ୍ ଟର୍ନ ଓ ବାଉଁସରୁ ଫାଇଦା ଉଠାଇ ସ୍ମିଥଙ୍କୁ ଶିକାର କରିଥିଲେ। ଅଶ୍ବିନ୍‌ ଏକ ସିଧା ବଲ୍‌ ପକାଇଥିଲେ ମଧ୍ୟ ସ୍ମିଥଙ୍କ ଗ୍ଲାନ୍ସରୁ ବଲ୍‌ ଲେଗ୍ ଗଲିରେ ଥିବା ତେ‌ତେଶ୍ବର ପୂଜାରାଙ୍କ ହାତରେ ପଡ଼ିଥିଲା। ଏମ୍‌ସିଜିରେ ୧୧୩.୫୦ ହାରରେ ମୋଟ ୯୦୮ ରନ୍ ସଂଗ୍ରହ କରିଥିବା ସ୍ମିଥଙ୍କ ଏଥରର ଶୂନକୁ ନେଇ ଢେର ଚର୍ଚା ହୋଇଛି।

ପଦାର୍ପଣରେ ଚମକ
ଆଡିଲେଡ୍‌ ‌ଟେଷ୍ଟ୍‌ରେ ଖେଳିଥିବା ଚୂଡାନ୍ତ ଏକାଦଶର ଅଷ୍ଟ୍ରେଲିଆ ଦଳ ଏମ୍‌ସିଜିରେ ବିନା ପରିବର୍ତନ କରି ଖେଳିଥିଲା। ଭାରତ କିନ୍ତୁ ପୂର୍ବଦିନ ଘୋଷଣା ଅନୁ୍ସାରେ ୪ ପରିବର୍ତନରେ ପଡ଼ିଆକୁ ଓହ୍ଲାଇଥିଲା। ଭାରତ ପକ୍ଷରୁ ଟେଷ୍ଟ୍ ଜୀବନ ଆରମ୍ଭ କରିଥିବା ହାଇଦ୍ରାବାଦ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ପଞ୍ଜାବୀ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲ୍ ଚମତ୍କାର ରହିଛନ୍ତି ପ୍ରଥମ ଦିନ ଖେଳରେ। ସିରାଜ ବହୁବାର ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନଙ୍କୁ ହରକତ୍‌ କରିବା ପରେ ଲବୁସାନଙ୍କୁ ପ୍ରଥମ ଟେଷ୍ଟ୍ ଶିକାର କରିଥିଲେ। ସଂଯୋଗବଶତଃ ଗିଲ୍‌ ହିଁ ସ୍କୋୟାର୍ ଲେଗ୍‌ରେ ଲବୁସାନଙ୍କ କ୍ୟାଚ୍‌ଟି ନେଇଥିଲେ। ଏହା ପରେ ସିରାଜଙ୍କ ଶିକାର ହୋଇଥିଲେ କାମେରନ୍ ଗ୍ରିନ୍। ୧୫-୪-୪୦-୨ ଚିତ୍ର ସହ ସିରାଜ ସ୍ମରଣୀୟ ରଖିଛନ୍ତି ଟେଷ୍ଟ୍ ଜୀବନର ପ୍ରଥମ ଦିନକୁ। ଅନ୍ୟ ପକ୍ଷରେ ୨୧ ବର୍ଷୀୟ ଶୁବମନ ଗିଲ୍‌ ଚୌକାରୁ ଟେଷ୍ଟ୍ ପାଳି ଆରମ୍ଭ କରିଥିଲେ ମଧ୍ୟ ସ୍ଲିପ୍‌ରେ ଲବୁସାନଙ୍କ କ୍ୟାଚ୍‌ ହାତଛଡ଼ାରୁ ବର୍ତିଯାଇଥିଲେ। ଏହାର ଫାଇଦା ଉଠାଇ ପ୍ରଥମ ଦିନ ଶେଷ ସୁଦ୍ଧା ୨୮ (୩୮ବଲ୍‌, ୫ ଚୌକା) ରନ୍‌ରେ ଅପରାଜିତ ରହି ପୃଥୀ ସ’ଙ୍କ ଠିକଣା ବିକଳ୍ପ ହେବାର ଆଶା‌‌ ଦେଖାଇଛନ୍ତି।

ଅଧୈର୍ଯ୍ୟ ନହୋଇ ଆତ୍ମବିଶ୍ବାସର ସହ ବ୍ୟାଟିଂ କରିବୁ: ବୁମ୍‌ରା
ମେଲବର୍ନ: ମେଲବର୍ନ ଟେଷ୍ଟ୍‌ର ପ୍ରଥମ ଦିନ ପ୍ରଭାବଶାଳୀ ବୋଲିଂ କରିଥିବା ଭାରତୀୟ କ୍ରିକେଟ୍ ଦଳ ବ୍ୟାଟିଂ ବେଳେ ମଧ୍ୟ ଅନୁରୂପ ଭାବେ ଆଧିପତ୍ୟ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଏଥିନେଇ ଦଳ ସ୍ବତନ୍ତ୍ର ଯୋଜନା କରିଛି ଏବଂ ଏହି ବିଷୟରେ ଦ୍ରୁତ ‌ବୋଲର ଯଶପ୍ରୀତ ବୁମ୍‌ରା ସମ୍ୟକ ସଙ୍କେତ ଦେଇଛନ୍ତି। ୫୬ ରନ୍ ଦେଇ ୪ ୱିକେଟ୍ କରାୟତ କରିବା ସହ ଅଷ୍ଟ୍ରେଲିଆକୁ ୨୦୦ ରନ୍ ତଳେ ଅଟକାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ବୁମ୍‌ରା ଶନିବାର ଖେଳ ‌ଶେଷ ହେବା ପରେ ଦେଇଥିବା ସାକ୍ଷାତକାରରେ ରବିବାର ଦ୍ବିତୀୟ ଦିନରେ ଭାରତ ଆତ୍ମବିଶ୍ବାସର ସହ ଖେଳିବ। ଗୋଟିଏ ଗୋଟିଏ ଅଧିବେଶନକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରିବ। ହେଲେ କୌଣସି ପରିସ୍ଥିତିରେ ଧୈର୍ଯ୍ୟ ହରାଇବ ନାହିଁ କିମ୍ବା ଦାୟିତ୍ବହୀନ ବ୍ୟାଟିଂ କରିବନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ‘‘ଆମେ ମାନସିକ ସ୍ତରରେ ମାତ୍ରାଧିକ ରକ୍ଷଣଶୀଳ ହେବାକୁ ଚାହୁନୁ। ବରଂ ସକାରାତ୍ମକ ରହି ଦାୟିତ୍ବବାନ ଓ ଆତ୍ମବିଶ୍ବାସଭରା ବ୍ୟାଟିଂ କରିବାକୁ ଲକ୍ଷ୍ୟ ରଖିଛୁ। ଆମ ଆଗରେ ଥିବା ଆହ୍ବାନ ଏବଂ ପ୍ରତିବନ୍ଧକକୁ ମଧ୍ୟ ଭଲ ଭାବରେ ଜାଣିଛୁ’’ ବୋଲି ସେ କହିଥିଲେ। ବୁମ୍‌ରା ମଧ୍ୟ ମହମ୍ମଦ ସିରାଜ, ରବୀନ୍ଦ୍ର ଜାଦେଜା ଏବଂ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ସେମାନଙ୍କ ଶାଣିତ ବୋଲିଂ ପାଇଁ ପ୍ରଶଂସା କରିଥିଲେ। ‘ପ୍ରଥମ ଦିନରେ ସେ ହିଁ ଶ୍ରେଷ୍ଠ ବୋଲିଂ କରିଥିବା’ ପ୍ରଶଂସାକୁ କିନ୍ତୁ ଏଡ଼ାଇ ଯାଇଥିଲେ ବୁମ୍‌ରା। ଆମେ ଉଭୟ ପଟୁ ଅଷ୍ଟ୍ରେଲିଆକୁ ଚାପରେ ରଖିବାକୁ ଯୋଜନା କରିଥିଲୁ ଏବଂ ସଫଳ ମଧ୍ୟ ହୋଇଛୁ ବୋଲି କହିଛନ୍ତି ବୁମ୍‌ରା।

ରାହାଣେଙ୍କ ଚତୁର ନେତୃତ୍ବକୁ କିଂବଦନ୍ତିଙ୍କ ପ୍ରଶଂସା
ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଅଜିଙ୍କ୍ୟ ରାହାଣେଙ୍କ ଦକ୍ଷ ଓ ଚତୁର ଅଧିନାୟକତ୍ବ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ତାଙ୍କ ସାହସିକ ରଣକୌଶଳ ତଥା ଠିକଣା ସ୍ଥାନ ଓ ସମୟରେ ଠିକଣା କ୍ଷେତ୍ରରକ୍ଷକ ରଖିବା କଳା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କୁ ବେଶ୍ ପ୍ରଭାବିତ କରିଛି। ସେହିଭଳି‌ ବୋଲରଙ୍କୁ ଅଦଳ ବଦଳ କରିବା ନୀତିକୁ ଅନ୍ୟତମ ଅଷ୍ଟ୍ରେଲୀୟ କିବଂଦନ୍ତି ସେନ୍ ୱର୍ନ ମଧ୍ୟ ଭୂୟଶୀ ପ୍ରଶଂସା କରିଛନ୍ତି। ପୂର୍ବତନ ଭାରତୀୟ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣ, ମହାନ ତାରକା ସୁନିଲ ଗାଭାସ୍କର ରାହାଣେଙ୍କ ନେତୃତ୍ବ ଦକ୍ଷତା ପ୍ରେମରେ ପଡ଼ି ଯାଇଛନ୍ତି। ସମସ୍ତେ ଟ୍ବିଟ୍ କରି ବଳକା ଚାରି ଦିନର ଖେଳ ପାଇଁ ରାହାଣେଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସରେ ଥିଲା ବେଳେ ମୁଁ ରାହାଣେଙ୍କୁ ଅତି ନିକଟରୁ ଦେଖିଛି। ସେ ଜଣେ କୁଶଳୀ ଓ ଚତୁର କ୍ରିକେଟର୍‌। ନିଜ ଖେଳରେ ଉନ୍ନତି ଆଣିବା ଲାଗି ସେ କଠିନ ପରିଶ୍ରମ କରନ୍ତି। ଜଣେ ଅଧିନାୟକ ଭାବେ ମଧ୍ୟ ସେ ନିଜ ଶ୍ରେଷ୍ଠ ଦେଉଛନ୍ତି। ଲକ୍ଷ୍ମଣ ଭାରତୀୟ ଦଳ ଏବଂ ରାହା‌ଣେଙ୍କୁ ପ୍ରଶଂସା କରି ନିଜ ଟ୍ବିଟର ପୃଷ୍ଠାରେ ଲେଖିଥିଲେ ଯେ ପ୍ରଥମ ଦିନରେ ଭାରତ ଚମତ୍କାର ଖେଳିଲା। ବୋଲର ପୁଣି ଥରେ ଧମାକା କଲେ। ଉଭୟ ପଦାର୍ପଣକାରୀ ଆତ୍ମବିଶ୍ବାସ ଦେଖାଇଲେ। ରାହାଣେ ଅଧିନାୟକ ଭାବେ ବହୁତ ଭଲ କାମ କଲେ। ଗାଭାସ୍କର ବି ରାହାଣେଙ୍କୁ ପ୍ରଶଂସା ନକରି ରହିପାରିନଥିଲେ। ହେଲେ ଖୋଲାଖୋଲି କିଛି କହିବାକୁ ମନା କରି ଦେଇଥିଲେ। ‘‘ରାହାଣେଙ୍କ ନେତୃତ୍ବ କଥା କହିଲେ ଲୋକେ ଭାବିବେ ମୁଁ ମୁମ୍ବାଇ ପିଲାଙ୍କୁ ସମର୍ଥନ କରୁଛି’’ ବୋଲି ଯାହା ସେ କହିଥିଲେ।

 

ସମ୍ବନ୍ଧିତ ଖବର